Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରକ ଚାଳକଙ୍କୁ ହେଲମେଟ୍ ପାଇଁ ଜରିମାନା- ନୂଆ ଟ୍ରାଫିକ୍ ନିୟମକୁ ନେଇ ନାକେଦମ ହେଲେଣି ସାଧାରଣ ଜନତା

5/09/2019 at 5:27 PM

ଭୁବନେଶ୍ୱର୫।୯- ଗାଡି କାଗଜ ପତ୍ର, ଲାଇସେନ୍ସ, ଇନସୁରାନ୍ସ ଆଦି ଚେକିଂରେ ଲୋକେ ନାକେଦମ ହେଲେଣି । ନୂଆ ମୋଟର ଯାନ ଆଇନ ଆଳରେ ଟ୍ରାଫିକ ପୋଲିସ ଓ ଏମଭିଆଇ ଏଭଳି ଆତଙ୍କ ରାଜ ଚଳାଇଛନ୍ତି ଯେ ତାକୁ ନେଇ ସାଧାରଣ ଜନତା ନାକେଦମ୍ ହେଲେଣି । ଟ୍ରକ ଚାଳକଙ୍କ ଠାରୁ ବି ଏମଭିଆଇ ହେଲମେଟ ପିନ୍ଧିନଥିବା ଦଫା ଲଗାଇ ଫାଇନ୍ କାଟିଲେଣି । ଯାହାକୁ ଧରୁଛନ୍ତି ତାର ଏଇଟା ନାହିଁ ସେଇଟା ନାହିଁ କହି ହଇରାଣ କରୁଥିବା ଅଭିଯୋଗ ହୋଇଛି।

ଲୋକଙ୍କ ମନରେ ଆତଙ୍କ । ବାଟରେ କାଳେ ଅଟକାଇ ଦେବେ ଟ୍ରାଫିକ କର୍ମଚାରୀ ।  ଏଇଟା ଥିଲେ ସେଇଟା ନାହିଁ, ସେଇଟା ଥିଲେ ଏଇଟା ନାହିଁ କହି ହାଙ୍କି ନେବେ ମାସକର ଦରମା । ଯେଭଳି ଭାବେ ଗାଡିଚାଳକଙ୍କ ଠାରୁ ଫାଇନ୍ କଟା ଯାଉଛି ତାହା ଶୁଣି ହତବାକ୍ ହୋଇଗଲଣି ଲୋକେ । ଲାଗୁଛି ସତେ ଯେମିତି ନୂଆ ମୋଟର ଯାନ ଆଇନ ନାଁରେ ଲୋକଙ୍କୁ ଲୁଟ୍ ପାଇଁ ରାସ୍ତା ବାହାର କରାଯାଇଛି । ମନଇଛା ଲୁଟ୍ ଯୋଜନାରେ ଅଛନ୍ତି ଏମଭିଆଇ କର୍ମଚାରୀ । ଖୋର୍ଦ୍ଧା ନିକଟରେ ପଶ୍ମିମବଙ୍ଗର ଏକ ଟମାଟୋ ବୋଝେଇ ଟ୍ରକକୁ ଅଟକାଇ ୩୫ ହଜାର ୫୦୦ ଟଙ୍କାର ଫାଇନ୍ କଟାଯାଇଛି । ଏହି ୧୦ ଚକିଆ ଟ୍ରକ ଚାଳକଙ୍କ ଉପରେ ଯେଉଁ ୯ଟି ଫାଇନ୍ ପଡିଛି ସେଥିରେ ୮ ନମ୍ବର ଫାଇନ ପଡିଛି ଡ୍ରାଇଭର ହେଲମେଣ୍ଟ ଟପିନ୍ଧି ନଥିଲେ । ପ୍ରଶ୍ନ ଉଠୁଛି ଟ୍ରକ ଡ୍ରାଇଭର କାହିଁକି ହେଲମେଟ ପିନ୍ଧିବ । ଏ କିଭଳି ନୂଆ ମୋଟର ଯାନ ଆଇନ ଆଉ ଏହାକୁ କିଭଳି ତଣ୍ଡ ଆଦାୟ ତାକୁ ଦେଖି ଲୋକେ ତୋବା ତୋବା କଲେଣି।  

ନୂଆ ମୋଟର ଯାନ ଆଇନ ଏବେ ସାରା ଦେଶରେ ହଡକମ୍ପ । ସାଧାରଣ ଲୋକଙ୍କ ପ୍ରଶ୍ନ, ଦୁଇ ଚକିଆ, ତିନି ଚକିଆ କିମ୍ବା ୪ ଚକିଆ ଗାଡି ପାଇଁ ନିର୍ଦ୍ଦିଷ୍ଟ କେତେ ସର୍ବାଧିକା ଫାଇନ୍ ରହିବା କଥା ତାହା କାହିଁକି ଧାର୍ଯ୍ୟ ହେଉନି । ଟ୍ରାଫିକ ପୋଲିସ କିମ୍ବା ଏମଭିଆଇ ଯେଉଁ ଗାଡିକୁ ଧରୁଛନ୍ତି ସେହି ଗାଡି ଉପରେ ସବୁ ପ୍ରକାର ଜୋରିମାନା ପକାଇ କାହିଁକି ଗାଡିଚାଳକଙ୍କୁ ତଳି ତଳାନ୍ତ କରୁଛନ୍ତି । ପଂଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଶ୍ମିମବଙ୍ଗ ସରକାର ଏହି ନୂଆ ଆଇନକୁ ସେମାନଙ୍କ ରାଜ୍ୟରେ ଲାଗୁ କରିନାହାଁନ୍ତି । ଏଭଳି କ୍ଷେତ୍ରରେ କଣ ପାଇଁ ଓଡିଶା ସରକାର ନୂଆ ଆଇନ ଲାଗୁପାଇଁ ଏତେ ତର ତର ହେଲେ ।  ଲୋକଙ୍କୁ ସଚେତନ ହେବା ପାଇଁ ଅଧିକ ସମୟ ଦିଆଯାଇପାରିଥାନ୍ତା।

କିଛି ଏମଭିଆଇ ଓ ଟ୍ରାଫିକ ଦାଇତ୍ବରେ ଥିବା କର୍ମଚାରୀ ଯେଉଁ ଗାଡିକୁ ଅଟକାଉଛନ୍ତି ସେଗାଡିରୁ ନିଶ୍ଚିତ ଭାବେ ଫାଇନ ଆଦାୟ କରୁଛନ୍ତି। କିଛି ନା କିଛି କମି ବାହାର କରି ଗାଡି ଚାଳକଙ୍କ ଠାରୁ ମୋଟା ଅଙ୍କର ତଣ୍ଡ ନଝାଡିବା ପର୍ଯ୍ୟନ୍ତ ତାଙ୍କୁ ଛାଡୁ ନାହାଁନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି । ଲାଗୁଛି ସତେ ଯେମିତି ସବୁ ଗାଡିଚାଳକ ଜଣେ ଜଣେ ଅପରାଧି । ଶୁଣନ୍ତୁ କଣ କହୁଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଓଡ଼ିଶାରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ଅବସ୍ଥାରେ ଅଛି। ନୂଆ ଆଇନ ଦୁର୍ଘଟଣା କମାଇବ ନିଶ୍ଚୟ । ପୂର୍ବରୁ ଗୋଲାପ ଦେଇ ସଚେତନ କରାଯାଉଥିଲା ଲୋକେ ଚେତିଲେନି ଏବେ ମୋଟା ତଣ୍ଡ ଦେଖି ଲୋକେ ଶୃଙ୍ଖଳିତ ସିନା ହେବେ କିନ୍ତୁ ଏବେ ଦାବି ହେଉଛି ଆଉ କିଛି ଦିନ ସମୟ ଦିଆଯାଉ।

   Related Posts