ଲୋମ ଟାଙ୍କୁରା ଦୃଶ୍ୟ : କାର୍‌ର ବୋନେଟ୍‌ ଉପରେ ଚଢିଗଲା ଟ୍ରକ୍, ଦୁର୍ଘଟଣାର ଭିଡିଓ ଭାଇରାଲ୍

Published By : Prameya-News7 Bureau | January 08, 2021 IST

ଜବଲପୁର ୮।୧: ଜବଲପୁର-କଟଙ୍ଗୀ ରୋଡ୍‌ରେ ଘଟିଲା ଏମିତି କିଛି ଯାହା ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ । ଏମିତି ଭୟାନକ ଦୃଶ୍ୟ ଦେଖି ପଥଚାରୀ ସ୍ତବ୍ଧ ହୋଇଯାଇଥିଲେ । କାର୍ ଭିତରେ ଦେଢ ଘଣ୍ଟା ଘରି ମୃତ୍ୟୁ ସହ ସଂଘର୍ଷ କରିଚାଲିଥିଲେ ଚାଳକ । ପୋଲିସର ଅକ୍ଲାନ୍ତ ପରିଶ୍ରମ ପରେ କାର୍‌ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ସେ । ମଦ୍ୟପ ଡ୍ରାଇଭର ଘଟାଇଥିଲା ଏଭଳି ଦୁର୍ଘଟଣା । ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେବାପରେ ଟ୍ରକ୍‌ଟି ୬୦୦ ମିଟର ପର୍ଯ୍ୟନ୍ତ କାର୍‌କୁ ଘୋଷାଡି ନେଇଥିଲା । କାର୍‌ରେ ଫଶିଥିବା ଚାଳକଙ୍କୁ ୪ଟି କ୍ରେନ୍, ୨ଟି ହିଟାଚି, ଗୋଟିଏ ଟ୍ରାକ୍ଟର ସହାୟତାର ଉଦ୍ଧାର କରାଯାଇଥିଲା । ଏଭଳି ହୃଦୟ ବିଦାରକ ଦୁର୍ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି । ଟ୍ରକ୍ ଚାଳକ ଘଟଣାସ୍ଥଳକୁ ଫେରାର ହୋଇଯାଇଥିବା ବେଳେ କାର୍ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମାମଲା ରୁଜୁ କରି ଟ୍ରକ୍ ଚାଳକଙ୍କୁ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଜବଲପୁର-କଟଙ୍ଗୀ ରୋଡ୍‌ ଖୈରୀ ଗାଁ ନିକଟରେ ଏକ ପଥର ବୋଝେଇ ଟ୍ରକ୍ ଜବଲପୁର ଯିବାବେଳେ ଦୁର୍ଘଟଣା ଘଟିଛି । ନିଶାସକ୍ତ ଅବସ୍ଥାରେ ଥିବା ଟ୍ରକ୍ ଡ୍ରାଇଭର ଭାରସାମ୍ୟ ହରାଇ ପ୍ରଥମେ ରାସ୍ତାରେ ଠିଆ ହୋଇଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରଟି ଖାଇରେ ଖସିପଡିଥିଲା । ପୁଣି ସାମ୍ନାରୁ ଆସୁଥିବା କାର୍‌କୁ ୬୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା । କାର୍ ଚାଳକ ଜଣେ ଶିକ୍ଷକ ଅଟନ୍ତି । ତାଙ୍କ ସହ ତାଙ୍କର ଦୁଇ ସହଯୋଗୀ ଶିକ୍ଷକ ମଧ୍ୟ ଥିଲେ ।

ଦୁର୍ଘଟଣାରେ ଟ୍ରକ୍‌ଟି କାର୍ ବୋନେଟ୍ ଉପରେ ଚଢିଯାଇଥିଲା । କାର୍ ଚଳାଉଥିବା ଶିକ୍ଷକ ଜଣଙ୍କ କାର୍‌ରେ ଫସି ଯାଇଥିଲେ । ତାଙ୍କର ଦୁଇ ସହଯୋଗୀ ଆହତ ହୋଇଥିଲେ । ଦୁଇ ସହଯୋଗୀ ଶିକ୍ଷକଙ୍କୁ କାର୍‌ରୁ ତୁରନ୍ତ ବାହାର କରି ହସ୍ପିଟାଲକୁ ପଠାଯାଇଥିଲା । ମାତ୍ର କାର୍ ଚଲାଉଥିବା ଶିକ୍ଷକଙ୍କୁ ବାହାର କରିବାରେ ଦୁଇ ଘଣ୍ଟା ସମୟ ଲାଗିଥିଲା । କ୍ରେନ୍ ସହାୟତାରେ କାର୍ ଏବଂ ଟ୍ରକ୍‌କୁ ଅଲଗା କରାଯାଇଥିଲା । ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଏବେ ପୋଲିସ ହାତରେ ଲାଗିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.