ଟିଆର୍‌ପି ସ୍କାମ୍‌ର ଗୁମର ଫିଟୁଛି, ବ୍ୟାଙ୍କ ଆକାଉଣ୍ଟ ଛାନ୍‌ଭିନ୍‌ କରିବ ପୋଲିସ

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୧୦।୧୦: ଫିଟୁଛି ଟିଆର୍‌ପି ସ୍କାମ୍‌ର ଗୁମର । ମୁମ୍ବାଇ ପୁଲିସ ପର୍ଦ୍ଦାଫାସ କରିଥିବା ଟିଆରପି (ଟେଲିଭିଜନ ରେଟିଂ ପଏଣ୍ଟ) ସ୍କାମରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିଛୁ । ଏହି ସ୍କାମର ଚେର ସମଗ୍ର ଦେଶକୁ ବ୍ୟାପିଛି । ଗତକାଲି ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରେ ଅଛନ୍ତି ମରାଠୀ ଚ୍ୟାନେଲ ଫକ୍‌ତର ମାଲିକ ନାରାୟଣ ଶର୍ମା ଓ ବକ୍ସ ସିନେମା ମାଲିକ ଶିଶିର ସେଟ୍ଟୀ। ସେହିଭଳି ଅନ୍ୟ ଦୁଇଜଣ ହେଲେ ବିଶାଲ ଭଣ୍ଡାରୀ ଓ ବୋମପଲ୍ଲୀ ରାଓ ମିସ୍ତ୍ରୀ। ସେମାନେ ‘ହନ୍‌ସା ରିସର୍ଚ୍ଚ ଗ୍ରୁପ ପ୍ରାଇଭେଟ ଲିମିଟେଡ’ ନାମକ ଏକ ଘରୋଇ ସଂସ୍ଥାର ପୂର୍ବତନ କର୍ମଚାରୀ । ହନ୍‌ସା କମ୍ପାନି ବାର୍କ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍‌ସିଲ) ପାଇଁ ଏକ ସହାୟକ କମ୍ପାନି ଭାବେ କାର୍ଯ୍ୟ କରୁଛି ।

ଗିରଫ ଅଭିଯକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରାଯିବାର ଆବଶ୍ୟକତା ଥିବା ପୁଲିସ ଦର୍ଶାଇଥିଲା । କୋର୍ଟ ସେମାନଙ୍କୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ଟିଆରପି ମିଟରର ପୂରା ମହାରାଷ୍ଟ୍ରର ସୂଚୀ ଭଣ୍ଡାରୀଙ୍କ ପାଖରେ ରହିଛି । ଜେରା ବେଳେ ସେ କିଛି ତଥ୍ୟ ଦେଇଛନ୍ତି । ମୁମ୍ବାଇ ପୁଲିସ ବର୍ତ୍ତମାନ ତାଙ୍କୁ ରିମାଣ୍ଡରେ ନେଇ ତାଙ୍କଠାରୁ ସବୁ ତଥ୍ୟ ଗୋଟି ଗୋଟି କରି ଆଦାୟ କରିବାକୁ ଯୋଜନା କରିଛି । ଏଥିସହ ମୁମ୍ବାଇ ପୁଲିସ ମଧ୍ୟ ଆଜି ରିପବ୍ଲିକ୍‌ ଟିଭିର ସିଏଫ୍‌ଓ ସୁନ୍ଦରମ ଏସ୍‌ଙ୍କୁ ସମନ୍‌ କରିଛି । ଆସନ୍ତାକାଲି ହାଜର ହୋଇ ଏହି ମାମଲାରେ ତଦନ୍ତର ସମ୍ମୁଖୀନ ହେବାକୁ ତାଙ୍କୁ କୁହାଯାଇଛି । ସେହିଭଳି ଫକ୍‌ତ ମରାଠୀ ଏବଂ ବକ୍ସ ସିନେମାର ଆକାଉଣ୍ଟାଣ୍ଟ ଓ ଅନ୍ୟ କିଛି କର୍ମଚାରୀଙ୍କୁ ମଧ୍ୟ ଆସନ୍ତାକାଲି ହାଜର ହେବା ଲାଗି ମୁମ୍ବାଇ ପୁଲିସ ନୋଟିସ୍‌ କରିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଦିନେଶ ବିଶ୍ୱକର୍ମା ଓ ବିନୟ ତ୍ରିପାଠୀ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଅକ୍ଟୋବର ୫ ତାରିଖରେ ଏହି ଟିଆରପି ସ୍କାମ ସମ୍ପର୍କରେ ହନ୍‌ସା କମ୍ପାନି ପକ୍ଷରୁ ମୁମ୍ବାଇ ପୁଲିସରେ ଅଭିଯୋଗ ହୋଇଥିଲା । ତେଣୁ ସେହିଦିନ ରାତିରେ ପୁଲିସ ଭଣ୍ଡାରୀଙ୍କୁ ଉଠାଇ ଆଣିବା ସହ ଜେରା କରିଥିଲା । ଜେରା ବେଳେ ଭଣ୍ଡାରୀ କହିଥିଲେ ସେ ହନ୍‌ସା କମ୍ପାନିରେ କାମ କରୁଥିଲେ । କିନ୍ତୁ ଟିଆରପି ସ୍କାମରେ ସମ୍ପୃକ୍ତ ଥିବା ଜାଣିବା ପରେ ତାଙ୍କୁ କମ୍ପାନି ଚାକିରିରୁ ବାହାର କରିଦେଇଥିଲା । ମୁମ୍ବାଇ ପୁଲିସ ଭଣ୍ଡାରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି। ସେଥିରେ ଟଙ୍କା ଦିଆଯାଉଥିବା କିଛି ପରିବାର ଲୋକଙ୍କ ନାମ ଉଲ୍ଲେଖ ରହିଛି । ପୁଲିସ ସେହି ନାମ ମଧ୍ୟରୁ କିଛି ଲୋକଙ୍କୁ ପଚରାଉଚୁରା କରିବା ପରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି । ସେମାନେ କହିଛନ୍ତି କି ଇଂରାଜୀ ଟିଭି ଚ୍ୟାନେଲ ‘ରିପବ୍ଲିକ୍‌ ଟିଭି’ ଦେଖିବା ଲାଗି ସେମାନଙ୍କୁ ପ୍ରତିମାସରେ ଟଙ୍କା ଦିଆଯାଉଛି । କିଛି ପରିବାର ଓ ଭଣ୍ଡାରୀଙ୍କ ମଧ୍ୟରେ ହୋଇଥିବା ମେସେଜ ମଧ୍ୟ ପୁଲିସ ହାତରେ ଲାଗିଛି ।

ସୂଚନା ଅନୁସାରେ ଭଣ୍ଡାରୀ ଏହି କାରବାର ୨୦୧୯ ନଭେମ୍ବରରୁ ୨୦୨୦ ମେ ପର୍ଯ୍ୟନ୍ତ ଚଳାଇଥିଲା । ଏହି ଘଟଣା ସାମ୍‌ନାକୁ ଆସିବା ପରେ ହନ୍‌ସା ତାଙ୍କୁ ଚାକିରିରୁ ବାହାର କରିଦେଇଥିଲା । କିନ୍ତୁ ସେ ତାଙ୍କର ବେଆଇନ କାରବାର ଜାରି ରଖିଥିଲେ । ମିସ୍ତ୍ରୀ ତାଙ୍କୁ ମାସିକ ୨୦ ହଜାର ଟଙ୍କା ଦେଉଥିଲେ । ଭଣ୍ଡାରୀ ସବୁ ଘରକୁ ଯାଇ ଲୋକମାନଙ୍କୁ ଫକ୍‌ତ ଓ ବକ୍ସ ସିନେମା ଦେଖିବା ଲାଗି କହୁଥିଲେ । ଏଥିସହ ସେମାନଙ୍କୁ ପ୍ରତିମାସରେ ୪୦୦-୫୦୦ ଟଙ୍କା ଦେଉଥିଲେ ଏବଂ ଅବଶିଷ୍ଟ କିଛି ଟଙ୍କା ନିଜେ ରଖୁଥିଲେ । ଭଣ୍ଡାରୀଙ୍କ ଡଏରୀରୁ ରକି ନାମକ ଆଉ ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାପଡିଛି । ପୁଲିସର ରିମାଣ୍ଡ କପିରେ ରକି ବିଷୟରେ ମଧ୍ୟ ଉଲ୍ଲେଖ କରିଛି । ରକିକୁ ଭଣ୍ଡାରୀ ଲୋକଙ୍କ ଘରକୁ ଯାଇ ରିପବ୍ଲିକ ଟିଭି ଦେଖିବାକୁ କହିବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ଏହି ରକି କିଏ ତହା ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଜାଣିପାରି ନାହିଁ ।

ସେହିଭଳି ଜେରା ବେଳେ ଭଣ୍ଡାରୀ ଉଭୟ ମିସ୍ତ୍ରୀ ଓ ରକି ପାଇଁ କାମ କରୁଥିବା ମଧ୍ୟ ସ୍ୱୀକାର କରିଛନ୍ତି । ଏଥିପାଇଁ ରକି ଠାରୁ ଟଙ୍କା ନେଉଥିବା ପ୍ରକାଶ କରିଛନ୍ତି । ସେ ଲୋକମାନଙ୍କ ଘରକୁ ଯାଇ ସେମାନଙ୍କୁ ରିପବ୍ଲିକ୍‌ ଟିଭି ଦେଖିବା ଲାଗି ରାଜି କରାଉଥିଲେ । ସେପଟେ ରିପବ୍ଲିକ ଟିଭିର ନାମ ଏହି ସ୍କାମରେ ଆସିବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଯଦି ତଦନ୍ତରୁ ରିପବ୍ଲିକ ଟିଭିର ସମ୍ପୃକ୍ତି ଥିବାର ପ୍ରମାଣ ମିଳିବ ତେବେ ତାର ସମସ୍ତ ଆର୍ଥିକ କାରବାର ଉପରେ ଯାଞ୍ଚ କରାଯିବ ବୋଲି ମୁମ୍ବାଇ ପୁଲିସ କହିଛି । ଏପରିକି ଦରକାର ପଡିଲେ ଏହାର ବିଜ୍ଞାପନ ପାଣ୍ଠି ଓ ବ୍ୟାଙ୍କ ଆକାଉଣ୍ଟସ୍‌କୁ ଜବତ କରାଯିବ ବୋଲି ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଜାଲ୍‌ ଟିଆରପି ମାଧ୍ୟମରେ ବିଜ୍ଞାପନ ଦ୍ୱାରା କୋଟି କୋଟି ଟଙ୍କା ଆୟ କରାଯାଇଛି । ବର୍ତ୍ତମାନ ସେସବୁର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.