Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓସିଏ ନିର୍ବାଚନକୁ ନେଇ ଲାଗି ରହିଛି ଛକ୍କାପଞ୍ଝା

14/09/2019 at 6:00 PM

କଟକ ୧୪।୦୯-ଓସିଏ ନିର୍ବାଚନକୁ ନେଇ ଲାଗି ରହିଛି ଛକ୍କାପଞ୍ଝା । ବି ସି ସି ଆଇ ଦ୍ବାରା ପ୍ରଣିତ ସମ୍ବିଧାନକୁ ଓସିଏ କାର୍ଯ୍ୟକାରୀ କରୁନଥିବାର ସଙ୍ଗୀନ ଅଭିଯୋଗ ଆସିଛି । ତେଣୁ ନିର୍ବାଚନ ତାରିଖ ଘୋଷଣା ସରିବା ପରେ ବି କେଉଁମାନେ ଭୋଟ୍‌ ଦେଇପାରିବେ, ତାର ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇପାରୁନି । ତେବେ ରବିବାର ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।

ଓଡିଶା କ୍ରିକେଟ ଆସୋସିଏସନର ପିଛା ଛାଡୁନି ବିବାଦ । କର୍ମକର୍ତ୍ତା ନିର୍ବାଚନ ଲାଗି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରାଯାଇଛି, କିନ୍ତୁ କାହାର ସଦସ୍ୟତା ବୈଧ ସେନେଇ କିଛିବି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନି । ବିସିସିଆଇ ସମ୍ବିଧାନ ମୁତାବକ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ଏବଂ ରେଳବାଇର ପ୍ରତିନିଧିଙ୍କୁ ଭୋଟଦେବାର ଅଧିକାର ମିଳିଛି । କିନ୍ତୁ ସେଥିରେ ବି ଏପଟ ସେପଟ ଅଭିଯୋଗ ଆସିଛି ।  ସଦ୍ୟ ପ୍ରକାଶିତ ତାଲିକାରେ ୩ ଜଣ ସଦସ୍ୟଙ୍କ ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଓଜିପି କ୍ଲବ, ଏସ ବି ଆଇ କ୍ଲବ ଏବଂ ଗଞ୍ଜାମ ଜିଲ୍ଲାରୁ କିଏ ପ୍ରତିନିଧି ଭାବେ ସାମ୍ନାକୁ ଆସିବେ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି ।

ଶୁକ୍ରବାର ପ୍ରକାଶ ପାଇଥିବା ୭୩ ଜଣିଆ ସଭ୍ୟ ତାଲିକାକୁ କେତେଜଣ ଚ୍ୟାଲେଂଜ କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ସେଥିଭିତରୁ କେତୋଟି ଅଭିଯୋଗ ଉପରେ କିଛିବି ନିଷ୍ପତ୍ତି ନେବା ଆଗରୁ ନିର୍ବାଚନ ଅଧିକାରୀଙ୍କୁ ଅନେକ ଥର ବିଚାର କରିବାକୁ ପଡିବ । କାରଣ ଓସିଏ ର ଭ୍ୟାଲିଡ୍‌ ଭୋଟର ତାଲିକାରେ ସ୍ଥାନ ପାଇବାଲାଗି କିଛି ସଭ୍ୟ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ତେବେ ନିର୍ବାଚନ ଅଧିକାରୀ ଏମ ଏଲ୍‌ ମଜୁମ୍‌ଦାର କହିଛନ୍ତି, ରବିବାର ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ.  

ଜଷ୍ଟିସ ଲୋଧା କମିଟିଙ୍କ ସୁପାରିସ କ୍ରମେ କ୍ରିକେଟ ସଂଘ ଗୁଡିକରେ ବ୍ୟାପକ ସଂଶୋଧନ କରାଯାଇଛି । ଯଦ୍ବାରା ଓଡିଶା କ୍ରିକେଟ ଆସୋସିଏସନରେ ବେଶ୍‌ କେଇ ବର୍ଷ ଧରି ରାଜ୍‌ କରିଆସୁଥିବା କିଛି ବ୍ୟକ୍ତି ବିଶେଷଙ୍କର ପ୍ରଭାବ ହ୍ରାସ ପାଇଛି । କିନ୍ତୁ ସେହି ବ୍ୟକ୍ତି ବିଶେଷ ଏବେବି ଓସିଏ ଠାରୁ ମୋହ ତୁଟାଇ ପାରିନାହାଁନ୍ତି । ତେଣୁ ଏଥରର ନିର୍ବାଚନ ଏକ ରୋଚକ ମୋଡ ନେବାର ସମ୍ଭାବନା ଅଧିକ ।    

   Related Posts