କାର୍ଟୁନ ଚ୍ୟାନେଲ ଛାଡି ନ୍ୟୁଜ୍ ଚ୍ୟାନେଲ ଦେଖନ୍ତୁ ରାହୁଲ ଗାନ୍ଧୀ: ବିପ୍ଳବ ଦେବ
18/03/2020 at 10:12 PM

ନୂଆଦିଲ୍ଲୀ ୧୮।୦୩: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବୁଧବାର କରୋନା ନେଇ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ସେ ସରକାରଙ୍କ ଉପରେ କରୋନା ନେଇ ନିର୍ଣ୍ଣାୟକ ପଦକ୍ଷେପ ନଉଠାଇବାର ଆରୋପ ଲଗାଇ କହିଛନ୍ତି ଯେ, ମୋଦୀ ସରକାରଙ୍କ ଅକ୍ଷମତା କାରଣରୁ ଭାରତକୁ ଭାରି ପଡିବ। ସେ ଏହା ମଧ୍ୟ କହିଛନ୍ତି ଯେ, କରୋନା ଭୂତାଣୁର ସମସ୍ୟାର ମୁକାବିଲା ଲାଗି ତୁରନ୍ତ ପଦକ୍ଷେପ ନେବା ଉଚିତ୍।
ରାହୁଲ ଟୁଇଟ୍ କରି କହିଛନ୍ତି ଯେ, କରୋନା ଭୂତାଣୁର ମୁକାବିଲା ଲାଗି ତ୍ଵରିତ ଆକ୍ରମଣାତ୍ମକ ପଦକ୍ଷେପ ଉଠାଇବାକୁ ପଡିବ। ସେ ଆରୋପ ଲଗାଇଛନ୍ତି ଯେ, ଆମର ସରକାର ନିର୍ଣ୍ଣାୟକ ଢଙ୍ଗରେ କାମ କରିବାକୁ ଅକ୍ଷମ। ଏହାର ଅକ୍ଷମତା ଭାରତକୁ ବହୁ ମୂଲ୍ୟ ଦେବାକୁ ପଡିବ।
ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାହୁଲ ଗାନ୍ଧୀଙ୍କ ଟୁଇଟ୍ର ଜବାବରେ ଲେଖିଛନ୍ତି ଯେ, ପୂରା ଦେଶରେ ବଡ ସ୍ତରରେ ସ୍କ୍ରିନିଂ କରାଯାଉଛି, ଆଡଭାଇଜରୀ ବହୁ ପୂର୍ବରୁ ଜାରି କରାଯାଇଛି। ପ୍ରତ୍ୟେକ ସ୍ଥାନରେ କ୍ଵାରାଣ୍ଟାଇନ କେନ୍ଦ୍ର ଖୋଲା ଯାଇଛି। ସରକାର ପୂର୍ବରୁ ହିଁ କରୋନାର ମୁକାବିଲା ଆକ୍ରମଣାତ୍ମକ ପଦକ୍ଷେପ ନେଇଛନ୍ତି। କୃପା କରି ଏହି ବିଷୟରେ ଅଧିକ ସୂଚନା ଲାଗି କାର୍ଟୁନ ନେଟ୍ଓ୍ଵର୍କ ଛାଡି ନ୍ୟୁଜ୍ ଚ୍ୟାନେଲ ଦେଖନ୍ତୁ।
ରାହୁଲ ଗାନ୍ଧୀଙ୍କ ଏହି ଟୁଇଟ୍ ଉପରେ ରାଷ୍ଟ୍ରୀୟ ମହିଳା ଆୟୋଗର ସଭାପତି ରେଖା ଶର୍ମା କଡା ଟିପ୍ପଣୀ କରିଛନ୍ତି। ରେଖା ଶର୍ମା କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏକ ମାତ୍ର ବ୍ୟକ୍ତି ଯାହାଙ୍କୁ ଭାରତରେ କରୋନାକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପ ଦେଖାଯାଉ ନାହିଁ। ରେଖା ଶର୍ମା ରାହୁଲଙ୍କ ଟୁଇଟର ଜବାବ ଦେଇ ଲେଖିଛନ୍ତି ଯେ, ଆପଣ ଏକ ମାତ୍ର ବ୍ୟକ୍ତି ଯାହାଙ୍କୁ ଲାଗୁଛି ଯେ, କରୋନା ନେଇ ଭାରତ ପର୍ଯ୍ୟାପ୍ତ ପ୍ରୟାସ କରୁ ନାହିଁ। ନିଜର ସହଯୋଗୀଙ୍କୁ ପଚାରନ୍ତୁ, ଯିଏ ଜାଣିଛନ୍ତି ଯେ, ଭାରତ ସରକାର କରୋନା ଭାଇରସକୁ ନିୟନ୍ତ୍ରିତ କରିବା ଦିଗରେ କେତେ କାମ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, କରୋନାକୁ ବ୍ୟାପିବାରୁ ରୋକିବା ଲାଗି ଭାରତରେ ହେଉଥିବା ପ୍ରୟାସକୁ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ପ୍ରଶଂସା କରିଛନ୍ତି। ସେ ବୁଧବାର କହିଛନ୍ତି ଯେ, କରୋନାର ବ୍ୟାପକତାକୁ ରୋକିବା ଲାଗି ବିଭିନ୍ନ ସହରରେ ସବୁ କିଛି ବନ୍ଦ କରାଯାଉ ଓ ଅନ୍ୟ କଠୋର ପଦକ୍ଷେପ ନିଆଯାଉ। ସେ ଦାବି କରିଛନ୍ତି ଯେ, ସରକାର ଗରିବଙ୍କ ସହାୟତା ଲାଗି କିଛି ଘୋଷଣା କରନ୍ତୁ।
ଉଲ୍ଲେଖନୀୟ, କରୋନାର ମୁକାବିଲାରେ ଭାରତର ପ୍ରୟାସକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଦୁନିଆର ଅନେକ ଦେଶ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ନେତାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନାର ମୁକାବିଲା ଲାଗି ହେଉଥିବା ପ୍ରୟାସ ଉପରେ ଆଲୋଚନା କରିଥିଲେ।