ଲୋକସଭାରେ ସଂଶୋଧିତ ତିନି ତଲାକ୍ ବିଲ୍ ପାସ୍
28/12/2018 at 9:52 AM

ନୂଆଦିଲ୍ଲୀ ୨୮|୧୨: ଲୋକସଭାରେ ସଂଶୋଧିତ ତିନି ତଲାକ୍ ବିଲ୍ ପାସ୍। ବିରୋଧରେ ୧୧ଟି ଭୋଟ୍ ପଡିଥିବାବେଳେ ସପକ୍ଷରେ ୨୪୫ ଭୋଟ୍ ପଡିଥିଲା। ୪ଘଣ୍ଟା ଧରି ସାଂସଦ ମାନେ ବଳିଷ୍ଠ ଯୁକ୍ତି ରଖିବାପରେଲୋକସଭାରେ ବିଲ୍ ପାସ୍ ହୋଇଛି।

କଂଗ୍ରେସ ସମେତ କିଛି ବିରୋଧୀ ଦଳ ବିତର୍କରେ ଭାଗନନେଇ କକ୍ଷ୍ୟ ତ୍ୟାଗ କରିଥିଲେ। ସେପଟେ ସଂଶୋଧିତ ବିଲ୍ ସପକ୍ଷରେ ଯୁକ୍ତି ରଖି ଏହି ବିଲ୍ ମୁସଲମାନ ମହିଳାଙ୍କୁ ଅଧିକ ସଶକ୍ତ କରିବାରେ ସହାୟକ ହେବ ବୋଲି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

ମୁହଁରେ ତିନି ତଲାକ୍ ଉଚ୍ଚାରଣ କରି କାହାକୁ ଛାଡ଼ପତ୍ର ଦେବା ଆଇନ୍ ସଙ୍ଗତ ନୁହେଁ। ଏପରି କାର୍ଯ୍ୟ ଏକ ଦଣ୍ଡନୀୟ ଅପରାଧ ଏବଂ ଏପରି ପନ୍ଥା ଅବଲମ୍ବନ କରି ଛାଡ଼ପତ୍ର ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ଯାଏଁ ଜେଲ୍ ଦଣ୍ଡ ଭୋଗ କରିବାକୁ ପଡ଼ିବ। ବିଜେପିର ପକ୍ଷରୁ ରଖାଯାଇଥିବା ଏଭଳି ଯୁକ୍ତିକୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରିଛନ୍ତି। ଏହି ବଲ୍ ରେ ଅଧିକ ତଥ୍ୟ ଅଯୁକ୍ତିକ ଏବଂ ଅଣ ସାମ୍ବିଧାନିକ ବୋଲି କହିଛି ।

ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବା କୁ ଯାଇ ବିଲ୍ ରେ ବ୍ୟକ୍ତି ସ୍ବାଧୀନତା ଉପରେ ପ୍ରତିବନ୍ଧକ ବୋଲି କଂଗ୍ରେସ କହିଛି । କଂଗ୍ରେସ ସହିତ ଡିଏମକେ, ଏଆଇଏଡିଏମକେ ଏବଂ ଏସପି କକ୍ଷତ୍ୟାଗ କରିଥିଲେ। ସେହିପରି ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓୱେସି ଆଣିଥିବା ସଂଶୋଧନ ପ୍ରସ୍ତାବ କାଟ୍ ଖାଇ ଯାଇଛି। ପୂର୍ବରୁ ତିନି ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରୁଥିବା ଏହି ବିଧେୟକକୁ ଡିସେମ୍ବର ୧୭ରେ ସରକାର ଲୋକସଭାରେ ଉପସ୍ଥାପନ କରିଥିଲେ ।