ଆଜି ରାଜ୍ୟସଭାରେ ଆଗତ ହେବ ଟ୍ରିପଲ୍ ତଲାକ୍ ବିଲ୍

Published By : Prameya-News7 Bureau | July 30, 2019 IST

ନୂଆଦିଲ୍ଲୀ ୩୦|୭: ଲୋକସଭାରେ ତିନି ତିଲାକ ବିଲ୍ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଏହା ଆଗତ ହେବ । ଏହାକୁ ନେଇ ବିଜେପି ନିଜର ସାଂସଦମାନଙ୍କ ଲାଗି ହ୍ବିପ୍ ଜାରି କରିଛି । ରାଜ୍ୟସଭାରେ ତିନି ତଲାକ ବିଲ୍ କୁ ପାରିତ କରିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ । କାରଣ ରାଜ୍ୟସଭାରେ ବିଜେପି ପାଖରେ ବହୁମତ ନାହିଁ । ତେଣୁ ଅଣ ଏନଡିଏ, ଅଣ ୟୁପିଏ ଦଳଗୁଡ଼ିକର ସାଂସଦମାନଙ୍କ ଉପରେ ନିର୍ଭର କରିବ ।

ଲୋକସଭାରେ ବିଜେଡି, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ୱାଇଏସଆର କଂଗ୍ରେସ ସମର୍ଥନରେ ଗତ ସପ୍ତାହରେ ସୂଚନା ଅଧିକାର ବିଧେୟକ ପାରିତ କରିଥିଲା । ତେଣୁ ରାଜ୍ୟସଭାରେ ମଧ୍ୟ ବିଲକୁ ପାରିତ କରିବା ଲାଗି ବିଜେପି ଏହି ଦଳଗୁଡ଼ିକର ସମର୍ଥନ ଆଶା ରଖିଛି । ବର୍ତ୍ତମାନ ସମୟରେ ଏନଡିଏ ସରକାରଙ୍କ ସପକ୍ଷରେ ରାଜ୍ୟସଭାରେ ୧୨ ଜଣ ମନୋନିତ ସାଂସଦ ଏବଂ ନିର୍ଦଳୀୟ ସାଂସଦଙ୍କ ସହ ସମୁଦାୟ ୧୧୩ ଜଣ ସାଂସଦଙ୍କ ସମର୍ଥନ ରହିଛି । ଯଦି ବିଜେଡି ଏବଂ ଟିଆରଏସର ସଦସ୍ୟଙ୍କ ସମର୍ଥନ ମିଳେ ତେବେ ଗୃହରେ ସରକାର ବହୁମତର ସଂଖ୍ୟା ପାର କରି ପାରିବ ।

ଗତ ୨୫ ତାରିଖରେ ତିନି ତଲାକକୁ ଅପରାଧ ଭାବେ ବିବେଚନା କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏହି ବିଲ୍ ରେ ତିନି ତଲାକକୁ ବେଆଇନ ଦର୍ଶାଯିବା ସହିତ ୩ ବର୍ଷ ଜେଲଦଣ୍ଡ ଏବଂ ଜରିମାନାର ପ୍ରାବଧାନ ରହିଛି । ଏହି ବିଲ ଉପସ୍ଥାପନ ବେଳେ ସରକାର ଏବଂ ବିରୋଧୀ ପୁଣି ଥରେ ରାଜ୍ୟସଭାରେ ମୁହାଁମୁହିଁ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.