ହ୍ୱାଟ୍ସଆପ୍ରେ ପତି ଦେଲେ ଟ୍ରିପଲ୍ ତଲାକ୍, କୋର୍ଟ କହିଲେ- ନିଆଯାଉ କାର୍ଯ୍ୟାନୁଷ୍ଠାନ
8/01/2021 at 12:46 PM

ନୂଆଦିଲ୍ଲୀ ୦୮।୦୧: ହ୍ୱାଟ୍ସଆପ୍ରେ ଜଣେ ମୁସଲ୍ମାନ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ୍ ଦେବା ଘଟଣାକୁ ବିଚାର କରି ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଞ୍ଜାବ ପୋଲିସ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ଅନୁଯାୟୀ, ମହିଳା ଜଣକ ୨୦୧୧ ମସିହା ନଭେମ୍ୱର ମାସରେ ଅବ୍ଦୁଲ୍ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ମଧ୍ୟ ରହିଛନ୍ତି। ୨୦୨୦ ମସିହା ଜୁନ୍ ୨୦ ତାରିଖ ଦିନ ତାଙ୍କ ସ୍ୱାମୀ କୋର୍ଟ ଜରିଆରେ ତଲାକ୍,ତଲାକ୍,ତଲାକ୍ ବୋଲି ତିନୋଟି ମେସେଜ୍ କରିଥିଲେ। ତା ପରେ ନୂଆ ପତ୍ନୀ ଆଜିଲା ଖାତୁନଙ୍କ ଫଟୋ ମଧ୍ୟ ପଠାଇଥିଲେ।
ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୦, ମେ ୨୧ ତାରିଖରେ ଅବ୍ଦୁଲ୍ ତାଙ୍କର ନୂଆ ବିବାହ ପ୍ରମାଣ ପତ୍ର ଉକ୍ତ ମହିଳାଙ୍କ ପାଖକୁ ମଧ୍ୟ ପଠାଇଥିଲେ। ଏନେଇ ମହିଳା ଜଣକ ମୁସ୍ଲିମ୍ ମହିଳା ସୁରକ୍ଷା ଅଧିକାର ଆଇନ୍ ୨୦୧୯ ବଳରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ ଅବଦୁଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଯାହାଫଳରେ ଅବ୍ଦୁଲ୍ ଦ୍ୱିତୀୟ ବିବାହ କରିଥିଲା। ତେବେ ମହିଳାଙ୍କ ଅଭିଯୋଗ ପୋଲିସ୍ ନଶୁଣିବାରୁ ସେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ଏହାର ବିଚାର କରି ପୋଲିସ୍କୁ ଅବ୍ଦୁଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।