ଭାରି ଦୁଷ୍ଟ ଦଶମ ଶ୍ରେଣୀର ପ୍ରେମିକା: ପ୍ରଥମ ପ୍ରେମିକ ଦେଇଥିବା ଫୋନ୍ରେ ଚାଲିଥିଲା ଚୋରା ପୀରତି, ଦ୍ବିତୀୟ ପ୍ରେମ କରିଦେଲା ଅନ୍ଧ
18/12/2020 at 9:25 AM

ପୁରୀ୧୮/୧୨: ପ୍ରେମିକାକୁ ମୋବାଇଲ ଫୋନ୍ ଉପହାର ଦେଇଥିଲେ ପ୍ରେମିକ। କିନ୍ତୁ ସେହି ଫୋନ୍ରେ ଗୋଟେ ପରେ ଗୋଟେ ପ୍ରେମିକ ବାଛି ଚାଲିଥିଲେ ପ୍ରେମିକା। ସେହି ଉପହାର ମୋବାଇଲରେ ଦ୍ବିତୀୟ ପ୍ରେମିକକୁ ବାଛିଥିଲେ ପ୍ରେମିକା। ହେଲେ ଅଧ ରାତିରେ ଗୁମର ଖୋଲିଲା ଫୋନ୍ ରିଙ୍ଗ୍। ଶେଷରେ ଭୋର୍ରୁ ଘରୁ ଲୁଚି ଫେରାର୍ ବେଳେ ଷ୍ଟେସନ୍ରେ ଧରାପଡ଼ିଲା ନାବାଳିକା ପ୍ରେମିକ । ପୁରୀ ଜିଲ୍ଲାରେ ଏଭଳି ଘଟଣା ଘଟିଛି।
କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଥିଲା ନାବାଳିକା ପ୍ରେମିକାର ଘର। ସେ ଏବେ ମାଟ୍ରିକ୍ରେ ପଢୁଛି । ଦୀର୍ଘଦିନ ଧରି ନାବାଳିକା ସେହି ଅଞ୍ଚଳର ଜଣେ ଯୁବକକୁ ପ୍ରେମ କରୁଥିଲା। ଉଭୟ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିବାବେଳେ କିଛିଦିନ ତଳେ ପ୍ରେମିକ ଜଣକ ନାବାଳିକାକୁ ଏକ ମୋବାଇଲ୍ ଉପହାର ଦେଇଥିଲା। ହେଲେ ଉକ୍ତ ମୋବାଇଲ୍କୁ ଅତି ସାବଧାନତାର ସହ ବ୍ୟବହାର କରୁଥିଲା ନାବାଳିକା। କବାଟ କିଳି ପାଠ ପଢୁଥିବାବେଳେ ଆରମ୍ଭ ହେଉଥିଲା ମୋବାଇଲ୍ରେ ଖେଳ। ଏହାରି ମଧ୍ୟରେ ଫେସ୍ବୁକ୍ ଓ ହ୍ୱାଟ୍ସ ଆପ୍ ଚଳାଇ ନାବାଳିକା ବାଛିଥିଲା ନୂଆ ପ୍ରେମିକ।
ପ୍ରତିଦିନ ବିଳମ୍ବିତ ରାତିରେ ନୂଆ ପ୍ରେମିକ ସହ କଥା ହେଉଥିଲା ନାବାଳିକା। ମଙ୍ଗଳବାର ମଧ୍ୟରାତ୍ରି । କଲ୍ କରିଥିଲା ନୂଆ ପ୍ରେମିକ। ନାବାଳିକା ସାଇଲେଣ୍ଟ କିମ୍ବା ଭାଇବ୍ରେଟ୍ ମୋଡରେ ରଖିନଥିଲା ମୋବାଇଲ୍ । ତେଣୁ ହଠାତ୍ ବାଜି ଉଠିଥିଲା ମୋବାଇଲ୍ । ଶବ୍ଦ ଶୁଣି ନିଦରୁ ଉଠିଯାଇଥିଲେ ବାପାମାଆ । ଝିଅ ମୋବାଇଲ୍ ରଖିଥିବା ଜାଣିବା ପରେ ଏହା କିଏ ଦେଲା ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଗାଳି କରିବା ସହ ବାପାମାଆ ଦୁହେଁ ନାବାଳିକାକୁ ତାଗିଦ୍ କରିଥିଲେ । ହେଲେ ଏହି ତାଗିଦ୍କୁ ସହ୍ୟ କରିପାରିନଥିଲା ନାବାଳିକା।
ଦ୍ୱିତୀୟ ପ୍ରେମିକ ସହ କଥା ହୋଇ ଭୋର୍ରେ ଘର ଛାଡ଼ି ଫେରାର୍ ହୋଇଥିଲା ନାବାଳିକା । ପୁରୀ ଷ୍ଟେସନରୁ ଦିନ ୧୦ଟାରେ ନନ୍ଦନକାନନ ଏକ୍ସପ୍ରେସ୍ରେ ଭୁବନେଶ୍ୱର ଯାଇ ସେଠାରୁ କୋଣାର୍କ ଏକ୍ସପ୍ରେସ୍ରେ ମହାରାଷ୍ଟ୍ର ଚାଲିଯିବାକୁ ପ୍ରସ୍ତୁତ ଥିଲା ନାବାଳିକା । ଷ୍ଟେସନ୍ରେ ଟ୍ରେନ୍କୁ ଅପେକ୍ଷା କରିଥିବାବେଳେ ପରିବାର ଲୋକେ ଝିଅକୁ ଖୋଜି ଆର୍ପିଏଫ୍ ଟିମ୍କୁ ଫଟୋ ସହ ଅଭିଯୋଗ ଦେଇଥିଲେ ।
ବୁଧବାର ପୂର୍ବାହ୍ଣ ୮ଟାରେ ଷ୍ଟେସନ୍ରେ ଏକାକୀ ବୁଲୁଥିବା ନାବାଳିକାକୁ ଦେଖି ଆର୍ପିଏଫ୍ ଟିମ୍ ଅଟକାଇଥିଲେ । ପରେ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସିରେ ପହଞ୍ଚାଯାଇଥିଲା । ହେଲେ ସେଠାରେ ନାବାଳିକା ଜଣକ ନିଜ ଜିଦ୍ରେ ଅଟଳ ରହିବାରୁ ତାକୁ ଚାଇଲ୍ଡ ଲାଇନ୍ ଓପନ୍ ସେଲ୍ଟର୍ରେ ରଖାଯାଇଛି ।