ପ୍ରେମର ଭରସାରେ ସିନ୍ଦୁର ପର, ଏବେ ହେଲେନି କାହାର : ହାତ ଛାଡିଦେଲା ପ୍ରେମିକ, କବାଟ କିଳିଦେଲେ ଶାଶୁଘର , ୬ବର୍ଷ ଛୁଆର ମାଆ ଖୋଜୁଛି ରାହା…

Published By : Prameya-News7 Bureau | June 02, 2021 IST

କେନ୍ଦ୍ରାପଡ଼ା ୦୨।୦୬ : ପ୍ରେମକୁ ଭରସା ସିନ୍ଦୁରର ଛାଡିଥିଲା ହାତ । ହେଲେ ସେହି ପ୍ରେମ ଅଧବାଟରେ ଦେଇଦେଲା ଧୋକା । ୬ବର୍ଷର ବୈବାହିକ ଜୀବନକୁ ଛାଡି ୧୦ ମାସ ତଳର ପ୍ରେମିକ ସାଙ୍ଗେ ଛାଡିଥିଲେ ଗାଁ । ହେଲେ ଏବେ ନା ଏକୂଳର , ନା ସେକୂଳର । ପ୍ରେମିକ ହାତ ଛାଡିବା ପରେ ଏବେ କବାଟ କିଳିଦେଲେ ଶାଶୁଘର ଲୋକେ । ୬ବର୍ଷର ଛୁଆକୁ ଧରି ରାହା ଖୋଜୁଛି ମାଆ ।

ବିବାହିତ ହୋଇ ବି ପରକୀୟା ପ୍ରୀତିରେ ଲିପ୍ତ ଥିଲେ। ସ୍ୱାମୀ, ଶ୍ୱଶୁର ଓ ପରିବାର ଲୋକ ଜାଣିବା ପରେ ବଢ଼ିଥିଲା ବିରୋଧ । ଶେଷରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ୪ବର୍ଷର ଶିଶୁପୁତ୍ରକୁ ନେଇ ଫେରାର ହୋଇଯାଇଥିଲେ । ଏ ନେଇ ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ  ପୁଲିସ ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ହେପାଜତକୁ ନେଇଥିଲା । ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି ଓ ଏକାଠି ରହିବେ ବୋଲି ପୁଲିସକୁ କହିବା ପରେ ସେମାନଙ୍କୁ ପୁଲିସ ଛାଡ଼ି ଦେଇଥିଲା। ହେଲେ ମହିଳାଙ୍କୁ ରଖିବାର କିଛିଦିନ ପରେ ପ୍ରେମିକ ତାଙ୍କୁ ଛାଡ଼ି ଦେଇଥିଲା।

ଏପଟେ ସ୍ୱାମୀଙ୍କ ସହ ୬ ବର୍ଷର ସମ୍ପର୍କ ଭୁଲିଯାଇ ପ୍ରେମିକ ହାତ ଧରିଥିବାରୁ ଏବେ ସେ ପାଖରେ ରଖିବାକୁ ନାରାଜ । ପୀଡ଼ିତା ମହିଳା ଥାନା, ଗାଁ ୱାର୍ଡମେମ୍ବର, ସରପଞ୍ଚଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ମାର୍ଶାଘାଇ ଥାନା ଦରବଚ୍ଛା ଅଞ୍ଚଳର ଜଣେ ମହିଳା ଗତ କିଛି ମାସ ହେବ ପରକୀୟା ପ୍ରୀତିରେ ପଡ଼ିଥିଲେ । ମହିଳା ଓ ତାଙ୍କ ପ୍ରେମିକଙ୍କ ସମ୍ପର୍କକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଲା । ଏପିରିକି କଥା ମହିଳାଙ୍କ ସ୍ୱାମୀ ଓ ଶାଶୂଘର ଲୋକଙ୍କ କାନରେ ପଡ଼ିଲା । ସେମାନେ ଏ ସମ୍ପର୍କକୁ ବିରୋଧ କରିବା ସହ ପ୍ରେମିକଠାରୁ ଦୂରେଇ ରହିବାକୁ ଆକଟ କରିଥିଲେ,  ହେଲେ ସ୍ୱାମୀ, ଶାଶୂଘର ଲୋକଙ୍କ ଆକଟ, ତାଗିଦ ମାନିନଥିଲେ । ମହିଳା ଜଣଙ୍କ କିଛିଦିନ ତଳେ ତାଙ୍କ ୪ବର୍ଷର ପୁଅକୁ ନେଇ ଶାଶୂଘରୁ ପ୍ରେମିକ ସହ ପଳାଇ ଯାଇଥିଲେ । ପ୍ରେମିକଙ୍କ କହିବା ମୁତାବକ ସେ ପୁଅକୁ ସାଙ୍ଗରେ ନେଇଥିଲେ । ପୁଅକୁ ସାଙ୍ଗରେ ନେଲେ ସେ ତାଙ୍କୁ ଓ ତାଙ୍କ ପୁଅକୁ ରଖିବେ ବୋଲି ପ୍ରେମିକ ମନୋରଞ୍ଜନ ଦାସ ଓରଫ କୁମା କଥା ଦେଇଥିଲେ । ପରେ ସେମାନେ ଗୋପନରେ ବିବାହ କରିଥିଲେ ।

ମାର୍ଶାଘାଇ ଥାନାରେ ମହିଳାଙ୍କ ସ୍ୱାମୀ ଏତଲା ଦେବା ପରେ ପୁଲିସ ସେମାନଙ୍କୁ ଧରିଥିଲା । ତେବେ ସେମାନେ ପରସ୍ପରକୁ ଭଲ ପାଉଛନ୍ତି ଓ ଉଭୟ ଏକାଠି ରହିବାକୁ ଚାହୁଁଛନ୍ତି ବୋଲି ପୁଲିସ ଆଗରେ କହିବାରୁ ଏନେଇ ଲେଖାପଢ଼ା ହୋଇଥିଲା ଓ ସ୍ୱାମୀ ନିରାଶରେ ଘରକୁ ଫେରିଥିଲେ । ଆଉ ଏବେ ମନୋରଂଜନ ପୁଅକୁ ନେଇ ତାଙ୍କ ସ୍ୱାମୀଙ୍କ ପାଖରେ ଛାଡ଼ି ଆସିବାକୁ ବାଧ୍ୟ କରିଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପ୍ରେମିକଙ୍କ ମୁତାବକ, ମହିଳା ଜଣକ ଅନିଚ୍ଛା ସତ୍ତେ୍ୱ୍ୱ ୪ ବର୍ଷର ପୁଅକୁ ସ୍ୱାମୀଙ୍କ ଘର ଆଗରେ ନେଇ ଛାଡ଼ି ଆସିଥିଲେ । ଏହା ପରେ ସେ ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ ମଧ୍ୟ ସେ କେଉଁଆଡ଼େ ଫେରାର ହୋଇଯାଇଥିଲା । ଏବେ ମହିଳା ନ୍ୟାୟ ପାଇବା ଆଶାରେ ଥାନାରେ ଏତଲା ଦେବା ସହ ୱାର୍ଡମେମ୍ବର ଓ ସରପଞ୍ଚଙ୍କୁ ଜଣାଇଥିଲେ ବି କୌଣସି ସମାଧାନର ବାଟ ବାହାରି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.