ଇତିହାସରେ ପ୍ରଥମ, ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ଉଡ଼ିଲା ତ୍ରିରଙ୍ଗା

Published By : Prameya-News7 Bureau | January 26, 2022 IST

ଶ୍ରୀନଗର ୨୬/୦୧: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀନଗରର ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ଉଡିଲା ତ୍ରିରଙ୍ଗା । ଗଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ଦୁଇ ସମାଜସେବୀ ସାଜିଦ୍ ୟୁସୁଫ୍ ଏବଂ ସାହିଲ ୱସିର ଭଟ୍ଟ ଏହି ଐତିହାସିକ ସ୍ଥାନରେ ତ୍ରିରଙ୍ଗା ପତାକା ଉଡାଇଛନ୍ତି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ବହୁ ମହିଳା ଏବଂ ଶିଶୁ ଉପସ୍ଥିତ ରହିଥିଲେ। ଆତଙ୍କବାଦୀଙ୍କ ଧମକ ଯୋଗୁଁ ଲାଲ ଚୌକରେ ତ୍ରିରଙ୍ଗା ଉଡାଇବା ପାଇଁ ସ୍ଥାନୀୟ ଯୁବକ ପଛଘୁଞ୍ଚା ଦେଉଥିଲେ । କିନ୍ତୁ ଧାରା ୩୭୦ ଉଚ୍ଛେଦ ଏବଂ ଆତଙ୍କବାଦୀ ଗତିବିଧିରେ ହ୍ରାସ ପରେ ସ୍ଥାନୀୟ ଯୁବକ ଭାରତ ମାତା କି ଜୟ ନାରା ଦେବା ସହ ଲାଲ ଚୌକର ଘଣ୍ଟା ଘର ଉପରେ ତ୍ରିରଙ୍ଗା ଉଡାଇଛନ୍ତି ।

ପତାକା ଉତ୍ତୋଳନ କରିବା ସହ ସାଜିଦ ୟୁସୁଫ୍ ଶାହ କହିଛନ୍ତି, ‘ଏହାର ସମସ୍ତ ଶ୍ରେୟ ଧାରା ୩୭୦ ଉଚ୍ଛେଦ କରିଥିବା ସମସ୍ତ ଲୋକଙ୍କର । ଏହା ଆମକୁ ଲାଲ ଚୌକରେ ତ୍ରିରଙ୍ଗା ଉଡାଇବାର ସୁଯୋଗ ଦେଇଛି। ଇତିହାସରେ ପ୍ରଥମ। ଆମେ ଭାରତରେ ଥିବା ଅନୁଭବ କରୁଛୁ’।   

ପୂର୍ବରୁ ଏହି ଐତିହାସିକ ସ୍ଥାନ ଗଣତନ୍ତ୍ର ଦିବସରେ ପାକିସ୍ତାନ ପତାକାର ଉତ୍ତୋଳନ କିମ୍ୱା ଧାରା ୧୪୪ର ମୁଖସାକ୍ଷୀ ଥିଲା। ଏପରିକି ଧାରା ୩୭୦ର ଉଚ୍ଛେଦ ପରେ ବି ସମ୍ୱେଦନପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ ଏଠାରେ ତ୍ରିରଙ୍ଗା ଉଡାଇବାକୁ ଅନୁମତି ଦେଇ ନଥିଲା। କିନ୍ତୁ ଏହି ଦୁଇ ସମାଜସେବୀ ଏଠାରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.