ମହାନଦୀ ଜଳବିବାଦ ମାମଲା : ଓଡିଶାର ଆବେଦନ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି

Published By : Prameya-News7 Bureau | March 30, 2019 IST

ନୂଆଦିଲ୍ଲୀ ୩୦|୩ : ମହାନଦୀ ଜଳବିବାଦ ନେଇ ଓଡ଼ିଶାର ଆବେଦନ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଓଡିଶା-ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦକୁ ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଜଷ୍ଟିସ୍  ଏଏମ୍  ଖାନ୍ ୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି କରିବେ। ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଫେବ୍ରୁଆରି ୯ରେ ଶେଷ ହୋଇଥଲା । ଟ୍ରିବ୍ୟୁନାଲ ରାୟ ପ୍ରକାଶ କରିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଥିଲେ ।

ସେହିପରି ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଫେବ୍ରୁଆରୀ ୨୫ ଓ ମାର୍ଚ୍ଚ ୫ରେ ଅନୁଷ୍ଠିତ ହୋଇଥିଲା । ହେଲେ ଆଲୋଚନା ବିଫଳ ହେବ ପରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟର ଆଡଭୋକେଟ୍ ଜେନେରାଲ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଚଳିତ ମାସ ୧୬ରେ ଏଜି ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର କୌଣସି ସମାଧାନ ହୋଇପାରିନଥିଲା ।

ଅଣମୌସୁମୀ ଋତୁରେ ୧.୭୨ଏକର ନିୟୁତ ଫୁଟ ଜଳ ପ୍ରଦାନ କରିବା ପାଇଁ ଓଡିଶାର ଦାବିକୁ ଛତିଶଗଡ଼ ଗ୍ରହଣ କରିନଥିଲା । ଓଡିଶାର ବଳିଷ୍ଠ ଯୁକ୍ତିକୁ ଛତିଶଗଡ଼ ଅଗ୍ରାହ୍ୟ କରିଦେଇଥିବା ବିଷୟ ଟ୍ରିବ୍ୟୁନାଲକୁ ଅବଗତ କରାଯିବ ବୋଲି ଜଣାପଡ଼ିଛି । ଅଣମୌସୁମୀ ଋତୁରେ ଓଡିଶାକୁ ପ୍ରବାହିତ ହେଉଥିବା ଜଳ ଉଦବେଗଜନକ ଭାବେ ହ୍ରାସ ପାଉଥିବା ବିଷୟ ମଧ୍ୟ ଅବଗତ କରାଯିବ । ମହାନଦୀର ଉପର ମୁଣ୍ଡ ଏବଂ ଛତିଶଗଡର ବିଭିନ୍ନ ବନ୍ଧ ଓ ବ୍ୟାରେଜରୁ ତଥ୍ୟ ସଂଗ୍ରହ କରାଯାଇଛି ଯାହା ଓଡ଼ିଶା ସପକ୍ଷରେ ନିର୍ଣ୍ଣାୟକ ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.