ଆଦିତ୍ୟ ବିର୍ଲା ଗ୍ରୁପର ଅଧିକାରୀ ଘର କାମ କରିବା ପାଇଁ ରାୟଗଡାରୁ ଆଣିଥିବା ଦଳିତ ଯୁବକଙ୍କ ପତ୍ତା ମିଳୁନି ୧୦ ବର୍ଷ ହେଲା : ଚୁପ୍ ବସିଛି ପୋଲିସ, ତେଜିଲାଣି ଆଦିବାସୀ ଆନ୍ଦୋଳନ

Published By : Prameya-News7 Bureau | December 26, 2018 IST

ଭୁବନେଶ୍ବର ୨୬|୧୨: ୧୦ ବର୍ଷ ହେଲା ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା, ମା । ହେଲେ ପୁଅ ଫେରୁନି କି ତାହାର କିଛି ଖୋଜ୍ ଖବର ମିଳୁନି । ରାୟଗଡ଼ାର ଜଣେ ଦଳିତ ଯୁବକଙ୍କ ନିଖୋଜ ହେବା ଓ ଏହା ପଛରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତିର ଅଭିଯୋଗ ଉଠିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ବାରମ୍ବାର ଅଭିଯୋଗ ପରେ ବି ପୋଲିସ ଯୁବକଙ୍କ କୌଣସି ସୁରାଗ୍ ନ ପାଇବା ଅନେକ ପ୍ରଶ୍ନ ତିଆରି କରିଛି ।

{"id":67496}

୧୦ ବର୍ଷ ହେଲା ଦଳିତ ଯୁବକ ସୁରେନ୍ଦ୍ର ନାଏକ ନିଖୋଜ । କିଏ ସେହି ସୁରେନ୍ଦ୍ର ନାଏକ, କାହିଁକି ମିଳୁନି ତାଙ୍କର ପତ୍ତା? ଆଉ ତାଙ୍କ ନିଖୋଜ ସହ କଣ ରହିଛି ଆଦିତ୍ୟ ବିର୍ଲା ଗ୍ରୁପର ଓଡ଼ିଶା ଶାଖାର ଯୁଗ୍ମ ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ରଙ୍କ ସଂପର୍କ? ପୂରା ଘଟଣାର ଅନୁସଂଧାନରୁ ସାମ୍ନାକୁ ଆସିଛି ହାଇପ୍ରୋଫାଇଲ୍ ବିବାଦ । ଅଭିଯୋଗ ଅନୁସାରେ,  ସୁରେନ୍ଦ୍ର ହେଉଛନ୍ତି ରାୟଗଡ଼ା କାଶୀପୁରର ପାଇକକୁପାଖାଲ ଗାଁର ପଦୁରାମ ନାଏକଙ୍କ ପୁଅ ।  ୨୦୦୬ରେ ରାୟଗଡ଼ାରେ କାମ କରିବା ବେଳେ ଅର୍ଦ୍ଧେନ୍ଦୁ ମହାପାତ୍ର ୧୫ ବର୍ଷୀୟ ସୁରେନ୍ଦ୍ରଙ୍କୁ ତାଙ୍କ ଘର କାମରେ ନିୟୋଜିତ କରିଥିଲେ । ପରେ ୨୦୦୮ରେ ତାଙ୍କର ଭୁବନେଶ୍ୱରକୁ ବଦଳି ହେବା ସହ ସାଥୀରେ ନେଇ ଆସିଥିଲେ ସୁରେନ୍ଦ୍ରଙ୍କୁ । ହେଲେ ଏହାପରଠାରୁ ମିଳୁ ନାହିଁ ସୁରେନ୍ଦ୍ରଙ୍କ ପତ୍ତା । ପରିବାର ଲୋକେ ଗଲା ୧୦ ବର୍ଷ ହେଲା ସୁରେନ୍ଦ୍ରଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । କାଶୀପୁର ଥାନାରେ ଏଫଆଇଆର୍ ପରେ ଏଫଆଇଆର ଦେଇଛନ୍ତି । ହେଲେ ସୁଫଳ ମିଳୁନି । ସେପଟେ ଅର୍ଦ୍ଧେନ୍ଦୁଙ୍କ ସହ ଯୋଗାଯୋଗ  କରିବାକୁ ଚେଷ୍ଟା କରି ବି ବପା, ମାଆ ପାଇ ନାହାନ୍ତି ପୁଅର ଠିକଣା ।

{"id":67497,"align":"center"}

ଏଭଳି ଚିନ୍ତାଜନକ ସ୍ଥିତି ଦେଖି ଗତ ଶୁକ୍ରବାର ରାସ୍ତାକୁ ଓହ୍ଲାଇଥିଲା ଆଦିବାସୀ ସମାଜ ସେବା ସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଓ ଜିଲ୍ଲା କଂଗ୍ରେସର ଆଦିବାସୀ ସେଲ୍ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସହ ତୁରନ୍ତ ସୁରେନ୍ଦ୍ରଙ୍କୁ ଖୋଜ୍ ଖବର ନେବାକୁ ଦାବି ହୋଇଛି । ସେପଟେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି କହି ହାତ ଝାଡ଼ି ଦେଇଛନ୍ତି ଅତିରିକ୍ତ ଏସପି । ଅନ୍ୟପକ୍ଷରେ, ଏ ନେଇ ଅର୍ଦ୍ଧେନ୍ଦୁ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲା ନ୍ୟୁଜ୭ । ସେ କିନ୍ତୁ ସୁରେନ୍ଦ୍ରଙ୍କୁ ଆଦୌ ଜାଣି ନ ଥିବା କହିଛନ୍ତି । ତେବେ ରାୟଗଡାରେ ୨ ବର୍ଷ ଓ ପରେ ଭୁବନେଶ୍ୱରକୁ ସୁରେନ୍ଦ୍ରଙ୍କୁ ସାଥୀରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ, ତାଙ୍କର ଏଭଳି ବୟାନ ଅନେକ ପ୍ରଶ୍ନ ତିଆରି କରିଛି ।

{"id":67498}

ଜଣେ ଦଳିତ ଯୁବକ ଗଲା ୧୦ ବର୍ଷ ହେଲା ନିଖୋଜ । ମିଳୁନି ଖୋଜ୍ ଖବର । ଘଟଣାରେ ଆସୁଛି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତିର ଅଭିଯୋଗ । ଆଉ ପୋଲିସର ତଦନ୍ତ ଖାଲି କଥାରେ ସୀମିତ । ଏ ସବୁ ଭିତରେ ଏବେ ବି ସବୁଠାରୁ ବଡ଼ ପ୍ରଶ୍ନ କେଉଁଠି ଅଛି ସୁରେନ୍ଦ୍ର?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.