Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧାର ଟଙ୍କା ସୁଝି ନ ପାରିବାରୁ ଆଦିବାସୀ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ: ମୃତକଙ୍କ ପରିବାରକୁ ସାଢେ ୮ ଲକ୍ଷ ଟଙ୍କା ସହାୟତା ଘୋଷଣା

9/11/2020 at 2:39 PM

ଗୁନା ୦୯/୧୧ : ମଧ୍ୟ ପ୍ରଦେଶ ଗୁନା ଜିଲ୍ଲାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଵମୋରୀ ଥାନା ଅନ୍ତର୍ଗତ ଉକାବନ୍ଦ ଗାଁରେ ଧାର ଟଙ୍କା ନ ସୁଝିବାରୁ ଜଣେ ୨୮ ବର୍ଷୀୟ ଆଦିବାସୀ ଯୁବକଙ୍କୁ ଜୀବନ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଅପରପକ୍ଷରେ କଂଗ୍ରେସ ଦାବି କରିଛି ଯେ ଆଦିବାସୀ ଯୁବକ ବିଜୟ ସହରିୟା ଶ୍ରମିକ ଥିଲେ ଏବଂ ୫ ହଜାର ଟଙ୍କା ଧାର ନ ସୁଝିପାରିବାରୁ ଗୁଣ୍ଡାମାନେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଘଟଣାର ତଦନ୍ତ ହେବ ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିବ।

ଗୁନା ଜିଲ୍ଲା ପୋଲିସ ଅଧିକ୍ଷକ ରାଜେଶ କୁମାର ସିଂହ ରବିବାର ଦିନ କହିଛନ୍ତି ଯେ ଧାର ଟଙ୍କା ନ ସୁଝିବାରୁ ଶୁକ୍ରବାର ରାତିରେ ଉକାବନ୍ଦ ଗାଁର ବିଜୟଙ୍କ ଉପରେ କିରୋସିନ ଢାଳି ଜୀବନ୍ତ ନିଆଁ ଲଗାଇ ଦେଇଥିଲେ। ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଅଭିଯୁକ୍ତ ରାଧେଶ୍ୟାମ ଲୋଧା ବିରୋଧରେ ଆଇପିସି ଧାରା ୩୦୨ ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତ ମଧ୍ୟ ସେହି ଗାଁର ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଗୁନା ଜିଲ୍ଲାରେ ଘଟିଥିବା ଏହି କାଣ୍ଡରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଅତ୍ୟନ୍ତ ବିଭତ୍ସ ଓ ହୃଦୟ ବିଦାରକ। ସେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ପୀଡିତ ପରିବାରକୁ ସାକ୍ଷାତ କରିବାକୁ ସୋମବାର ଦିନ ତାଙ୍କ ଗାଁକୁ ଯିବେ ବୋଲି ସେ କହିଛନ୍ତି। ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅପରପକ୍ଷରେ ମଧ୍ୟ ପ୍ରଦେଶ କଂଗ୍ରେସର ମିଡ଼ିଆ ପ୍ରଭାରୀ ନରେନ୍ଦ୍ର ସାଲୁଜା କହିଛନ୍ତି ଯେ, ଗାଁର ଆଦିବାସୀ ଯୁବକ ବିଜୟଙ୍କୁ ମାତ୍ର ୫ ହଜାର ଟଙ୍କା ନ ସୁଝିପାରିବାରୁ ଗତ ୩ ବର୍ଷ ହେଲା ଶ୍ରମିକ ରଖିବା ପରେ ନିଆଁ ଲଗାଇ ଜିଅନ୍ତା ପୋଡି ଦିଆଯାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ କହିଛନ୍ତି। ପୀଡିତ ପରିବାରକୁ ଆର୍ଥିକ ସହାୟତା କରାଯିବା ଉଚିତ ଏବଂ ଭବିଷ୍ୟତରେ ଏହିଭଳି ଘଟଣାର ପୁନରାବୃତି ଯେପରି ନ ହେଉ ସେଥିପାଇଁ କଡା ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି।

ଗୁନା ଜିଲ୍ଲା ଅଧିକାରୀ କୁମାର ପୁରୁଷୋତ୍ତମ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ୮.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ପ୍ରଶାସନ ମୃତକଙ୍କ ଶିଶୁଙ୍କ ଶିକ୍ଷା ବ୍ୟବସ୍ଥା ମଧ୍ୟ କରିବ ବୋଲି ସେ କହିଛନ୍ତି।

   Related Posts