Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପୁରୀ ଲୋକସଭା : ଦୁଇ ନୂଆ ମୁହଁ ବନାମ ଅଭିଜ୍ଞ

29/03/2019 at 4:32 PM

ପୁରୀ ୨୯|୩ :  ପାଖେଇ ଆସୁଛି ନିର୍ବାଚନ । ପୁରୀ ଲୋକସଭା ଆସନରେ କାହାର ହେବ ଜିତାପଟ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି । କିଏ ହାତେଇବ ପୁରୀ ଲୋକସଭା ଆସନ ତାକୁ ନେଇ ଏବେ ଚର୍ଚ୍ଚା । ପୁରୀ ଲୋକସଭା ଆସନରେ ବିଜେଡି ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେହିପରି ଆଜି କଂଗ୍ରେସ ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି । ଫଳରେ ପୁରୀ ଆସନର ଚିତ୍ର ସ୍ପଷ୍ଟ ହୋଇଛି । ୩ ପ୍ରମୁଖ ଦଳର ନେତା ଏବେ ମୁହାଁମୁହିଁ ହେବେ । ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପୁରୀ ସହିତ ସମ୍ବିତ ପାତ୍ରଙ୍କର କୌଣସି ପୁରୁଣା ସଂପର୍କ ନାହିଁ । ସେଠାରେ ତାଙ୍କର କୌଣସି ବ୍ୟକ୍ତିଗତ ସଂଗଠନ ମଧ୍ୟ ନାହିଁ । ତଥାପି ମୋଦି ହାଓ୍ବାକୁ ପାଥେକ କରି ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସମ୍ବିତ ପାତ୍ର ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅଛନ୍ତି । ବିଭିନ୍ନ ଗଣମାଧ୍ୟମ ତଥା ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରତ୍ୟେକ ଦିନ ଅନୁଷ୍ଠିତ ହେଉଥିବା ବିତର୍କରେ ଭାଗନେଇ ସମ୍ବିତ ନିଜ ଦଳର ପକ୍ଷ ଉପସ୍ଥାପନ କରିଥାନ୍ତି । ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ଦେଖାଯାଉଥିବାରୁ ସେ ଘରେ ଘରେ ପରିଚିତ । ଏହା ହିଁ ହେଉଛି ସମ୍ବିତଙ୍କ ପାଇଁ ପୁରୀରେ ମୁଖ୍ୟ ରାଜନୈତିକ ପୁଞ୍ଜି ।

ଅନ୍ୟପକ୍ଷରେ ପୁରୀରେ ବିଜେପିର ସାଙ୍ଗଠନିକ ସ୍ଥିତକୁ ଅନୁଧ୍ୟାନ କଲେ ଏହା ବିଜେଡ଼ି ଓ କଂଗ୍ରେସଠାରୁ ପଛରେ ବୋଲି କୁହାଯାଇପାରେ । ପୁରୀ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନଗୁଡିକୁ ଦେଖିଲେ କେବଳ ଚିଲିକା ଆସନକୁ ଛାଡିଦେଲେ ଅନ୍ୟ ୬ଟି ବିଧାନସଭା ଆସନରେ ବିଜେଡିର ବିଧାୟକ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୁରୀ ଲୋକସଭା ଅଧିନରେ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ରଣପୁର, ନୟାଗଡ ଓ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି ।

ନିର୍ବାଚନକୁ ଆଉ ମାତ୍ର ୨୦ଦିନ ସମୟ ଥିବାବେଳେ ନୂଆ ପ୍ରାର୍ଥୀଙ୍କ ପାଇଁ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ମଣ୍ଡଳୀର ପ୍ରମୁଖ ଅଞ୍ଚଳକୁ ବୁଲିବା ମଧ୍ୟ ସମ୍ଭବ ନୁହେଁ । ଏ କ୍ଷେତ୍ରରେ ଦେଖିବାକୁ ଗଲେ ପୁରୁଣା ପ୍ରାର୍ଥୀଙ୍କ ପାଇଁ ସ୍ଥିତି ସାମନ୍ୟ ଅନୁକୂଳ ରହିବ । ପୁରୀ ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇଥିବା ବିଜେପିର ସମ୍ବିତ ପାତ୍ର ଏବଂ କଂଗ୍ରେସର ସତ୍ୟପ୍ରକାଶ ନାୟକ ଉଭୟ ଭୋଟ୍ ରାଜନୀତିରେ ସଂପୂର୍ଣ୍ଣ ନୂଆ ହୋଇଥିବାବେଳେ ପୁରୀ ପାଇଁ ମଧ୍ୟ ବାହାରିଆ ଲୋକ । ଏଠାରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଗତ ଦୁଇ ଥର ହେବା ଲଗାତର ସାଂସଦ ଭାବେ ବିଜୟୀ ହୋଇଆସୁଛନ୍ତି ।

ଏହା ବ୍ୟତୀତ ୧୯୯୬ ମସିହାରେ ମଧ୍ୟ ସେ କଂଗ୍ରେସ ସାଂସଦ ଥିଲେ । ପୁରୀର ପ୍ରଥମ ସାଂସଦ ଲୋକନାଥ ମିଶ୍ରଙ୍କ ଦାୟଦ ଭାବରେ ମଧ୍ୟ ପିନାକୀ ଅନୁକୂଳ ସ୍ଥିତିରେ ରହିଛନ୍ତି । ତେବେ ପିନାକୀଙ୍କ ପାଇଁ ଅଡୁଆ ହୋଇଛି ଆଣ୍ଟି ଇନକମ୍ବେନ୍ସି ଏବଂ ପୁରୀ ବିଧାୟକ ମହେଶ୍ବର ମହାନ୍ତିଙ୍କ ସ୍ଥିତି । ଲଗାତର ଦୁଇ ଥର ସାଂସଦ ହୋଇଥିବା ପିନାକୀଙ୍କୁ ଏଥର ବିକାଶ ପ୍ରସଙ୍ଗରେ ଭୋଟରଙ୍କ କଡା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିବ । ସେହିଭଳି ଜଗନ୍ନାଥ ମନ୍ଦିର, ସେବାୟତ, ସୁରକ୍ଷା, ପରିଚାଳନା ଆଦି କ୍ଷେତ୍ରରେ ଗତ ୫ବର୍ଷ ଧରି ଯେଉଁ ହଟଚମଟ ଚାଲିଛି ତାର ମଧ୍ୟ ପିନାକୀ ଉତ୍ତର ରଖିବେ ।

କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକଙ୍କ କଥା ଯଦି ବିଚାରକୁ ନିଆଯାଏ ତେବେ mେ ସମସ୍ତଙ୍କଠାରୁ ରାଜନୀତିରେ କନିଷ୍ଠ ଏଥିରେ ଦ୍ବିମତ ନାହିଁ । ସାମ୍ବାଦିକତାରୁ ରାଜନୀତି ମଇଦାନକୁ ଲମ୍ଫ ମାରିଥିବା ସତ୍ୟ ପ୍ରକାଶ ନାୟକ ପ୍ରକୃତରେ ତାଙ୍କ ନିଜ ଜିଲ୍ଲା ଭଦ୍ରକର ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଆଶାୟୀ ଥିଲେ । କିନ୍ତୁ ତାଙ୍କୁ ଦଳ ପୁରୀ ଲୋକସଭାରୁ ପ୍ରାର୍ଥୀ କରିଛି । ଏତେ କମ୍ ଦିନ ଭିତରେ ପୁରୀ ଭଳି ଗୋଟିଏ ଭୌଗୋଳିକ ଦୃଷ୍ଟିରୁ ବ୍ୟାପକ ନିର୍ବାଚନ ମଣ୍ଡଳୀକୁ କିଭଳି ବୁଲି ପ୍ରଚାର କରିବେ ତାହା ତାଙ୍କ ପାଇଁ ନିଶ୍ଚୟ ଚ୍ୟାଲେଞ୍ଜ ହେବ ।

ଅନ୍ୟ ପକ୍ଷରେ ବିଜେପି ଭଳି କଂଗ୍ରେସର ସଂଗଠନ ମଧ୍ୟ ପୁରୀ ଲୋକସଭା ଆସନରେ ଅସଜଡା ହୋଇ ପଡିଛି । କେବଳ ବ୍ରହ୍ମଗିରି ଆସନକୁ ଛାଡିଦେଲେ ଅନ୍ୟ ସବୁଠି ସ୍ଥିତି ଏତେ ଅନୁକୂଳ ନୁହେଁ । ବ୍ରହ୍ମଗିରି ବିଧାନସଭା ଆସନରେ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟଧର ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟଧର ମହାପାତ୍ର ବିଜେପିରେ ଯୋଗଦେଇ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତେଣୁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଲଲାଟେନ୍ଦୁ ବିଦ୍ୟାଧର ମାହାପାତ୍ରଙ୍କ କଂଗ୍ରେସ ସଂଗଠନ ଏବେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁଙ୍କୁ ସମର୍ଥନ କରିବ ନା କଂଗ୍ରେସକୁ ସମର୍ଥନ କରିବ ସେନେଇ ମଧ୍ୟ ଦ୍ବନ୍ଦ୍ବ ରହିଛି । ଦୁର୍ନୀତି ବିରୋଧୀ ନାରା ଏବଂ ସ୍ବଚ୍ଛ ଭାବମୂର୍ତ୍ତୀ କଥା କହୁଥିବା ସତ୍ୟ ନାୟକଙ୍କ ପାଇଁ ପୁରୀ ଲୋକସଭା ଆସନ କେମିତି ପ୍ରତିକ୍ରିୟା ଦେବ ତାହା ସମୟ ହିଁ କହିବ ।

ପୁରୀ ଲୋକସଭା ଆସନର ରାଜନୈତିକ ଇତିହାସ ଉପରେ ଆସନ୍ତୁ ପକାଇବା ଏକ ନଜର :

୧୯୫୨- ଲୋକନାଥ ମିଶ୍ର (ଆଇଏନସି)

୧୯୫୭- ଚିନ୍ତାମଣି ପାଣିଗ୍ରାହୀ (କଂଗ୍ରେସ)

୧୯୬୨- ବି. ମିଶ୍ର (ଆଇଏନସି)

୧୯୬୭- ରବି ରାୟ (ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି)

୧୯୭୧- ବନମାଳୀ ପଟ୍ଟନାୟକ (ଆଇଏନସି)

୧୯୭୭- ପଦ୍ମଚରଣ ସାମନ୍ତସିଂହାର (ଜନତା ପାର୍ଟି)

୧୯୮୦- ବ୍ରଜମୋହନ ମହାନ୍ତି (କଂଗ୍ରେସ-ଆଇ)

୧୯୮୪- ବ୍ରଜମୋହନ ମହାନ୍ତି (ଆଇଏନସି)

୧୯୮୯- ନୀଳମଣି ରାଉତରାୟ (ଜନତା ଦଳ)

୧୯୯୧- ବ୍ରଜ କିଶୋର ତ୍ରିପାଠୀ (ଜନତା ଦଳ)

୧୯୯୬- ପିନାକୀ ମିଶ୍ର (ଆଇଏନସି)

୧୯୯୮- ବ୍ରଜ କିଶୋର ତ୍ରିପାଠୀ (ବିଜୁ ଜନତା ଦଳ)

୧୯୯୯- ବ୍ରଜ କିଶୋର ତ୍ରିପାଠୀ (ବିଜୁ ଜନତା ଦଳ)

୨୦୦୪- ବ୍ରଜ କିଶୋର ତ୍ରିପାଠୀ (ବିଜୁ ଜନତା ଦଳ)

୨୦୦୯- ପିନାକୀ ମିଶ୍ର (ବିଜୁ ଜନତା ଦଳ)

୨୦୧୪- ପିନାକୀ ମିଶ୍ର (ବିଜୁ ଜନତା ଦଳ)

   Related Posts