ଆଲବମ ଅଭିନେତ୍ରୀ ସିମରନ ମୃତ୍ୟୁ ପଛରେ ତ୍ରୀକୋଣୀୟ ପ୍ରେମକାହାଣୀ !
5/01/2019 at 11:56 AM

ଝାରସୁଗୁଡା ୫/୧ : ସିମରନ ମୃତ୍ୟୁ ରହସ୍ୟ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି |ସିମରନ ମୃତ୍ୟୁ ପରେ ମିଳିଥିବା ବିଭିନ୍ନ ତଥ୍ୟକୁ ବିଚାରକୁ ନେଲେ ତ୍ରୀକୋଣୀୟ ପ୍ରେମ କାହାଣୀର ଏହା କରୁଣା ପରିଣୀଟି ଭଳି ମନେ ହେଉଛି | ପୋଲିସ ମଧ୍ୟ ଏହି ଦିଗରେ ତଦନ୍ତ ଚଳାଇଥିବା ଜଣାପଡିଛି |
ସିମରନ ମୃତ୍ୟୁ ପଛରେ ତ୍ରୀକୋଣୀୟ ପ୍ରେମ କାହାଣୀ ରହିଥିବା ସନ୍ଦେହ ଏଥିପାଇଁ ସୃଷ୍ଟି ହେଉଛି ଯେ, ସିମରନ ମରିବା ପୂର୍ବରୁ ଯେଉଁ ଭଏସ ରେକର୍ଡ କରିଥିଲେ ତାହା ସେ କାହା ପାଖକୁ ପଠାଇଥିଲେ | ଏହି ଭଏସ ରେକର୍ଡ ସେ ଧ୍ରୁବରାଜ ପାଖକୁ ପଠାଇନଥିଲେ | ସିମରନଙ୍କ ମା’ଙ୍କ କହିବା ଅନୁସାରେ ଭଏସ ରେକର୍ଡ ସେ ଜଗମୋହନ ନାମକ ଆଉ ଜଣେ ଯୁବକଙ୍କୁ ପଠାଇଥିଲେ | ସିମରନଙ୍କ ମା’ଙ୍କ କହିବା ଅନୁସାରେ ଜଗମୋହନ ହେଉଛନ୍ତି ସିମରନଙ୍କ ବନ୍ଧୁ |

ସେହିଭଳି ସିମରନ ଓ ଧ୍ରୁବରାଜଙ୍କ ଟେଲିଫୋନ କଥୋପକଥନରୁ ମଧ୍ୟ କେହି ତୃତୀୟ ବ୍ୟକ୍ତି ଏହି ସମଗ୍ର ଘଟଣା ମଧ୍ୟରେ ରହିଥିବା ମଧ୍ୟ ସନ୍ଦେହ ହେଉଛି | କାରଣ ଏହି କଥୋପକଥନର ଗୋଟିଏ ସ୍ଥାନରେ ଧ୍ରୁବରାଜ ଅତି କଦର୍ଯ୍ୟ ଭାବେ ସିମରାନଙ୍କୁ କହିଛି ଯେ, “ଗତକାଲି କାହା ସହ ଥିଲୁ “
ତ୍ରୀକୋଣୀୟ ପ୍ରେମ କାହାଣୀ ଆଶଙ୍କାର ତୃତୀୟ ବିନ୍ଦୁଟି ହେଲା – ଧ୍ରୁବରାଜର ବାହାଘର ଅନ୍ୟ କୌଣସି ଝିଅ ସହ ହେବାର ଥିଲା | ଯାହାଫଳରେ ସିମରନ ପ୍ରତିକ୍ରିୟାଶୀଳ ହେବାସହ ଭାବପ୍ରବଣ ହୋଇ ନିଜେ ହାତରେ ଧ୍ରୁବରାଜର ନାଁର ‘ଟାଟୁ’ କରିଥିବା କହିଥିଲେ |

ସିମରନ ଓ ଧ୍ରୁବରାଜର ରହିଥିବା ବିଭିନ୍ନ ଫଟୋ ଓ ଭିଡିଓ ମଧ୍ୟରୁ ଗୋଟିଏ ଭିଡିଓରେ ଦେଖାଯାଉଛି ଯେ, ସିମରନ ମୁଣ୍ଡରେ ସିନ୍ଦୁର ପିନ୍ଧିଛନ୍ତି | ଅର୍ଥାତ ସିମରନ ଧ୍ରୁବକୁ ବିବାହ କରିସାରିଥିଲେ | ଯଦି ସିମରନଙ୍କୁ ଧ୍ରୁବ ବିବାହ କରିଥିଲେ | ତାହେଲେ ପୁଣି କାହିଁକି ଧ୍ରୁବ ଅନ୍ୟତ୍ର ବିବାହ କରିବାକୁ ବାହାରିଥିଲେ |
ଗତକଲି ବେଲପଡା ପୋଲିସ ଧ୍ରୁବରାଜକୁ ଅଟକାଇ ରଖି ପଚରାଉଚୁରା କରିଥିବାବେଳେ ଆଜି ଝାରସୁଗୁଡା ପୋଲିସ ଧ୍ରୁବରାଜକୁ ଝାରସୁଗୁଡା ଆଣିବ |

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ବୁର୍ଲା ପାୱାର ଚାନେଲ ବ୍ରିଜ ତଳୁ ସିମରନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ହୀରାକୁଦ ପୋଲିସ ଉଦ୍ଧାର କରିଥିଲା | ତା’ପରେ ସିମରନ ଜଣେ ଆଲବମ ଅଭିନେତ୍ରୀ ବୋଲି ଜଣାପଡିଥିଲା | ସିମରନଙ୍କ ଫୋନ ଜବତ ହେବାପରେ ବିଭିନ୍ନ ଗୁମର ଖୋଲିବାରେ ଲାଗିଛି | ସିମରନଙ୍କ ନିଜ ଘର ଝାରସୁଗୁଡା ନିକଟସ୍ଥ ଭୂଲିୟାଟିକ୍ରାରେ | ତାଙ୍କୁ ବୟସ ମାତ୍ର ୧୭ ବର୍ଷ ହୋଇଥିଲା |