Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶ୍ମୀରରେ ଆତଙ୍କବାଦର ନୂଆ ଚେହେରା ‘TRF ’, ଭାରତ ବିରୋଧରେ ପାକିସ୍ତାନର ପୁଣି ଏକ ଅସ୍ତ୍ର

30/04/2020 at 2:21 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଏକ ନୂଆ ଆତଙ୍କବାଦ ସଙ୍ଗଠନ ଗଢିଉଠିଥିବାର ସୂଚନା ମିଳୁଛି। ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଚ’ (ଟିଆରଏଫ) ନାମରେ ଗଠିତ  ଏହି ନୂଆ ଆତଙ୍କୀ ଗୋଷ୍ଠୀ ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ବ୍ରାଣ୍ଡିଂ କରିବାକୁ ଉଦ୍ୟମ ଆରମ୍ଭ କରିଛି। ତେବେ ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ଙ୍କ କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରିବା ଏହି ଆତଙ୍କବାଦ ଗୋଷ୍ଠୀ ଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଥିବା ବେଳେ ଏବେ ଆଉ ଧାର୍ମିକ ଲଢେଇ ଲଢିବନି ବୋଲି ଜଣାପଡିଛି। 

ମିଳୁଥିବା ରିପୋର୍ଟରୁ କାଶ୍ମୀରରେ ଏବେ ସକ୍ରିୟ ଆତଙ୍କବାଦ ଗୋଷ୍ଠୀଙ୍କର ଏକ ସମ୍ମିଳିତ ଚେହେରା ହେଉଛି ଟିଆରଏଫ। ଯେଉଁଥିରେ ଏବେ ହିଜବୁଲ ମୁଜାହିଦ୍ଦିନ, ଜୈସ-ଏ-ମହମ୍ମଦ, ଲସ୍କର ଓ ଅଲ-ବଦ୍ର ଆଦି ସଙ୍ଗଠନର କାର୍ଯ୍ୟରତ ଆତଙ୍କୀଙ୍କୁ ସାମିଲ କରାଯାଇଛି।  ସଙ୍ଗଠନ ଆତଙ୍କୀଙ୍କୁ ଏବେ ନୂଆ ଚେହେରାରେ ପେସ୍ କରିବାକୁ ଅତ୍ୟାଧୁନି ପ୍ରଶିକ୍ଷଣ ଓ ପରିଧାନରେ  ଉପସ୍ଥାପନ କରିବ। ଅନ୍ତର୍ଜାତୀୟ ସ୍ତରରେ ନିଜକୁ ବ୍ରାଣ୍ଡିଂ କରିବାକୁ ସେମାନେ ଅନଲାଇନ୍‌ରେ ଚଳାଇଥିବା ଉଦ୍ୟମରୁ ଏହା ଏବେ ସ୍ପଷ୍ଟ ହୋଇଛି। 

ବଦଳିଛି ରଣନୀତି
କେବଳ ଆତଙ୍କର  ରୂପ ପରିବର୍ତ୍ତନ ହୋଇନି ଏଥିରେ ସେମାନଙ୍କର ରଣନୀତିକୁ ମଧ୍ୟ ସେମାନେ ବଦଳାଇଥିବା ଜଣାପଡିଛି। ଆତଙ୍କ ଗତିବିଧି ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ଇସ୍ଲାମ ବଦନାମ ହୋଇଛି। ଏଣୁ ଏବେ ଆଉ ଧାର୍ମିକ ଜିହାଦ ନୁହେଁ ଏବେ ସଙ୍ଗଠନ ସିଧା ଶଳଖ ଆତଙ୍କ ସୃଷ୍ଟି କରିବ। ଏଥିରେ ଭାରତ ଓ ଆଫାଗାନିସ୍ତାନରେ ଆତଙ୍କ କାର୍ଯ୍ୟକଳାପ ଚଳାଇବାକୁ ଜୈସ୍ ଓ ହକ୍କାନୀ ନେଟୱାର୍କକୁ ବ୍ୟବହାର କରିବାକୁପ ଥିବା ବେଳେ ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ଟାର୍ଗେଟ ହେବ ବୋଲି ଜଣାପଡିଛି।

ପରିବର୍ତ୍ତିତ ରଣନୀତିରେ ନାହାନ୍ତି କାଶ୍ମୀରବାସୀ
ଏପର୍ଯ୍ୟନ୍ତ ଆତଙ୍କବାଦ ଗତିବିଧିରେ କାଶ୍ମୀରର ସ୍ଥାନୀୟ ବାସିନ୍ଦା ଆତଙ୍କବାଦର ସର୍ବାଧିକ ଶିକାର ହେଉଥିଲେ। ହେଲେ ଟିଆରଏଫ ଏବେ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଜିତିବା ଲାଗି ନୂଆ ରଣନୀତି ଅବଲମ୍ବନ କରିବ। ଏଥିରେ କାଶ୍ମୀର ଅଥବା କାଶ୍ମୀରବାସୀଙ୍କୁ ଆଉ ଟାର୍ଗେଟ୍ କରାଯିବନି। ବରଂ ସୁରକ୍ଷା ବଳ ଆତଙ୍କବାଦୀଙ୍କ ସିଧାଶଳଖ ଟାର୍ଗେଟ୍ ହେବେ ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି।  

   Related Posts