ଏହି ଦୁର୍ଗରେ ରହିଛି ରହସ୍ୟମୟ ଗୁପ୍ତଧନ: ଯାହାକୁ ଆଜି ପର୍ଯ୍ୟନ୍ତ କେହି ଖୋଜି ପାରିନାହାନ୍ତି

Published By : Prameya-News7 Bureau | April 09, 2020 IST

ଅଲବର ୦୯/୦୪ : ଭାରତରେ ଅନେକ ପ୍ରାଚୀନ ଦୁର୍ଗ ରହିଛି | ଏମିତି ଅନେକ ଦୁର୍ଗ ରହିଛି ଯାହାର କିଛି ନା କିଛି ବିଶେଷତ୍ୱ ଓ ରହସ୍ୟ ରହିଛି | ଏମିତି ଏକ ଦୁର୍ଗ ଅରାବଲି ପାହାଡ ଉପରେ ରହିଛି | ଏହି ଦୁର୍ଗର ପୁରା ପାଚେରୀ ପାହାଡ ଉପରେ ରହିଛି | ଏହି ପାଚେରୀ ଚାରିପଟେ ସବୁଜ ଘନ ବୃକ୍ଷ ରହିଛି | ଏହି ଦୁର୍ଗ ଦେଖିବାକୁ ଏତେ ସୁନ୍ଦର ଓ ଆକର୍ଷଣୀୟ ଯେ ଏହାକୁ ଦେଖିବା ପାଇଁ ବହୁ ଦୂରରୁ ଲୋକେ ଆସିଥାନ୍ତି | ପୂର୍ବରୁ ଏହି ଦୁର୍ଗ ମଧ୍ୟକୁ ପ୍ରବେଶ କରିବା ପାଇଁ ସ୍ଥାନୀୟ ଏସପିଙ୍କ ଠାରୁ ଅନୁମତି ନେବାକୁ ପଡୁଥିଲା | କିନ୍ତୁ ଏବେ ଅନୁମତି ନେବାକୁ ପଡୁନି | ଏବେ କେବଳ ପର୍ଯ୍ୟଟକଙ୍କୁ ଏକ ରେଜିଷ୍ଟରରେ ନିଜ ନାଁ ଲେଖି ଯିବାକୁ ପଡେ |

ଏହି ଦୁର୍ଗ 'ଵାଲା କିଲା' ନାମରେ ଜଣାଶୁଣା | ଏହା ରାଜସ୍ଥାନର ଅଲବର ଜିଲ୍ଲାରେ ଅବସ୍ଥିତ | ସେଥିପାଇଁ ଏହାକୁ 'ଅଲବର ଫୋର୍ଟ' ମଧ୍ୟ କୁହାଯାଏ | ଏହା ଅଲବରର ସବୁଠାରୁ ପୁରୁଣା ଦୁର୍ଗ | ଏହା ୧୪୯୨ ମସିହାରେ ହସନ ଖାଁ ମେବତୀ ଦୁର୍ଗ ନିର୍ମାଣ କାମ ଆରମ୍ଭ କରିଥିଲେ | ଏହାର ଭବ୍ୟ କଳାକୃତି ପାଇଁ ଏହି ଦୁର୍ଗ ଦେଶରେ ପ୍ରସିଦ୍ଧ |

ଏହି ଦୁର୍ଗରେ ମୁଗଲଙ୍କ ଠାରୁ ଆରମ୍ଭ କରି ମରାଠା ପର୍ଯ୍ୟନ୍ତ ଏବଂ ଜାଟଙ୍କର ମଧ୍ୟ ରାଜୁତି ଥିଲା | ଦୁର୍ଗର ପାଚେରୀ ୪୪୬ ଫାଟ ରହିଛି | ଏହି ଫାଟ ଦେଇ ଶତ୍ରୁଙ୍କ ଉପରକୁ ଗୁଳି ଚାଳନା କରାଯାଉଥିଲା | ଏହି ଫାଟ ଦେଇ ୧୦ ଫୁଟ ଦୂରରୁ ମଧ୍ୟ ଗୁଳି ଚଳାଇ ଯାଇପାରୁଥିଲା | ଏହାଛଡା ଶତ୍ରୁ ଉପରେ ନଜର ରଖିବା ପାଇଁ ଦୁର୍ଗରେ ଆହୁରି ୧୫ ବଡ ଓ ଛୋଟ ୫୧ ଟାୱାର ନିର୍ମାଣ କରାଯାଇଥିଲା |

ଏହି ଦୁର୍ଗର ବିଶେଷତ୍ୱ ହେଲା ଇତିହାସରେ ଏହି ଦୁର୍ଗରେ କୌଣସି ଯୁଦ୍ଧ ହୋଇନାହିଁ | ସେଥିପାଇଁ ଏହାକୁ 'କୁୱାରା କିଲ୍ଲା' ବୋଲି ମଧ୍ୟ କୁହାଯାଏ | ଏହି ଦୁର୍ଗର ଲମ୍ବ ୫ କିମି ଓ ଦୈର୍ଘ୍ୟ ୧.୫ କିମି | ଦୁର୍ଗ ମଧ୍ୟକୁ ପ୍ରବେଶ ପାଇଁ ୬ଟି ପ୍ରବେଶ ଦ୍ୱାର ରହିଛି | ଏହି ୬ଟି ଦ୍ୱାରର ନାଁ ହେଲା ଜୟ ପୋଲ, ସୁରଜ ପୋଲ, ଲକ୍ଷ୍ମଣ ପୋଲ, ଚାନ୍ଦ ପୋଲ,କୃଷ୍ଣ ପୋଲ ଓ ଅନ୍ଧେରୀ ପୋଲ |

ଏହି ଦୁର୍ଗରେ ମୋଗଲ ଶାସକ ବାବର ଓ ଜାହାଙ୍ଗୀର ଆଶ୍ରୟ ନେଇଥିଲେ ବୋଲି କୁହାଯାଏ | ବାବର ଏଠାରେ ଗୋଟିଏ ରାତ୍ରି ରହିଥିଲେ | ଜାହାଙ୍ଗୀର ଦୁର୍ଗର ଯେଉଁ କୋଠରୀରେ ରହୁଥିଲେ ତାକୁ ସଲିମ ମହଲ ବୋଲି କୁହାଯାଏ | ଏହି ଦୁର୍ଗ ଭିତରେ ଅନେକ ମୂଲ୍ୟବାନ ଖଜାନା ରହିଛି ବୋଲି ବିଶ୍ୱାସ କରାଯାଏ | ଏହି ଖଜାନା ଧନ ଦେବତା କୁବେରଙ୍କ ବୋଲି କୁହାଯାଏ | କିନ୍ତୁ ଏହା ଏକ ରହସ୍ୟମୟ ଖଜାନା ବୋଲି କୁହାଯାଇଆ କାରଣ ଏହି ଖଜାନାକୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଖୋଜିପାରି ନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.