ଉର୍ବସୀଙ୍କୁ ମହଙ୍ଗା ପଡିଲା ସରଜିଲ ସମର୍ଥନ, ରୁଜୁ ହେଲା ଦେଶଦ୍ରୋହ ମୋକଦ୍ଦମା
4/02/2020 at 5:17 PM

ମୁମ୍ବାଇ ୪।୨: ଦିଲ୍ଲୀ ଜେଏନୟୁ ଛାତ୍ର ସରଜିଲ ଇମାମଲ ସମର୍ଥନରେ ସ୍ଲୋଗାନ ଲଗାଇବା ସମାଜସେବୀ ଉର୍ବସୀ ଚୁଡାୱାଲାଙ୍କ ଲାଗି ଏବେ ମହଙ୍ଗା ପଡିଛି। ମୁମ୍ବାଇ ଆଜାଦ ମୈଦାନରେ ଅନୁଷ୍ଠିତ ଏଲଜିବିଟିକ୍ୟୁ କାର୍ଯ୍ୟକ୍ରମରେ ଦେଶବିରୋଧୀ ସ୍ଲାଗାନ ଦିଆଯାଇଥିଲା। ଏଥିଲାଗି ମୁମ୍ବାଇ ପୋଲିସ ଉର୍ବସୀ ଓ ଅନ୍ୟ ୫୦ ଜଣଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ରୁଜୁ କରିଛି। ମାମଲାର ଏବେ ଏନଆଇଏ ଯାଞ୍ଚ ହେଉଥିବା ବେଳେ ମାଓବାଦୀ ଓ କୃଷକମୁକ୍ତି ସଂଗ୍ରାମ ସମିତି ସହ ସମ୍ପର୍କକୁ ନେଇ ଆଇଆଇଟି ପ୍ରଫେସର ଅରୂପ ଜ୍ୟୋତି ସାଇକିଆଙ୍କୁ ଦ୍ୱିତୀୟବାର ପଚରା ଉଚୁରା କରାଯାଇଛି।

ଜନୈକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଉର୍ବସୀ ସମେତ ୫୦ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ଏଲଜିବିଟିକ୍ୟୁ ସମାବେଶରେ ଦେଶବିରୋଧୀ ନାରାବାଜୀ କରୁଥିବା ଲୋକଙ୍କ ସର୍ବାଗ୍ରେ ଉର୍ବସୀଙ୍କୁ ଦେଖାଯାଇଥିଲା। ଏ ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସମେୟା ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ଅଭିଯୁକ୍ତଙ୍କ ତୁରନ୍ତ ଗିରଫଦାରୀ ଦାବି କରିଥିଲେ ଅନ୍ୟଥା ସେ ଧାରଣାରେ ବସିବେ ବୋଲି ମଧ୍ୟ ଧମକ ଦେଇଥିଲେ।

ତେବେ ଆଇଆଇଟି ପ୍ରଫେସର ଅରୂପ ଜ୍ୟୋତିଙ୍କୁ ଏନଆଇଏ ପଚରାଉଚରା କିଛି ନୂଆ କଥା ନୁହେଁ। ଅତୀତରେ ଏଥିଲାଗି ତାଙ୍କୁ ଏନଆଇଏ ଗିରଫ ମଧ୍ୟ କରିଛି। ହେଲେ ମାଓବାଦୀଙ୍କ ସହ ତାଙ୍କ ସମ୍ପର୍କର ପ୍ରମାଣ ଯୋଗାଡ କରିବାରେ ଏନଆଇଏ ବିଫଳ ହୋଇଥିବା ତାଙ୍କ ଓକିଲ କହିଛନ୍ତି। ତେବେ ଗତ ଡିସେମ୍ବରରେ ସିଏଏ ବିରୋଧୀ ପ୍ରଦର୍ଶନ ବେଳେ ହୋଇଥିବା ହିଂସା ପ୍ରସଙ୍ଗରେ କୃଷକ ମୁକ୍ତି ସଂଗ୍ରାମ ସମିତିର ବରିଷ୍ଠ ନେତା ଅଖିଲ ଗୋଗଇ ଗିରଫ ହୋଇଥିଲେ। ଏଣୁ ଅରୂପ ଏବେ ଏନଆଇଏ ସ୍କାନରରେ ଥିବା ତାଙ୍କ ଓକିଲ କହିଛନ୍ତି।