ଲିପ୍ଟରେ ଫସି ୫ ବର୍ଷର ଶିଶୁର ମୃତ୍ୟୁ , ସିସିଟିଭିରେ କଏଦ ପୁରା ଦୃଶ୍ୟ
29/11/2020 at 3:51 PM

ମୁମ୍ବାଇ ୨୯/୧୧ : ମହାରାଷ୍ଟ୍ରର ଧରାବୀ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଲିପ୍ଟରେ ଫସିଥିବା ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ତେବେ ପୂରା ଘଟଣା ଲିପ୍ଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଧରାବୀ ଅଞ୍ଚଳରେ ଥିବା ସେଲ୍ଟର ବିଲଡିଂର ଲିପ୍ଟରେ ଏହି ଦୁଃଖଦ ଘଟଣା ଘଟିଛି । ଘଟଣାଟି ଏପରି, ୩ ଜଣ ଭାଇ ଭଉଣୀ ତଳ ମହଲାରୁ ୪ର୍ଥ ମହଲାକୁ ଯିବା ପାଇଁ ଲିପ୍ଟରେ ଚଢିଥିଲେ । ଲିପ୍ଟରେ ଚଢିବା ପରେ ବଟନ ଦବାଇଥିଲେ । ଲିପ୍ଟଟି ତଳ ମହଲାରୁ ୪ର୍ଥ ମହଲାକୁ ଆସିଥିଲା । ତେବେ ଲିପ୍ଟ ଖୋଲିବା କ୍ଷଣି ପ୍ରଥମେ ୨ ଜଣ ନାବାଳିକା ବାହାରକୁ ବାହାରିଆସିଥିଲେ ।
ଯେତେବେଳେ ୫ ବର୍ଷର ଶିଶୁ ହୁଜେଫା ବାହାରକୁ ଆସିବାକୁ ପ୍ରୟାସ କରିଥିଲା, ସେତେବେଳେ ଲିପ୍ଟର ବାହାର ପଟ ଡୋର ବନ୍ଦ ହୋଇଯାଇଥିଲା ଏବଂ ଶିଶୁଟି ଲିପ୍ଟର ବାହାର ଡୋର ଏବଂ ଭିତର ଡୋର ମଝିରେ ଫସିଯାଇଥିଲା । ଏହା ପରେ ଲିପ୍ଟ୍ ତଳକୁ ଚାଲିଯିବାରୁ ହୁଜେଫା ମଧ୍ୟ ଲିପ୍ଟ ସହିତ ତଳକୁ ଚାଲି ଯାଇଥିଲା । ତେବେ ଲିପ୍ଟ ଭିତରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ବାହାରକୁ ଆଣିଥିଲେ । ଏହି ଘଟଣାରେ ସାହୁ ନଗର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ।