ଡିଜେଲର ଦର ବୃଦ୍ଧିକୁ ନେଇ ଚିନ୍ତାରେ ଟ୍ରାନ୍ସପୋର୍ଟ ମାଲିକ, କହିଲେ- ସରକାରଙ୍କ ହାତରେ ଧରାଇଦେବୁ ଚାବି

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ପେଟ୍ରୋଲ ଓ ଡିଜେଲ୍‌  ଦର ଥମିବାର ନାଁ ନେଉ ନାହିଁ। କ୍ରମାଗତ ୧୮ତମ ଦିନ ବୁଧବାର ମଧ୍ୟ  ଡିଜେଲ୍ ଦାମ ବଢିଛି। ପେଟ୍ରୋଲ ଦାମ୍‌ କ୍ରମାଗତ ୧୭ ଦିନ ବଢିବା ପରେ ଆଜି ସ୍ଥିର ରହିଛି। ଇନ୍ଧନ ଦାମରେ ଅହେତୁକ ବୃଦ୍ଧି କାରଣରୁ ଅସନ୍ତୁଷ୍ଟ ଦିଲ୍ଲୀ ଟାନ୍ସପୋଟର୍ସ ଏବେ ନିଜର ଗାଡି ଚାବି ସରକାରଙ୍କ ହାତରେ ଧରାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଦିଲ୍ଲୀ ବସ୍ତୁ ଓ ପରିବହନ ସଭାପତି ରାଜିନ୍ଦର କପୁର ଇନ୍ଧନର ଦାମରେ ଅସ୍ଵାଭାବିକ ବୃଦ୍ଧିକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ପ୍ରଥମ ଥର ପରିବହନ ବ୍ୟବସାୟରେ ବଡ ସଙ୍କଟ ଦେଖା ଦେଇଛି। ସେ କହିଛନ୍ତି, ମୁଁ ଅନେକ ବର୍ଷ ଧରି ଟ୍ରାନ୍ସପୋର୍ଟ ବ୍ୟବସାୟ କରି ଆସୁଛି, ମାତ୍ର ପ୍ରଥମ ଥର ଏମିତି ଗମ୍ଭୀର ସଙ୍କଟ ଦେଖୁଛି।

ସେ କହିଛନ୍ତି, ଡିଜେଲ୍ ଦର ସାଧାରଣ ପେଟ୍ରୋଲ ଅପେକ୍ଷା ୧୦/୧୨ ଟଙ୍କା କମ୍ ଥାଏ, କିନ୍ତୁ ଆଜି ଡିଜେଲ୍ ପେଟ୍ରୋଲ ତୂଳନାରେ ଅଧିକ ମହଙ୍ଗା ରହିଛି। ଯଦି ସ୍ଥିତିରେ କିଛି ସୁଧାର ନଆସେ, ତେବେ ଆମେ ନିଜ ଗାଡିର ଚାବି ସରକାରଙ୍କ ହାତରେ ଧରାଇ ଦେବୁ।

ରାଜିନ୍ଦର କପୁର କହିଛନ୍ତି, ଦିଲ୍ଲୀ ସରକାରଙ୍କୁ ଏହା ଚିନ୍ତା କରିବା ଦରକାର ଯେ, ଯେବେ ହରିୟାଣା ଓ ଉତ୍ତର ପ୍ରଦେଶରେ ଡିଜେଲ୍‌ ଲିଟର ପିଛା ୮ ଟଙ୍କା ଶସ୍ତା ରହିଛି, ତେବେ ଦିଲ୍ଲୀରେ ଏତେ ଟ୍ୟାକ୍ସ ଆଦାୟ କରିବାର ଅର୍ଥ କଣ। ଇନ୍ଧନ ଦର ବୃଦ୍ଧି ଫଳରେ ଆଗାମୀ ଦିନରେ ମହଙ୍ଗାଇ ଆହୁରି ବଢିବ। ପେଟ୍ରୋଲ ଓ ଡିଜେଲ୍ ଦର କ୍ରମାଗତ ୧୭ ଦିନ ହେବ ବଢି ଚାଲିଥିଲା। ମାତ୍ର ୧୮ ତମ ଦିନରେ ପେଟ୍ରୋଲକୁ ଛାଡି କେବଳ ଡିଜେଲ ଦର ବଢିଛି। ଆଜି ବୁଧବାର ଦିନ ଡିଜେଲ୍ ଦାମ ଲିଟର ପିଛା ୪୮ ପଇସା ବଢିଛି।

ଏବେ ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୭୯.୮୮ ଟଙ୍କା ରହିଛି। ଏହି ବୃଦ୍ଧି ସହିତ ଦେଶରେ ପ୍ରଥମ ଥର ଡିଜେଲ୍ ପେଟ୍ରୋଲଠୁ ଅଧିକ ମହଙ୍ଗା ହୋଇଛି। ଆଜି ପେଟ୍ରୋଲ ଦର ୭୯.୭୬ ଟଙ୍କା  ରହିଛି। ଅନେକ ସହରରେ ଡିଜେଲ ଏବେ ମଧ୍ୟ ପେଟ୍ରୋଲଠୁ ଶସ୍ତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.