ପରିବହନ ଇନ୍ଧନର ବିପଣନ ଲାଗିକ୍ଷମତା ପ୍ରଦାନ କରିବା ନିୟମାବଳୀ ସମୀକ୍ଷା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି, ଘରୋଇ ଓ ବିଦେଶୀ କମ୍ପାନୀ ଖୋଲି ପାରିବେ ଖୁଚୁରା ବିକ୍ରୟ କେନ୍ଦ୍ର

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ ୨୩।୧୦- ପରିବହନ ଇନ୍ଧନର ବିପଣନ ଲାଗି କ୍ଷମତା ପ୍ରଦାନ କରିବାର ନିୟମାବଳୀ ସମୀକ୍ଷା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ (ସିସିଇଏ) ବୈଠକରେ ମଞ୍ଜୁରି ମିଳିଛି । ଏହା ପେଟ୍ରୋଲ ଏବଂ ଡିଜେଲର ବିପଣନ ଲାଗି ରହିଥିବା ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବ ।

ପରିବହନ ଇନ୍ଧନ ବିପଣନ ଲାଗି କ୍ଷମତା ପ୍ରଦାନ କରିବା ପାଇଁ ବର୍ତମାନର ନୀତିରେ ୨୦୦୨ ପରଠାରୁ ଗତ ୧୭ ବର୍ଷ ମଧ୍ୟରେ କୌଣସି ପରିବର୍ତନ କରାଯାଇନଥିଲା । ବଜାରର ପରିବର୍ତିତ ପରିଦୃଶ୍ୟ ଏବଂ ଏହି କ୍ଷେତ୍ର ସହ ଜଡ଼ିତ ବିଦେଶୀ କମ୍ପାନୀ ସହିତ ଘରୋଇ କମ୍ପାନୀର ନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବର୍ତମାନ ଏହାକୁ ସଂଶୋଧିତ କରାଯାଇଛି । ନୂଆନୀତି ଫଳରେ ପରିବହନ ନୀତି ସହ ଜଡ଼ିତ ନିୟମାବଳୀ ଜରିଆରେ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ମିଳିବ । ଯଦ୍ଦ୍ୱାରା ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଧିକ ସଂଖ୍ୟାରେ ଖୁଚୁରା ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଉପଭୋକ୍ତାଙ୍କ ଲାଗି ଉନ୍ନତ ପ୍ରତିଦ୍ୱନ୍ଦ୍ୱିତା ଏବଂ ଉନ୍ନତ ସେବା ଉପଲବ୍ଧ ହୋଇପାରିବ ।

ପ୍ରମୁଖ ବିଶେଷତ୍ୱ ଏବଂ ପ୍ରଭାବ
ଘରୋଇ କମ୍ପାନୀ ଲାଗି ରହିଥିବା ବାଧକ ଦୂର ହେବ – ଏପରି କ୍ଷମତା ପାଇବା ଲାଗି ଇଚ୍ଛୁକ କମ୍ପାନୀ ପାଇଁ ୨ହଜାର କୋଟି ଟଙ୍କାର ଆଗୁଆ ନିବେଶ ଲାଗି ବର୍ତମାନ ରହିଥିବା ଆବଶ୍ୟକତା ତୁଳନାରେ ଏବେ ସର୍ବନିମ୍ନ ୨୫୦ କୋଟି ଟଙ୍କା ମୋଟ ନିବେଶର ଆବଶ୍ୟକତା ପଡ଼ିବ ।

ଅଣ-ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଖୁଚୁରା କ୍ଷେତ୍ରରେ ନିବେଶ କରିପାରିବେ । ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଆଗୁଆ ନିବେଶର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି । ଏଥିରେ ମୁଖ୍ୟତଃ ସନ୍ଧାନ ଓ ଉତ୍ପାଦନ, ବିଶୋଧନ, ପାଇପଲାଇନ/ଟର୍ମିନାଲ ଆଦି ସାମିଲ ରହିଛି ।

ପେଟ୍ରୋଲ ଏବଂ ଡିଜେଲ ପାଇଁ ବିପଣନ ଅଧିକାର ପାଇବା ଲାଗି ଇଚ୍ଛୁକ କମ୍ପାନୀଗୁଡ଼ିକୁ ଖୁଚୁରା ଏବଂ ପାଇକାରୀ ବିକ୍ରି କ୍ଷମତା ନିମନ୍ତେ ପୃଥକ ପୃଥକ ଭାବେ କିମ୍ବା ଏକାଠି ଆବଦେନ କରିବା ପାଇଁ ଅନୁମତି ମିଳିବ ।

କମ୍ପାନୀଗୁଡ଼ିକୁ ବିପଣନ କ୍ଷମତା ପ୍ରଦାନ ଲାଗି ଏକ ଯୁଗ୍ମ ଉଦ୍ୟୋଗ କିମ୍ବା ସହାୟକ କମ୍ପାନୀ ପ୍ରତିଷ୍ଠା କରିବା କ୍ଷେତ୍ରରେ ନମନୀୟତା ପ୍ରଦାନ କରାଯାଇଛି ।

ପାରମ୍ପରିକ ଇନ୍ଧନ ବ୍ୟତୀତ, କ୍ଷମତାପ୍ରାପ୍ତ କମ୍ପାନୀଗୁଡ଼ିକ ତିନି ବର୍ଷ ମଧ୍ୟରେ ପ୍ରସ୍ତାବିତ ଖୁଚୁରା ବିକ୍ରୟ କେନ୍ଦ୍ରରେ ସିଏନଜି, ଏଲଏନଜି, ଜୈବ ଇନ୍ଧନ, ବିଦ୍ୟୁତ ଚାର୍ଜିଂ ଆଦି ସର୍ବନିମ୍ନ ଗୋଟିଏ ନୂଆ ବିକଳ୍ପ ଇନ୍ଧନ ବିପଣନ କରିବା ଜରୁରି ।

ବିଦେଶୀ କମ୍ପାନୀ ସହିତ ଅଧିକ ସଂଖ୍ୟାରେ ଘରୋଇ କମ୍ପାନୀ ଖୁଚୁରା ଇନ୍ଧନ ବିପଣନରେ ନିବେଶ କରିବେ ବୋଲି ଆଶା କରାଯାଉଛି, ଫଳରେ ଉପଭୋକ୍ତାଙ୍କ ପାଇଁ ଉନ୍ନତ ପ୍ରତିଦ୍ୱନ୍ଦ୍ୱିତା ଓ ସେବା ଉପଲବ୍ଧ ହୋଇପାରିବ ।

ନୂଆ କମ୍ପାନୀ ଇନ୍ଧନ ବିପଣନ ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗ କରିବେ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରରେ ଡିଜିଟାଲ ପଇଠକୁ ମଧ୍ୟ ପ୍ରୋତ୍ସାହନ ଦେବେ ।

ଏସବୁ କମ୍ପାନୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ମହିଳା ଓ ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତିକୁ ମଧ୍ୟ ପ୍ରୋତ୍ସାହନ ଦେବେ ।

ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ରରେ ସିସିଟିଭି ସୁବିଧା ପ୍ରତିଷ୍ଠା କରାଯିବ ।

କ୍ଷମତାପ୍ରାପ୍ତ କମ୍ପାନୀ ପାଇଁ କ୍ଷମତା ପାଇବାର ୫ ବର୍ଷ ମଧ୍ୟରେ ବିଜ୍ଞପିତ ଉପାନ୍ତ ଅଂଚଳରେ ମୋଟ ଖୁଚୁରା ବିକ୍ରୟ କେନ୍ଦ୍ରର ସର୍ବନିମ୍ନ ୫ଧ କେନ୍ଦ୍ର ପ୍ରତିଷ୍ଠା କରିବା ବାଧ୍ୟତାମୂଳକ ହେବ । ଏହି ବାଧ୍ୟତାମୂଳକ ନିୟମର କାର୍ଯ୍ୟକାରୀତା ଅନୁଧ୍ୟାନ କରିବା ଲାଗି ଏକ ପ୍ରଭାବୀ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି ।

କୌଣସି ବ୍ୟକ୍ତିଙ୍କୁ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀର ଖୋଲା ଡିଲରସିପ ପାଇଁ ଗୋଟିଏରୁ ଅଧିକ ବିପଣନ କମ୍ପାନୀର ଡିଲରସିପ ମିଳିପାରିବ । ତେବେ ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଏହା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.