କିନ୍ନରମାନଙ୍କୁ ମିଳିଲା ରୋଜଗାରର ପନ୍ଥା: ବ୍ରହ୍ମପୁରର ୪ଟି ସ୍ଥାନରୁ ଆଦାୟ କଲେ ପାର୍କିଂ ଫି'

Published By : Prameya-News7 Bureau | September 01, 2020 IST

ବ୍ରହ୍ମପୁର୧/୯: କିନ୍ନରମାନଙ୍କୁ ମିଳିଛି ରୋଜଗାରର ପନ୍ଥା। ବ୍ରହ୍ମପୁର ମହାନଗର ନିଗମ ଏଭଳି ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛି। ମଙ୍ଗଳବାର ଠାରୁ ସହରର ବିଭିନ୍ନ ସାଇକେଲ୍ ଷ୍ଟାଣ୍ଡ୍‌ରୁ ପାର୍କିଂ ଫି' ଆଦାୟ କରିଲେ କିନ୍ନର। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କିନ୍ନରମାନଙ୍କୁ ରୋଜଗାର କ୍ଷମ କରାଇବାକୁ ନିଆଯାଇଛି ପଦକ୍ଷେପ। ରୋଜଗାରକ୍ଷମ ହେବା ସହ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ।

ଏଣିକି ଆଉ ବାହାରେ ହାତ ପତେଇବେନି କିନ୍ନର।  ନିଜେ ହେବେ ଆତ୍ମ ନିର୍ଭରଶୀଳ। ରୋଜଗାର କ୍ଷମ ହେବା ଲାଗି ନେଇଛନ୍ତି ସ୍ବତନ୍ତ୍ର ତାଲିମ। ଆଜି ଠାରୁ ସହରର ୪ଟି ସ୍ଥାନରେ ସାଇକେଲ୍ ପାର୍କିଂ ଫି' ଆଦାୟ କରିଛନ୍ତି କିନ୍ନର। ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠିକୁ ଏହି ଦାୟିତ୍ବ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ୨୦ ଜଣ କିନ୍ନର ସାଇକେଲ୍ ପାର୍କିଂ ଫି' ଆଦାୟରେ ନିୟୋଜିତ ରହିଛନ୍ତି। ପୁରୁଣା ବସ୍‌ଷ୍ଟାଣ୍ଡ୍, ଅର୍ଣ୍ମପୂର୍ଣ୍ଣା ମାର୍କେଟ୍, ମୟୁରୀ ଟାୱାର୍ ଏବଂ ସାଇ କଂପ୍ଳେକ୍ସ୍ ପ୍ରମୁଖ ୪ଟି ସ୍ଥାନର ସାଇକେଲ୍ ପାର୍କିଂ ଫି' ଆଦାୟ କରିବାକୁ ସୁଯୋଗ ଦିଆଯାଇଛି।

ଯାହା ଆଦାୟ ହେବ ତାହାର କିଛି କମିଶନ୍ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଚକ୍ରବର୍ତ୍ତୀ ସିଂହ ରାଠୋର୍ କହିଛନ୍ତି। ନଗଦ କିମ୍ବା ଏ.ଟି.ଏମ୍ କାର୍ଡ ଜରିଆରେ ଫି' ଆଦାୟ କରୁଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି କିନ୍ନର ସଂଘ। ପୂର୍ବରୁ ଚପଲ ପ୍ରସ୍ତୁତି କରିବାରେ ତାଲିମ୍ ପ୍ରଦାନ ଦିଆଯାଇଥିଲା। ଏବେ ସାଇକେଲ୍, ଗାଡି ପାର୍କିଂ ଫି' ଆଦାୟ କରିବା ପନ୍ଥାର ରାହା ଦେଖାଇଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି କିନ୍ନର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.