ଜେଲ୍‌ ଟ୍ରେନିଂ ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଗଞ୍ଜାମଜିଲ୍ଲା ବିକାଶ ମଞ୍ଚ

Published By : Prameya-News7 Bureau | March 02, 2020 IST

ବ୍ରହ୍ମପୁର୨/୩: ବ୍ରହ୍ମପୁରଠାରେ ଥିବା ରାଜ୍ୟର ଏକମାତ୍ର ଜେଲ୍‌ ଟ୍ରେନିଂ ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସହରବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । କାରଣ ପୂର୍ବରୁ ଓଆରଟି, ଇଣ୍ଡିଆନ୍‌ ଅଏଲ, ଷ୍ଟେଟ୍‌ ଫାଇନାନ୍ସ କମ୍ପାନୀ ଭଳି ସଂସ୍ଥାଗୁଡ଼ିକୁ ପ୍ରର୍ଯ୍ୟାୟକ୍ରମେ ବ୍ରହ୍ମପୁରରୁ ଉଠାଇ ନିଆଯାଇଥିବା ବେଳେ ଏବେ ଜେଲ୍‌ ଟ୍ରେନିଂ ସ୍କୁଲ ସ୍ଥାନାନ୍ତର ଆଶଙ୍କାରେ ତେଜ୍‌ ହୋଇଛି ବିରୋଧର ସ୍ବର ।

୧୯୮୪ରେ ବ୍ରହ୍ମପୁରରେ ପ୍ରତିଷ୍ଠା ହୋଇଥିଲା ରାଜ୍ୟର ଏକମାତ୍ର ଓଡ଼ିଶା କାରା ପ୍ରଶିକ୍ଷଣ ବିଦ୍ୟାଳୟ । ଆଙ୍କୁଲି ନିକଟରେ ପ୍ରାୟ ୨୦ଏକର ଜମିରେ ଏହାର  ନିର୍ମାଣ କରାଯାଇଥିଲା । ଏଠାରୁ ଏପର୍ଯ୍ୟନ୍ତ ୫୦ ବ୍ୟାଚ୍‌ରୁ ଅ୍ରଧିକ ପ୍ରଶିକ୍ଷକ ପାସ୍‌ ଆଉଟ୍‌ ହୋଇଛନ୍ତି । ଏହି କାରାପ୍ରଶିକ୍ଷଣ ବିଦ୍ୟାଳୟରେ ଓ୍ବାର୍ଡ଼ର, ସବ୍‌ ଆସିଷ୍ଟାଣ୍ଟ୍‌ ଜେଲରଙ୍କୁ ତାଲିମ ଦିଆଯାଉଥିବା ବେଳେ ଯୋଗ୍ୟତା ସମ୍ପନ୍ନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହାର ଭିତ୍ତିଭୂମି ମଧ୍ୟ ଖୁବ୍‌ ସୁଦୃଢ଼ ରହଛି । ତଥାପି  ଏବେ ଯେତେବେଳେ ଏହି ଜେଲ୍‌ ଟ୍ରେନିଂ ସ୍କୁଲକୁ ବ୍ରହ୍ମପୁରରୁ ଖୋର୍ଦ୍ଧା ଜାମୁଝରୀକୁ ସ୍ଥାନାନ୍ତର କରିବାକୁ ସରକାରୀ ସ୍ତରରେ ମସୁଧା ଚାଲିଛି ସେତେବେଳେ ଏହାକୁ ନେଇ ସହରବାସୀଙ୍କ ଭିତରେ ତେଜ୍‌ ହୋଇଛି ବିରୋଧର ସ୍ବର। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ମାଧ୍ୟମ​ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ଗଞ୍ଜାମଜିଲ୍ଲା ବିକାଶ ମଞ୍ଚ ।

ବ୍ରହ୍ମପୁରରୁ ଜେଲ୍‌ ଟ୍ରେନିଂ ସ୍କୁଲକୁ ସ୍ଥାନାନ୍ତର କରାଗଲେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ । ସେପଟେ ଏ ବାବଦରେ ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ଓ ସାଂସଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.