ଖାମଖିଆଲ୍ ନୀତି, ପୋଲିସ ବଦଳି ତାଲିକାରେ ରହିଛି ମୃତ ସୁବେଦାରଙ୍କ ନାମ

Published By : Prameya-News7 Bureau | June 02, 2021 IST

କଟକ ୦୨।୦୬ : ଜଣେ ଦିବଙ୍ଗତ ପୁଲିସ ଅଧିକାରୀଙ୍କୁ ବଦଳି । ରାଜ୍ୟ ପୁଲିସ୍‌ ବାହିନୀରେ ଏପରି ଏକ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଲୋକଲୋଚନକୁ ଆସିଛି । ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସଶସ୍ତ୍ର ବାହିନୀର ସୁବେଦାର ବଦଳି ତାଲିକାରେ ମୃତ ସୁବେଦାରଙ୍କ ନାଁ ରହିଛି । ଗତବର୍ଷ ମୃତ୍ୟୁ ବରଣ କରିଥିବା ସଶସ୍ତ୍ର ବାହିନୀର ଅଫିସର (ସୁବେଦାର) ସ୍ୱର୍ଗତ କାମପାଳ ନାୟକଙ୍କ ନାଁ ବଦଳି ତାଲିକାରେ ରହିବା ସମସ୍ତଙ୍କୁ ଚକିତ କରିଛି ।

ସ୍ୱର୍ଗତ ନାୟକଙ୍କୁ କୋରାପୁଟ ସ୍ଥିତ ସପ୍ତମ ସ୍ପେସାଲ୍‌ ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌ (ଆଇଆରବି)ରୁ ପଞ୍ଚମ ବାଟାଲିୟନ୍‌ ବାରିପଦାକୁ ବଦଳି କରାଯାଇଛି । ଉକ୍ତ ବଦଳି ତାଲିକାକୁ ନେଇ ପୁଲିସ୍‌ ମୁଖ୍ୟାଳୟ ସମେତ ରାଜ୍ୟ ପୁଲିସ୍‌ ବାହିନୀରେ ହଇଚଇ ଖେଳିଛି । ରାଜ୍ୟ ପୁଲିସ ବାହିନୀର ବଦଳି ପ୍ରକ୍ରିୟାରେ ଯେ କିଭଳି ମନମାନି ଓ ଖାମଖିଆଲ୍‌ ନୀତି ଅନୁସରଣ କରାଯାଉଛି ତାର ପ୍ରମାଣ ଏହି ଘଟଣାରୁ ହିଁ ଜଣାପଡ଼ିଛି ବୋଲି କୁହାଯାଉଛି । ସ୍ୱର୍ଗତ ନାୟକ ଗତବର୍ଷ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥଲା । ଏମିତିକି ସହିଦ୍‌ ସ୍ମୃତି ଦିବସରେ ପୁଲିସ୍‌ ମୁଖ୍ୟାଳୟରେ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଆଇପିଏସ୍‌ ଅଫିସରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏତେସବୁ ପ୍ରକ୍ରିୟା ପରେ ମୃତ ସୁବେଦାର କାମପାଳଙ୍କ ନାଁ କିପରି ପୁଲିସ ବଦଳି ତାଲିକାରେ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପକ୍ଷରେ ଜଣେ ମୃତ ଅଧିକାରୀଙ୍କ ନାଁ କିପରି ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ(ପିଇବି)କୁ ବଦଳି ପାଇଁ ସୁପାରିସ କରାଗଲା ଏବଂ ଏଠାରେ କିପରି କର୍ମଚାରୀଙ୍କ ବାବଦରେ କୌଣସି ତଥ୍ୟ ସଂଗ୍ରହ କରାନଯାଇ ବା ତର୍ଜମା କରାନଯାଇ ବଦଳି ତାଲିକାରେ ମୋହର ମରାଗଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.