କାବୁ ହେଲା ଉତ୍ପାତିଆ ହନୁ ମାଙ୍କଡ଼, ଟ୍ରାଙ୍କୁଲାଇଜ୍ ପରେ ଏବେ ନୂଆ ଠିକଣା ନନ୍ଦନକାନନ

Published By : Prameya-News7 Bureau | May 10, 2020 IST

ମେଣ୍ଢାଶାଳ ୧୦।୦୫: ଶେଷରେ କାବୁ ହେଲା ଉତ୍ପାତିଆ ହନୁ ମାଙ୍କଡ଼ । ଦୀର୍ଘ ୨ ମାସ ଧରି ମାଙ୍କଡ଼ଟି ଚନ୍ଦକା ରେଞ୍ଜ୍‌ ଅନ୍ତର୍ଗତ ଗିରିଙ୍ଗାପୁଟ ଅଞ୍ଚଳରେ ଆତଙ୍କ ଖେଳାଇ ଥିଲା । ୩୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଘାଇଲା କରିଥିବା ବେଳେ ଗତକାଲି ଜଣେ ବୃଦ୍ଧାଙ୍କୁ ଖିନ୍‌ଭିନ୍‌ କରି ମାରି ଦେଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶନିବାର ବନ ବିଭାଗ ନନ୍ଦନକାନନରୁ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଡକାଇ ହନୁକୁ କାବୁ କରିବାରେ ସଫଳ ହୋଇଥିଲା ।

ସୂଚନାଯୋଗ୍ୟ, ହନୁ ମାଙ୍କଡ଼ଟି ପ୍ରାୟ ୨ ମାସ ଧରି ଗିରିଙ୍ଗାପୁଟ ଗ୍ରାମକୁ ପଳାଇ ଆସିଥିଲା । ଯାହାକୁ ଦେଖୁଥିଲା ଗୋଡ଼ାଇ କାମୁଡ଼ୁ ଥିଲା । ୩୦ରୁ ଅଧିକ ଲୋକଙ୍କୁ ଘାଇଲା କରି ଦେଇଥିଲା । ଫଳରେ ଗ୍ରାମରେ ଏକ ପ୍ରକାର ଆତଙ୍କ ଖେଳି ଯାଇଥିଲା । ବାରମ୍ବାର ଲୋକେ ବନ ବିଭାଗକୁ ଜଣାଉଥିଲେ ମଧ୍ୟ କେହି ଶୁଣୁ ନଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ମଧ୍ୟାହ୍ନରେ ଗ୍ରାମର କମଳୀ ମାଝି(୬୦) ଜଣେ ସଂପର୍କୀୟଙ୍କ ବାଇକ୍‌ ପଛରେ ବସି ଘରକୁ ଫେରୁଥିଲେ । ସେମାନେ ଗାଁ ମୁଣ୍ଡରେ ପହଞ୍ଚି ଥିବା ବେଳେ ହନୁଟି ହଠାତ୍‌ କମଳୀଙ୍କ ଉପରକୁ ଲମ୍ଫ ଦେଇଥିଲା । ଫଳରେ କମଳୀ ବାଇକ୍‌ ସହ ତଳେ ପଡ଼ି ଯାଇଥିଲେ । ହନୁ ତାଙ୍କୁ କାମୁଡ଼ି ଗୁରୁତର କରି ପକାଇଥିଲା । ବାଇକ୍‌ ଆରୋହୀ ଓ ଗ୍ରାମର ଅନ୍ୟ ଲୋକମାନେ ଗୋଡ଼ାଇ ଆସିବାରୁ ହନୁଟି କମଳୀଙ୍କୁ ଛାଡ଼ି ପଳାଇଥିଲା । କମଳୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ କମଳୀଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବାପରେ ଗିରିଙ୍ଗାପୁଟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚନ୍ଦକା ଥାନା ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଚନ୍ଦକା ରେଞ୍ଜ୍‌ ଅଫିସର ଜୟକୃଷ୍ଣ ପଣ୍ଡା ନନ୍ଦନକାନନରୁ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଡକାଇ ଗିରିଙ୍ଗାପୁଟରେ ପହଞ୍ଚି ଥିଲେ । ଅପରେସନ୍‌ ଆରମ୍ଭ କରିଥିଲେ । ହନୁ ପଛରେ ପଡ଼ି ଯାଇଥିଲେ ବନବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ । ହନୁଟି ଗ୍ରାମର ସୁରେନ୍ଦ୍ର ପରିଡ଼ାଙ୍କ ବାଡ଼ିରେ ଥିବା ଆମ୍ବ ଗଛରେ ବସିଥିଲା । ପରେ ସେଠାରୁ ଖସି ସୁରେନ୍ଦ୍ରଙ୍କ ଗୁହାଳ ଅଧା କାନ୍ଥରେ ବସିଥିବା ବେଳେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା । ଫଳରେ ହନୁ ସେହିଠାରେ ଅଚେତ ହୋଇ ପଡ଼ିଥିଲା । ବନବିଭାଗ ଟିମ୍‌ ହନୁକୁ ବାନ୍ଧି ନେଇ ନନ୍ଦନକାନନରେ ଛାଡ଼ି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.