ଯାଜପୁର ବିଧାନସଭା ଆସନ: ପ୍ରାର୍ଥୀ ଅନେକ, କିନ୍ତୁ ଲଢେଇ ତ୍ରିକୋଣୀୟ-ଜାଣନ୍ତୁ କାହା ପଟ ଭାରି

Published By : Prameya-News7 Bureau | April 24, 2019 IST

ଯାଜପୁର୨୪|୪ (ସୁରେନ୍ଦ୍ର ସାମଲ):  ଯାଜପୁର ବିଧାନସଭା ଆସନରେ ପ୍ରଚାର ଶିଖର ଛୁଇଁଛି । ଶେଷ ପର୍ଯ୍ୟାୟ ମତଦାନରେ ଆସୁଥିବା ଏହି ବିଧାନସଭା ଆସନରେ ରୋଚକ ସ୍ଥିତିରେ ରାଜନୈତିକ ପାଣିପାଗ । ଜିତିବାକୁ ତିନି ପ୍ରମୁଖ ଦଳ ବିଜେଡ଼ି , ବିଜେପି  ଏବଂ  କଂଗ୍ରେସ  ଆଣ୍ଟାଭିଡିଛନ୍ତି ।  ତେବେ ବିଧାନସଭା ଲଢେଇରେ ସମତାକ୍ରାନ୍ତୀ ଦଳ , କଳିଙ୍ଗସେନା ସହ ସ୍ବାଧୀନ ପ୍ରାର୍ଥୀ ବି ଅଛନ୍ତି । କିଏ ପୁରୁଣା ପ୍ରାର୍ଥୀକୁ  ପୁଣି ଭରସା କରି  ଟିକେଟ ଦେଇଛି ତ ଆଉ କିଏ  ନୂଆ ମୁହଁ ଉପରେ ଆସ୍ଥା ପ୍ରକଟ କରିଛି ।  ହାର ଜିତ୍‌ର ଅଙ୍କ କଷା ଜାରି ଥିବା ବେଳେ, ମତଦାନର ଦିନକୁ ଅପେକ୍ଷା । 

{"id":106922}

ପ୍ରାର୍ଥୀ ଅନେକ, କିନ୍ତୁ ଲଢେଇ ତ୍ରିକୋଣୀୟ । ଯାଜପୁର ବିଧାନସଭା ଆସନରେ ଏଥର ଭୋଟ ଲଢେଇରେ ତିନି ପ୍ରମୂଖ ଦଳଙ୍କ ପ୍ରାର୍ଥୀ ହିଁ ପ୍ରମୂଖ ପ୍ରତିଦ୍ବନ୍ଦ୍ବି ।  ଲଗାତର ଭାବେ ଏହି ଆସନ ଜିତିଆସୁଥିବା ବିଜୁ ଜନତା ଦଳ ଏହି ଆସନରେ ପୁଣି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି । ଜିତିଲେ ସେ କରିବେ ହ୍ୟାଟ୍ରିକ୍‌ ।

{"id":106924}

ତେବେ ୨୦୦୯ ଏବଂ ୨୦୧୪ ଠାରୁ ଭିନ୍ନ ୨୦୧୯ । ଏଥର ମୁକାବିଲା କଡା ହେବା ଆଶଙ୍କା ବେଶି । ସେପଟେ ୨୦୧୪ର ପ୍ରାର୍ଥୀଙ୍କୁ ଏବେ ରିପିଟ କରିନି ବିଜେପି । ଜଗନ୍ନାଥ ପ୍ରସାଦ ସାମଲଙ୍କ ବଦଳରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି, ଯାଜପୁର ବିଜେପି ଜିଲ୍ଲା ସଭାପତି ଗୌତମ ରାୟ । ଗୋତମ ରାୟ ୨୦୦୯ରେ ବିଜେପି ପ୍ରାର୍ଥୀ ହୋଇ ହାରିଥିଲେ । ତେବେ ଗୌତମଙ୍କ ସାଂଗଠନିକ ଦକ୍ଷତାକୁ ନେଇ ପୁଣି ତାଙ୍କୁ ଭରସା କରିଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ମଣ୍ଡଳୀର ବିକାଶ ସହ ରାଜ୍ୟ ସରକାରଙ୍କ ଯୋଜନା ସବୁ ପ୍ରଣବଙ୍କୁ  ପୁଣି ବିଜୟ ଆଶାବାଦୀ କରିଛି ।  ସେପଟେ ମୋଦୀଙ୍କର ଲୋକପ୍ରିୟତା ଓ ବିକାଶ ମୁଖୀ  କାର୍ଯ୍ୟକୁ ଆଧାର କରି ବିଜୟ ଲକ୍ଷ୍ୟ ରଖିଛନ୍ତି ଗୌତମ ।

{"id":106923}

ସେପଟରେ  ଗତ ଦୁଇ ନିର୍ବାଚନରେ ହାରି ଥିଲେ ବି ଦୁଇ ନମ୍ବରରେ ରହିଥିବା କଂଗ୍ରେସ  ପ୍ରାର୍ଥୀ ସନ୍ତୋଷ ନନ୍ଦଙ୍କୁ ଦଳ ଏଥର ବି ପ୍ରାର୍ଥୀ କରିଛି ।  ପ୍ରଚାରରେ ଉଭୟ ବିଜେଡି ଏବଂ ବିଜେପିକୁ ତୀବ୍ର ଆକ୍ଷେପ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ । ବିଜେଡ଼ି - ବିଜେପି ଭାଇ- ଭାଇ ଓ ସେମାନେ  ଅନ୍ୟାୟ  ଏବଂ ଦୁର୍ନୀତି ର ଚରମସୀମାରେ ପହଞ୍ଚିଥିବା ଆକ୍ଷେପ କରୁଛନ୍ତି ସନ୍ତୋଷ । ସେହି ଆଧାରରେ ଏଥର ସେ ସଫଳତା ନେଇ ଆଶାବାଦୀ ।  

{"id":106925}

ଯାଜପୁରରେ ଚତୁର୍ଥ ପର୍ଯ୍ୟାୟରେ , ଏପ୍ରିଲ ୨୯ ରେ ହେବ ମତଦାନ । ମୋଟ ୨ ଲକ୍ଷ ୨୩ ହଜାର ୨୩୦ ମତଦାତା ୨୬୩ ବୁଥ୍‌ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନେ ହିଁ  ବାଛିବେ କିଏ ୨୦୧୯ ର  ଯାଜପୁର ବିଧାନସଭା ପ୍ରତିନିଧି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.