Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ, ନବରାତ୍ର-ଦଶହରା ଓ ଦୀପାବଳିରେ ଦେଶକୁ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର

14/09/2021 at 11:08 PM

ନୂଆଦିଲ୍ଲୀ ୧୪।୦୯: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ମିଳିଛି ବଡ ସଫଳତା। ଦେଶକୁ ଦୋହଲାଇବାକୁ ଷଡଯନ୍ତ୍ର ରଚିଥିବା ଛଅ ଆତଙ୍କବାଦୀ ହେଲେ ଗିରଫ। ଏଥିରୁ ଦୁଇ ଜଣ ଆତଙ୍କବାଦୀ ନିକଟରେ ପାକିସ୍ତାନରୁ ପ୍ରଶିକ୍ଷଣ ନେଇ ଫେରିଥିଲେ। ଏହି ସବୁ ଆତଙ୍କବାଦୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶକୁ ଦୋହଲାଇବାକୁ ଷଡଯନ୍ତ୍ର ରଚିଥିଲେ। ହେଲେ ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ ମଧ୍ୟ ସାମ୍ନାକୁ ଆସିଛି।

ଆତଙ୍କବାଦୀଙ୍କ ଏହି ମୋଡ୍ୟୁଲର ପର୍ଦ୍ଦାଫାଶ ହେବା ସହ ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଅଣ୍ଡରଓ୍ଵାର୍ଲ୍ଡର ସଂପର୍କ ସାମ୍ନାକୁ ଆସିଛି। ଆଇଏସଆଇ ଅଣ୍ଡରଓ୍ଵାର୍ଲ୍ଡ ସହ ମିଶି ଭାରତକୁ ଦୋହଲାଇବାକୁ ନୂତନ ରଣନୀତି ଆପଣେଇଥିଲା। ଏଥିରୁ ଗୋଟିଏ ଗ୍ରୁପକୁ ନବରାତ୍ର ଏବଂ ରାମଲୀଲା ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ବୋମା ବିସ୍ଫୋରଣ କରାଇବା ଏବଂ ସ୍ଥାନ ଚିହ୍ନଟ କରାଇବାକୁ ପଠାଯିବାର ଯୋଜନା ଥିଲା।

ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ପୋଲିସ କମିଶନର(ସ୍ପେଶାଲ ସେଲ୍) ନୀରଜ ଠାକୁର କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସିଠୁ ଇନପୁଟ୍ ମିଳିଥିଲା ଯେ, ଏକ ପାକ୍ ପ୍ରାୟୋଜିତ ସଂସ୍ଥାର ଗ୍ରୁପ ଭାରତରେ ସିରିଏଲ ବୋମା ବିସ୍ଫୋରଣ କରାଇବାକୁ ଯୋଜନା କରିଛି। ବୋମା ବିସ୍ଫୋରଣ ପାଇଁ ସୀମା ପାରରୁ ପ୍ରସ୍ତୁତି କରାଯାଉଥିଲା। ଏହା ମଧ୍ୟ ଜଣା ପଡିଥିଲା ଯେ, ଏହି ସବୁ ଆତଙ୍କବାଦୀଙ୍କ ନେଟ୍‌ଓ୍ଵର୍କ ଦିଲ୍ଲୀ,  ୟୁପି ଓ ମହାରାଷ୍ଟ୍ର ସମେତ ଦେଶର ଅନେକ ଭାଗରେ ବ୍ୟାପିଛି।

ଗୁଇନ୍ଦା ତଥ୍ୟକୁ ଆଧାର କରି ଏସିପି ଲଳିତ ମୋହନ ନେଗି ଓ ହୃଦୟ ଭୂଷଣଙ୍କ ତତ୍ଵାବଧାନରେ ଇନ୍ସପେକ୍ଟର ସୁନିଜ ରାଜୈନ, ଇନ୍ସପେକ୍ଟର ରବୀନ୍ଦ୍ର ଯୋଶୀ ଏବଂ ବିନୟ ପାଲଙ୍କୁ ନେଇ ଏକ ସ୍ଵତନ୍ତ୍ର ଦଳ ଗଠନ କରାଯାଇଥିଲା। ଦେଶରେ ଏକ ସଙ୍ଗେ ଅନେକ ସ୍ଥାନରେ ତଲାସି ଅଭିଯାନ କରାଯାଇଥିଲା। ଅନେକ ଦଳକୁ ମୁମ୍ବାଇ, ଲକ୍ଷ୍ନୌ, ପ୍ରୟାଗରାଜ, ରାୟ ବରେଲୀ, ପ୍ରତାପଗଢ  ପଠାଯାଇଥିଲା। ଏକ ସଙ୍ଗେ ଏସବୁ ସ୍ଥାନରେ ସ୍ପେଶାଲ ସେଲ୍‌ର ଟିମ୍ ଚଢାଉ କରିଥିଲେ।

ସର୍ବ ପ୍ରଥମେ ଅଣ୍ଡରଓ୍ଵାର୍ଲ୍ଡ ସହ ଯୋଗାଯୋଗରେ ଥିବା ମୁମ୍ବାଇ ନିବାସୀ ସୋଶଲ ନଗରର ଜାନ ମହମ୍ମଦ ଶେଖ ଓରଫ ସମୀର କାଲିଆ(୪୭)କୁ ରାଜସ୍ଥାନର କୋଟା ନିକଟରୁ ଗିରଫ କରାଯାଇଥିଲା। ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଏହା ପରେ ଦିଲ୍ଲୀର ଓଖଲା ଜାମିଆ ନଗର ନିବାସୀ ଓସାମା ଓରଫ ସମି(୨୨)କୁ ଦିଲ୍ଲୀର ଓଖଲାରୁ ଗିରଫ କରାଯାଇଥିଲା। ଏହା ପରେ ଦିଲ୍ଲୀ ବହରାଇଚର ଯପୁ ନିବାସୀ ମହମ୍ମଦ ଅବୁ ବକର(୨୩)କୁ ଦିଲ୍ଲୀର ସରାୟ କାଲେ ଖାନରୁ, ଆହ୍ଲାବାଦର କାରେଲୀ ନିବାସୀ ଜିଶାନ କମର(୨୮)କୁ ଆହ୍ଲାବାଦରୁ, ଲକ୍ଷ୍ନୌର ବକଶିକାର ମହମ୍ମଦ ଆମିର ଜାଭେଦୀ(୩୧)କୁ ଲକ୍ଷ୍ନୌରୁ, ରାୟବରେଲୀ ନିବାସୀ ମୂଲଚନ୍ଦ ଓରଫ ସାଜୁ(୪୭)କୁ ରାୟବରେଲୀରୁ ଗିରଫ କରାଯାଇଛି।

ଏହି ଅପରେସନରେ ୟୁପି ଏଟିଏସ ଦିଲ୍ଲୀ ପୋଲିସକୁ ସହଯୋଗ କରିଥିଲା। ଓସାମା ଓ ଜିଶାନ ଏପ୍ରିଲରେ ପାକିସ୍ତାନ ଟ୍ରେନିଂ ନେବାକୁ ଯାଇଥିଲା। ସେଠାରେ ବିସ୍ଫୋରକ ପ୍ରସ୍ତୁତ କରିବା ଏବଂ ହତିଆର ଚଳାଇବା ଶିଖିଥିଲା। ଜେରା ବେଳେ ଜଣା ପଡିଛି ଯେ, ଏହି ମୋଡ୍ୟୁଲକୁ ଜଣେ ସ୍ଲିପର ସେଲ୍‌ର ସଞ୍ଚାଳକଠୁ ଆଇଇଡି, ଗ୍ରେନେଡ, ପିସ୍ତଲ ଓ ଗୁଳି ମିଳିଥିଲା।

   Related Posts