ମିଳୁଛି ତାଲିମ, କିନ୍ତୁ ଚାକିରି ପାଇଁ ଯୋଗ୍ୟ ନୁହନ୍ତି ଓଡ଼ିଶାର ଛାତ୍ରଛାତ୍ରୀ, ମାନଚିତ୍ରରେ ନାହିଁ ଭୁବନେଶ୍ଵର: ଦି ସ୍କିଲ ଇଣ୍ତିଆ ରିପୋର୍ଟ ୨୦୨୧

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ/ଭୁବନେଶ୍ଵର ୦୩।୦୩:  ତାଲିମ ଦିଆଯାଉଛି । ହେଲେ ଓଡିଶା ପିଲାଙ୍କ ଭିତରେ ଯଥେଷ୍ଟ ଦକ୍ଷତା ନାହିଁ। ଚାକିରୀ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାର ପଛରେ ପଡିଯାଉଛନ୍ତି ଆମ ରାଜ୍ୟ ପିଲା । ଦି ସ୍କିଲ ଇଣ୍ତିଆ ରିପୋର୍ଟ ୨୦୨୧ରେ ଏଭଳି କିଛି ତଥ୍ୟ ରହିଛି।  ରିପୋର୍ଟ ଅନୁସାରେ ଓଡ଼ିଶାର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିଯୋଗ୍ୟ ନୁହନ୍ତି। ଯେଉଁ ଦକ୍ଷତା ଆହରଣ କରିଛନ୍ତି ତାହା ଭଲ ଚାକିରି ପାଇଁ ପର୍ଯ୍ୟାପ୍ତ ନୁହେଁ। ଦି ଇଣ୍ଡିଆ ସ୍କିଲ୍‌ସ ରିପୋର୍ଟ ୨୦୨୧ରେ ଏଭଳି  ତଥ୍ୟ ପଦାକୁ ଆସିଛି।

ନିଯୁକ୍ତି ଦକ୍ଷତା ଥିବା ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ତେଲେ‌ଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଯଥାକ୍ରମେ ପ୍ରଥମରୁ ଦଶମ ସ୍ଥାନ ହାସଲ କରିଛନ୍ତି। କିନ୍ତୁ ଦକ୍ଷତା ଉପଲବ୍ଧତାକୁ ନେଇ ପ୍ରସ୍ତୁତ ହୋଇଥିବା ରାଜ୍ୟଗୁଡ଼ିକର ପାହ୍ୟାରେ ଓଡ଼ିଶା‌ ଶୀର୍ଷ ୧୦ରେ ସ୍ଥାନ ପାଇନାହିଁ। ଇଂରାଜୀ, ନ୍ୟୁମରିକାଲ ଆବିଲିଟି, କ୍ରିଟିକାଲ ଥିଙ୍କିଙ୍ଗ୍ ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଛି।

ମାନଚିତ୍ରରେ ନାହିଁ ଭୁବନେଶ୍ଵର

ଭୁବନେଶ୍ବର ଦେଶର ଏକ ସ୍ମାର୍ଟସିଟି ହୋଇଥିଲେ ମଧ୍ୟ ଏହା ରୋଜଗାର କ୍ଷମତାସଂପନ୍ନ ସହରର ମାନଚିତ୍ରରେ ସ୍ଥାନ ପାଇନାହିଁ। ଏହି କାଟାଗୋରିର ସହର  ମଧ୍ୟରେ ହାଇଦ୍ରାବାଦ ପ୍ରଥମ ସ୍ଥାନରେ ଥିବାବେଳେ ବେଙ୍ଗଲୁରୁ ଦ୍ବିତୀୟ, ପୁନେ ତୃତୀୟ, ନୂଆଦିଲ୍ଲୀ ଚତୁର୍ଥ ଏବଂ ଚେନ୍ନାଇ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିଭଳି ଲ‌କ୍ଷ୍ନୌ, କୋଏମ୍ବାଟୋର, ନେଲୋର, ଗୁରୁଗ୍ରାମ ଏବଂ ମାଙ୍ଗାଲୁରୁ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନ‌ରେ ରହିଛନ୍ତି। ନିଯୁକ୍ତି ପାଇଁ ଓଡ଼ିଶାରେ ଦକ୍ଷତା ଅଭାବ ପ୍ରମୁଖ କାରଣ ଭାବେ ଦର୍ଶାଯାଇଛି। ଏଥିସହିତ ଏହି ରିପୋର୍ଟରେ ସରକାର ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦ୍ୟମ ନଥିବା ମଧ୍ୟ ଉଲ୍ଲେଖ କରାଯାଇଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

୨୦୨୦ ତୁଳନାରେ ୨୦୨୧ରେ ମୋଟ ନିଯୁକ୍ତିରେ ୨୧ ପ୍ରତିଶତ ବୃଦ୍ଧି ଘଟିବ । ଦେଶର ଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ନିଯୁକ୍ତି ଚାହିଦା ଅଧିକ ଥିବାବେଳେ ଏଠାରେ ସର୍ବାଧିକ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଛି। ସେହିଭଳି ନିଯୁକ୍ତି ଯୋଗ୍ୟ ପ୍ରତିଭାଙ୍କ ଯୋଗାଣ କ୍ଷେତ୍ରରେ ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଓଡ଼ିଶା ସହିତ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ଏଥିରେ ସ୍ଥାନ ପାଇଛନ୍ତି। ଏପଟେ ବିଜେଡି କହିଛି ଛାତ୍ରଛାତ୍ରୀଙ୍କ ଭିତରେ ଦକ୍ଷତା ବଢ଼ାଇବା ପାଇଁ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ  ଛାତ୍ରଛାତ୍ରଙ୍କୁ ତାଲିମ ଦେବା ପାଇଁ ୧୦୦ କୋଟି ବ୍ୟୟ ବରାଦ କରିଛନ୍ତି।

ଦେଶରେ ୨୦୧୫ ମସିହାରୁ ୨୦୨୧ ମସିହା ମଧ୍ୟରେ ନିଯୁକ୍ତି କ୍ଷମତାରେ ପରିବର୍ତ୍ତନ ଆସିଛି ।୨୦୨୦ରେ ଏହା ୪୬. ୨୧ ପ୍ରତିଶତ ଥିବା ବେଳେ ୨୦୨୧ରେ ଏହା ୪୫.୯ ପ୍ରତିଶତକୁ ହ୍ରାସ ପାଇଛି। ଦେଶରେ ଚଳିତବର୍ଷ ବିଇ/ବିଟେକ୍ କ୍ଷେତ୍ରରେ ସର୍ବାଧିକ ୪୬.୮୨ ପ୍ରତିଶତ ନିଯୁକ୍ତି ପାଇଁ ପ୍ରତିଭା ଥିବା ବେଳେ ଏହାପଛକୁ ଏମବିଏ ୪୬.୫୯ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦେଶରେ ନିଯୁକ୍ତି କ୍ଷମତା ମଧ୍ୟ ଉତ୍ଥାନ ପତନ ଦେଇ ଗତି କରୁଛି। ନିଯୁକ୍ତି ଆବଶ୍ୟକତା ୨୦୨୦ରେ ୧୦ ପ୍ରତିଶତ ଥିବାବେଳେ ୨୦୨୧ରେ ଏହା ୧୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧ରେ ବ୍ୟାଙ୍କିଂ ଫାଇନାନ୍ସିଆଲ ସର୍ଭିସେସ୍ ଏବଂ ବୀମା (ବିଏଫ୍ଏସ୍ଆଇ), ସଫ୍ଟୱେର/ହାର୍ଡୱେର, ଆଇଟି ଏବଂ ଇଣ୍ଟରନେଟ୍ ବ୍ୟବସାୟରେ ନିଯୁକ୍ତି ଅଧିକ ରହିବ ବୋଲି ରିପୋର୍ଟରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.