ମାମୁଁ ଭାଣିଜୀଙ୍କୁ କରିଥଲା ପ୍ରପୋଜ : ମନା କରିବାରୁ ଭାଣିଜୀକୁ ଛୁରୀ ଭୁଷି ନିଜେ ଖାଇଲା ବିଷ,ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | April 29, 2019 IST

ନୂଆଦିଲ୍ଲୀ ୨୯/୪: ତାମିଲନାଡ଼ୁରେ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମାମୁଁ ତାଙ୍କ ଭାଣିଜୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଭାଣିଜୀ ତା’ର ପ୍ରସ୍ତାବକୁ ଅସ୍ବୀକାର କରିଥିଲେ। ଏହାପରେ ମାମୁଁ ରାଗିଯାଇ ଭାଣିଜୀକୁ ଛୁରୀ ଭୁଷି ଦେଇଥିଲା। ଭାଣିଜୀକୁ ଆକ୍ରମଣ କରିବା ପରେ ମାମୁଁ ବିଷ ଖାଇ ଦେଇଥିଲା। ଏହି ଘଟଣା ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସଙ୍କ କହିବାନୁସାରେ ଅଭିଯୁକ୍ତ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଅଭିଯୁକ୍ତକୁ ‘ଆଟେମ୍ଫ୍ଟ ଅଫ ମର୍ଡ଼ର’ ଅଭିଯୋଗରେ ଗିରଫ କରାଯିବ। ଏବେ ଅଭିଯୁକ୍ତର ଓ୍ବାର୍ଡ଼କୁ ଏବଂ ତା’ର ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି।

ଏହି ପୀଡ଼ିତ ଯୁବତୀଙ୍କ ନାଁ ଜୟନ୍ତୀ ବୋଲି ଜଣାଯାଇଛି। ଜୟନ୍ତୀ ତାମିଲନାଡ଼ୁର କାଞ୍ଚିପୁରମରେ ଥିବା ଇଚୁର ଗାଁରେ ରୁହନ୍ତି। ସେ ଏକ ହସ୍ପିଟାଲରେ ନର୍ସ କାମ ଶିଖୁଛନ୍ତି। ଅଭିଯୁକ୍ତର ନାଁ ମୁଥୁ ବୋଲି ସୂଚନା ମିଳିଛି। ମୁଥୁ ବନ୍ଦଲୁରର ଏକ ପ୍ରାଇଭେଟ କମ୍ପାନୀରେ ଏୟାର କଣ୍ଡିସନର ମେକାନିକର କାମ କରେ। ମୁଥୁ ଯୁବତୀଙ୍କୁ ବିବାହ କରିବାକୁ ବହୁତ ବାଧ୍ୟ କରିଥିଲା କିନ୍ତୁ ଯୁବତୀଜଣକ ତାକୁ ବିବାହ ନକରିବାକୁ ମନା କରିଦେଇଥିଲେ।

ନିଜ ଉଦ୍ୟମରେ ବିଫଳ ହେବା ପରେ ମୁଥୁ ଶନିବାର ସକାଳ ୧୧ଟାରେ ପୀଡ଼ିତାଙ୍କ ଅଫିସ୍ ପହଞ୍ଚିଥିଲା ଏବଂ ଯୁବତୀଙ୍କୁ ଦାମୀ ଉପହାର ଦେଇ ତାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲା। କିନ୍ତୁ ଜୟନ୍ତୀ ମୁଥୁକୁ ତାଙ୍କ ଅଫିସରୁ ବାହାରି ଯିବାକୁ କହିବାରୁ ମୁଥୁ ରାଗିଯାଇ ଜୟନ୍ତୀଙ୍କ ବେକକୁ ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଜୟନ୍ତୀ ନିଜକୁ ତା’ କବଳରୁ ରକ୍ଷା କରିବାକୁ ସମର୍ଥ ହୋଇଥିଲେ।

କୁହାଯାଉଛି ଯେ ତାଙ୍କ ବେକ ଏବଂ କାନ୍ଧରେ ସାମାନ୍ୟ ଆଘାତ ଲାଗିଥିଲା। ଜୟନ୍ତୀ ତୁରନ୍ତ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ। ସେତିକିବେଳେ ହସ୍ପିଟାଲ କର୍ମଚାରୀ ତାଙ୍କୁ ସାହାଯ୍ୟ କରିବା ପାଇଁ ତୁରନ୍ତ ଧାଇଁ ଆସିଥିଲେ। ଏହି ସମୟରେ ମୁଥୁ ହସ୍ପିଟାଲ ଛାତକୁ ଯାଇ ବିଷ ଖାଇ ଦେଇଥିଲା। ଏହି ଘଟଣା ଘଟିବା ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଉଭୟଙ୍କର ଅବସ୍ଥା ବିପଦମୁକ୍ତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.