ଅସୁରକ୍ଷିତ ଗଜରାଜ ; କେନ୍ଦୁଝର ଜିଲ୍ଲାରେ ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ

Published By : Prameya-News7 Bureau | November 22, 2018 IST

କେନ୍ଦୁଝର ୨୨|୧୧:  ଅସୁରକ୍ଷିତ ଗଜରାଜ । କେନ୍ଦୁଝର ଜିଲ୍ଲାରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଛି ।  ସଦର ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ଏହି ଅଘଟଣ ଘଟିଛି । ଗତକାଲି ରାତି ସାଢେ ୧୦ଟାରେ ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରେନ୍ ଧକ୍କା ଦେବା ଫଳରେ ମାଈ ହାତୀଟିର ମୃତ୍ୟୁ ଘଟିଛି । ୭ ଟିକିଆ ହାତୀ ପଲ ଟ୍ରେନ୍ ଲାଇନ୍  ଅତିକ୍ରମ କରୁଥିବା ବେଳେ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଜଣାପଡିଛି । ଟ୍ରେନ ଧକ୍କାରେ ମାଈ ହାତୀଟି ରେଳ ଧାରଣାରେ ପ୍ରାୟ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ହାତୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହାତୀ ମୃତ୍ୟୁ ପାଇଁ ରେଲ ବିଭାଗକୁ ଦାୟୀ କରିଛି । ରେଳ ବିଭାଗର ଦାୟିତ୍ବହୀନତା ଯୋଗୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ବଣୁଆ ହାତୀ ପଲ ଚଳପ୍ରଚଳ ହେଉଛନ୍ତି  । ଆଉ ଏ ସମ୍ପର୍କରେ ପ୍ରତିଦିନ ସକାଳେ ଥରେ ଓ ସଂଧ୍ୟାରେ ଥରେ ବନ ବିଭାଗ ପକ୍ଷରୁ ରେଳ ବିଭାଗକୁ ରିପୋର୍ଟ ଦିଆଯାଏ । ଏବଂ ଗତକାଲି ସଂନ୍ଧ୍ୟା ୬ ଟା ୨୦ ମିନଟ୍ ସମୟରେ ମଧ୍ୟ ବନ ବିଭାଗ ପକ୍ଷରୁ ଖୋର୍ଦ୍ଧ। ରୋଡ୍ ରେଳ ଡିଭିଜନକୁ ଏ ଅଞ୍ଚଳରେ ବଣୁଆ ହାତୀପଲ ଚଳପ୍ରଚଳ ହେଉଥିବା କଥା ସୂଚିତ କରାଯାଇଥିଲା । ଏହି ଟ୍ରାକରେ ସ୍ପିଡ୍ କମାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । କିନ୍ତୁ ମାଲବାହୀ ଟ୍ରେନ ସ୍ପିଡ କମାଇନଥିବା ଜଣାପଡିଛି । ଟ୍ରେନ ଡ୍ରାଇଭରଙ୍କୁ ଅଟକ ରଖି ବନ ବିଭାଗ ପଚରା ଉଚୁରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.