ଲୌହ ଦାନବର ରକ୍ତ ଭୋଜି : ଟ୍ରକ୍ ଓ ବାଇକ୍‌କୁ ଧକ୍କା ଦେଲା ଟ୍ରେନ୍, ଗୋଟିଏ ପରିବାରର ୫ ମୃତ

Published By : Prameya-News7 Bureau | April 22, 2021 IST

ଲକ୍ଷ୍ନୌ, ୨୨/୦୪: ଭୟଙ୍କର ରେଳ ଦୁର୍ଘଟଣା । ଟ୍ରକ୍ ଓ ବାଇକ ଉପରେ ଚଢିଗଲା ଚଣ୍ଡିଗଡ-ଲକ୍ଷ୍ନୌ ଏକ୍ସପ୍ରେସ୍  । ଉତ୍ତରପ୍ରଦେଶର ଶାହଜାହାଁପୁର ହୁଲାସନଗର ରେଳଫାଟକରେ ଏହି ଦୁର୍ଘଟଣା ଘଟିଛି । ଫାଟକ ବନ୍ଦ ହୋଇ ନଥିବାରୁ ରେଳଧାରଣା ଅତିକ୍ରମ କରୁଥିବା ଟ୍ରକ, ଟ୍ରେଲର ଓ ଦୁଇଟି ବାଇକ ସହ ଟ୍ରେନ୍ ଧକ୍କା ହେବା ଫଳରେ ୫ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଏହି ଅଘଟଣ ପରେ ଟ୍ରେନଟି ଓଲଟି ପଡିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲା ।

ସୂଚନା ଅନୁସାରେ, ଗୁରୁବାର ଭୋରରେ ହୁଲାସନଗରା ରେଳଫାଟକରେ ଡ୍ୟୁଟିରେ ଥିବା ଗେଟମ୍ୟାନ୍ ଜିତେନ୍ଦ୍ର ଯାଦବଙ୍କୁ ୩ ମିନିଟ୍ ପରେ ଟ୍ରେନ୍ ଆସିବା ନେଇ ସୂଚନା ମିଳିଥିଲା । ଏହି ସମୟରେ ରେଳ ଧାରଣା ଦେଇ ଅନେକ ଗାଡିମଟର ଚଳପ୍ରଚଳ କରୁଥିଲା । ତେବେ ହଠାତ୍ ଟ୍ରେନ୍ ପହଁଚି ଯାଇଥିଲା ଓ ଚଳପ୍ରଚଳ କରୁଥିବା ଗାଡିଗୁଡିକ ସହ ଧକ୍କା ହୋଇ ଚଢିଯାଇଥିଲା । ଟ୍ରେନ୍ ଚାଳକ ଜରୁରୀକାଳିନ ବ୍ରେକ୍ ଲଗାଇଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଗାଡି ଉପରେ ଏହା ଚଢିଯାଇଥିଲା । ଗେଟମ୍ୟାନ୍ ଜିତେନ୍ଦ୍ର ଫାଟକ ବନ୍ଦ କରିନଥିବାରୁ ଏହି ଅଘଟଣ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ଆଖପାଖ ଗାଁ ଲୋକେ ସାହାଯ୍ୟ ପାଇଁ ଆସିବା ସହ ଗାଡି ଭିତରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ସ୍ଥାନୀୟ ଥାନାଧିକାରୀ ପରମାନ୍ଦ ପାଣ୍ଡେୟ କହିଛନ୍ତି ଯେ, ୪ଟି ମୃତଦେହ ମିଳିଛି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ । ୨ ଗୁରୁତରଙ୍କ ମଧ୍ୟରୁ ଜଣେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ଶାହଜହାଁପୁର ଜିଲ୍ଲାପାଳ ଇନ୍ଦ୍ର ବିକ୍ରମ ସିଂ କହିଛନ୍ତି ଯେ, ଦୁର୍ଘଟଣାରେ ଟ୍ରକରେ ବସିଥିବା ୫ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତେ ଗୋଟିଏ ପରିବାରର ଅଟନ୍ତି । ଆହତଙ୍କର ଚିକିତ୍ସା ଚାଲିଛି । ଟ୍ରାକ୍‌କୁ କ୍ଲିଅର୍ କରାଯାଉଛି । ଦୁର୍ଘଟଣା ପରେ କିଛି ସମୟ ପାଇଁ ଅନେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏବେ ସ୍ଥିତି ସ୍ୱାଭାବିକ ହୋଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.