ମେ’ ୩ ପରେ ମଧ୍ୟ ଟ୍ରେନ୍ ଏବଂ ବିମାନ ଚଳାଚଳ ସ୍ୱଭାବିକ ସମ୍ଭାବନା କମ୍‌, ପ୍ରଧାନମନ୍ତ୍ରୀଙ୍କ ନିକଟକୁ ରିପୋର୍ଟ ପଠାଇଲେ GoM

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୪: ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ମେ ୩ ରେ ଶେଷ ହେବା ପରେ ମଧ୍ୟ ରେଳ ଏବଂ ବିମାନ ସେବା ଆରମ୍ଭ ହେବନାହିଁ । ଶନିବାର ଅନୁଷ୍ଠିତ ହୋଇଥିବା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GoM) ବୈଠକରୁ ଏଭଳି କିଛି ସୂଚନା ମିଳୁଥିବା ଜଣାପଡିଛି । ଶନିବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ ଘରୋଇ ବିମାନ କମ୍ପାନୀଗୁଡିକ ବିମାନ ଟିକେଟ୍ ବୁକିଂ କରିବା ଉଚିତ୍ ନୁହେଁ । ମେ ୪ ତାରିଖ ପରର ବିମାନ ସେବା ପାଇଁ କିଛି ବିମାନ କମ୍ପାନୀ ଟିକେଟ ବୁକିଂ ଆରମ୍ଭ କରିବା ପରେ ସେ ଏଭଳି ପ୍ରତିକ୍ରିୟା ରଖିଥିଲେ ।

ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ବରେ କୋଭିଡ-୧୯ ପାଇଁ GoMର ପଞ୍ଚମ ବୈଠକରେ ଏହି ବିଷୟ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଯାଇଛି । ସୂତ୍ର ଅନୁସାରେ, ମେ ୩ ପରେ ରେଳ ଓ ବିମାନ ସେବା ଆରମ୍ଭ ହେବ ନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି । GoM ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମତ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସ୍ଥିତିର ଆକଳନ ପରେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ଏଭଳି ପରିସ୍ଥିତିରେ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ କରିବା ସପକ୍ଷରେ GoM ନାହାଁନ୍ତି । ଟ୍ରେନରେ ସାମାଜିକ ଦୂରତାକୁ କଡାକଡି ପାଳନ କରିବା ସମ୍ଭବ ନୁହେଁ । ସୂତ୍ର ଅନୁସାରେ ଏୟାର ଇଣ୍ଡିଆ ଏବଂ ବେସରକାରୀ ଏୟାରଲାଇନ୍ସକୁ ମେ ୩ ପରେ ମଧ୍ୟ ବୁକ୍ ନକରିବାକୁ କୁହାଯାଇଛି ।

ଏହା ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏପର୍ଯ୍ୟନ୍ତ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଅର୍ଥାତ୍ ବର୍ତ୍ତମାନ ସମୟରେ ଭାରତରେ କୌଣସି ବିମାନ ସେବା ଆରମ୍ଭ ହେବ ନାହିଁ ।

କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ GoM ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଲକ୍ ଡାଉନ୍ ରେ ଜନସାଧାରଣଙ୍କ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କିପରି ହେବ ସେନେଇ ମନ୍ତ୍ରୀମାନେ ଆଲୋଚନା କରିଥିଲେ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ପୀୟୁଷ ଗୋୟଲ, ସ୍ମୃତି ଇରାନୀ, ସାନ୍ତୋଶ ଗାଙ୍ଗୱାର, ରମେଶ ପୋଖ୍ରିଆଲ, ରାମ ଭିଲାସ ପାସୱାନ, ଗିରିରାଜ ସିଂ ଯୋଗ ଦେଇଥିଲେ ।

ଦେଶରେ ୨୫ ମାର୍ଚ୍ଚରୁ ଲକ୍ ଡାଉନ୍ ଲାଗୁ ହେବା ପରଠାରୁ ଟ୍ରେନ୍, ବିମାନ, ବସ୍ ଚଳାଚଳ ବନ୍ଦ ରହିଛି । ପ୍ରଥମ ଲକ୍ ଡାଉନ୍ ଅପ୍ରେଲ ୧୪ ପର୍ଯ୍ୟନ୍ତ ଥିଲା, କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ପରେ ଏହାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.