ଅମୃତସରରେ ରାବଣପୋଡି ବେଳେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ; ୨୦ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | October 20, 2018 IST

ଅମୃତସର ୨୦|୧୦: ଦଶହରା ଉତ୍ସବରେ ସାରା ଦେଶ ମସଗୁଲ ଥିଲା, ଆଉ ଏପଟେ ଅମୃତସରରେ ରକ୍ତର ହୋଲି ଖେଳିଲା ଟ୍ରେନ୍ । ନିମିଷକ ଭିତରେ ଶହ ଶହ ଲୋକଙ୍କ ଉପରେ ମାଡିଗଲା ଟ୍ରେନ୍ । ଏଭଳି ଛାତିଥରା ଦୁର୍ଘଟଣାରେ ଏବେ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ନିଜ ପ୍ରିୟ ପରିଜନଙ୍କୁ ଖୋଜିବା ଲାଗି ଆଜି ସକାଳେ ଘଟଣାସ୍ଥଳରେ ଲୋକ ପହଞ୍ଚୁଥିବା ଦେଖିବାକି ମିଳୁଛି । ଘଟଣା ଲାଗି ଆୟୋଜକ, ସ୍ଥାନୀୟ ପ୍ରଶାସନ ଏବଂ ରେଳ ବିଭାଗକୁ ଦାୟୀ କରୁଛନ୍ତି ଲୋକ । ସୂଚନା ଅନୁସାରେ ପଞ୍ଜାବ ଅମୃତସରର ଯୋଡା ଫାଟକ ଗେଟ୍ ନମ୍ବର ୨୭ ପାଖରେ ରାବଣ ପୋଡି ଚାଲିଥିଲା । ଏହି ଉତ୍ସବକୁ ଉପଭୋଗ କରୁଥିଲେ ଶହ ଶହ ଲୋକ । ରାବଣ ପୁତୁଳାରେ ନିଆଁ ଲାଗିବା ପରେ ଘଟଣାସ୍ଥଳରୁ ହଟିଯିବା ପାଇଁ ଆୟୋଜକ ଘୋଷଣା କରିଥିଲେ । ଘୋଷଣା ଶୁଣିବା ପରେ ନିକଟସ୍ଥ ଟ୍ରାକ୍ ଉପରକୁ ଲୋକମାନେ ଚାଲିଆସିଥିଲେ । ତେବେ ଏହି ସମୟରେ ପଠାନକୋଟ୍ ପଟୁ ହଠାତ୍ ଟ୍ରେନ୍  ମାଡି ଆସିଥିଲା । ଲୋକମାନେ କିଛି ବୁଝିବା ପୂର୍ବରୁ ଟ୍ରେନ୍ ଲୋକଙ୍କ ଭିଡ ଉପରେ ମାଡି  ଚାଲିଯାଇଥିଲା । ରାବଣ ପୋଡିର ବାଣ ଫୁଟିବାର ଶବ୍ଦ ଥିବାରୁ ଲୋକେ ଟ୍ରେନ୍ ଆସିବାର ଶବ୍ଦକୁ ଜାଣି ପାରିନଥିଲେ । ଯେଉଁଥିପାଇଁ ଲୋକେ ସତର୍କ ହୋଇପାରିନଥିଲେ । ପ୍ରାୟ ୭୦୦ ଲୋକ ରାବଣ ପୋଡି ପାଇଁ ସେଠାରେ ଉପସ୍ଥିତ ଥିଲେ । ସଂପୃକ୍ତ ଟ୍ରେନ୍ ବିଳମ୍ବ ଥିବାରୁ ସେହି ସମୟରେ କୌଣସି ଟ୍ରେନ୍ ଚଳାଚଳ ନଥିଲା । ତେଣୁ ଟ୍ରାକ୍ ଉପରକୁ ଲୋକ ମାଡି ଆସିଥିଲେ । ଆଉ ଏହି ସମୟରେ ହିଁ ସେମାନଙ୍କ ଉପରେ ଜଳନ୍ଧର-ଅମୃତସର ଏକ୍ସପ୍ରେସ୍ ମାଡି ଯାଇଥିଲା । ଘଟଣାସ୍ଥଳରେ ହିଁ ୪୦ ଜଣଙ୍କର ଜୀବନ ଚାଲିଯାଇଥିଲା । ଘଟଣାସ୍ଥଳକୁ ତୁରନ୍ତ ଆମ୍ବୁଲାନସ ଏବଂ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କ ମଧ୍ୟରୁ ପ୍ରାୟ ୬୦ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏବେ ହସ୍ପିଟାଲରେ  ଚିକିତ୍ସିତ ହେଉଥିବା ୪୦ଜଣଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।  ରେଳ ଦୁର୍ଘଟଣା ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ତେଣୁ ଯଦି ରେଳର ବେଗ କମ୍ ରହିଥାଆନ୍ତା ତେବେ ଏତେ ବଡ ଦୁର୍ଘଟଣା ହୋଇନଥାନ୍ତା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଏଭଳି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି ।   କେଉଁ ପରିସ୍ଥିତିରେ ରେଳ ଧାରଣା କଡରେ ରାବଣ ପୋଡି ଆୟୋଜନ କରାଯାଉଥିଲା । ଲୋକମାନେ ଟ୍ରେନ୍ ଆସିବା ନେଇ କାହିଁକି ସତର୍କ ହୋଇ ପାରିଲେ ନାହିଁ । ଏ ସବୁର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘୋଷଣା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘଟଣାସ୍ଥଳକୁ ଯିବେ । ଦୁର୍ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଦେଖିବାକୁ ବିଭିନ୍ନ ରାଜନୈତିକ ଦଳର ଲୋକ ପହଞ୍ଚିବାରେ ଲାଗିଛନ୍ତି ।ଗତକାଲି ଦୁର୍ଘଟଣା ଘଟିବା ପରେ ହିଁ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘଟଣାସ୍ଥଳ ପରିଦର୍ଶନ କରିଥିଲ । ସେ କହିଛନ୍ତି ଯେ, ରେଳ ଫାଟକ ନିକଟରେ ରାବଣ ପୋଡି ହେଉଥିବା ନେଇ ରେଳ ବିଭାଗକୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ସୂଚନା ଥିଲେ ହୁଏତ ରେଳ ବିଭାଗ ସତର୍କତା ଅବଲମ୍ବନ କରିଥାଆନ୍ତା । ଅମୃତସର ବିଧାୟକ ନବଜୋତ ସିଂ ସିଦ୍ଧୁ ଆହତମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି । ସୂଚନାଯୋଗ୍ୟ ଯେ ଏହି ରାବଣପୋଡି ଉତ୍ସବରେ ମୁଖ୍ୟ ଅତିଥି ହୋଇ ଆସିଥିଲେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର । ଏହି ରେଳ ଦୁର୍ଘଟଣା ନେଇ ଅକାଳି ଦଳ ନେତା ଏବଂ ପୂର୍ବତନ ମନ୍ତ୍ରୀ ବିକ୍ରମ ମଜିଠିଆ କହିଛନ୍ତି, ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ପତ୍ନୀ ଏହି ଘଟଣା ପାଇଁ ଦାୟୀ । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିନା ଅନୁମତିରେ କଂଗ୍ରେସ ପକ୍ଷରୁ ରାବଣ ପୋଡିର ଆୟୋଜନ ହୋଇଥିଲା । ଏହି ଘଟଣା ପାଇଁ ସମଗ୍ର ରାଜ୍ୟରେ ଆଜି ଶୋକ ପାଳନ କରାଯାଉଛି ଏବଂ ରାଜ୍ୟର ସମସ୍ତ ସ୍କୁଲ, ସରକାରୀ ଦପ୍ତର ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.