ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ ନିୟମ ହେବ କଡ଼ାକଡ଼ି

Published By : Prameya-News7 Bureau | December 23, 2019 IST

ପୁରୀ୨୩/୧୨: ପାଖେଇ ଆସୁଛି ନୂଆବର୍ଷ । ଶ୍ରୀକ୍ଷେତ୍ରକୁ ଛୁଟିବେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ । ତେବେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିପାଇଁ ନୂଆ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଓ ଦୋକାନ ପକାଇ ରାସ୍ତା ଅବରୋଧ କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି ।

ଦିନକ ପରେ ବଡ଼ଦିନ । ନୂଆବର୍ଷ ବି ପାଖେଇ ଆସିଲାଣି । ଏହାକୁ ଦୃଷ୍ଟିରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାକୁ ହେଲେ ସାଧାରଣ ଚାରିଚକିଆ ଗାଡ଼ି ମାର୍କେଟ ଛକ ସେଠାରୁ ବ୍ୟାଟେରୀ ଚାଳିତ ଗାଡ଼ିରେ ଶ୍ରଦ୍ଧାଳୁ ଯିବେ ଶ୍ରୀମନ୍ଦିର । ମାର୍କେଟ ଛକ ଠାରୁ ମରଚିକୋଟ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି କଲେ କିମ୍ବା ବ୍ୟବସାୟୀମାନେ ଦୋକାନ ପକାଇ ରାସ୍ତା ଅବରୋଧ କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ।  ତେବେ ଭିଆଇପି ଗାଡ଼ି ଗୁଡ଼ିକ ମରଚିକୋଟ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି । ଏହା ପରେ ବ୍ୟାଟେରୀ ଚାଳିତ ସ୍ବତନ୍ତ୍ର ଅଟୋ ଯୋଗେ ଶ୍ରୀମନ୍ଦିର ଯିବେ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

୨୦୨୦ ର ପ୍ରଥମ ସୂର୍ଯ୍ୟଦୋୟ ସହ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ପୁରୀରେ ଏବେଠାରୁ ଭିଡ଼ ପରିଲକ୍ଷିତ ହେଲାଣି । ପର୍ଯ୍ୟଟକମାନେ ପୋଲିସର ଏଭଳି ଟ୍ରାଫିକ କଟକଣାକୁ ସ୍ବାଗତ କରିଛନ୍ତି । ସେହିପରି ଆଗରୁ ଶ୍ରୀମନ୍ଦିର ସମ୍ମୁଖ ସଙ୍କୁଚିତ ଥିବାବେଳେ ଏବେ ପୁରୀର ରୂପରେଖ ବଦଳିଥିବାରୁ ଭକ୍ତମାନେ ବେଶ୍ ଖୁସି ଜାହିର କରିଛନ୍ତି । ଶ୍ରୀକ୍ଷେତ୍ର ହେବ ବିଶ୍ବସ୍ତରୀୟ ଐତିହ୍ୟ ନଗରୀ। ସେଥିପାଇଁ ଭକ୍ତଙ୍କ ଦର୍ଶନ ଓ ଟ୍ରାଫିକ  ବ୍ୟବସ୍ଥାକୁ ଦିଆଯାଇଛି ପ୍ରାଧାନ୍ୟ । ତେଣୁ ସରକାର ଏବଂ ଜିଲ୍ଲାପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.