କ୍ରିକେଟ ମ୍ୟାଚ ପାଇଁ କମିଶନରେଟ୍ ପୋଲିସ ତରଫରୁ ସ୍ବତନ୍ତ୍ର ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା
21/12/2019 at 10:37 PM

କଟକ ୨୧।୧୨ – ବାରବାଟୀ ମ୍ୟାଚକୁ ଆଖିରେ ରଖି କମିଶନରେଟ୍ ପୋଲିସ ତରଫରୁ ସ୍ବତନ୍ତ୍ର ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ କିଭଳି ସୁରୁଖୁରୁରେ ଷ୍ଟାଡିୟମ ପହଞ୍ଚିପାରିବେ ଏବଂ ସହରରେ କିଭଳି ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରିତ ହେବ ସେନେଇ ବ୍ୟବସ୍ଥା କରାଯାଇଛି ।

ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକମାନେ ସେହି ଟ୍ରାଫିକ୍ ରୁଲ୍ ଫଲୋ କରିବାକୁ କୁହାଯାଇଛି ।ଆସନ୍ତୁ ନଜର ପକାଇବା ଏହା ଉପରେ…

ମାତାମଠ ଦେଇ ରିଂରୋଡରେ ଆସୁଥିବା ଗାଡିଗୁଡିକ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିବେ । ହାଓଡା ମୋଟର ଛକ ଓ ମଣୀସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିବେ ।

ସେହିଭଳି ଚହଟା ଛକ ପଟୁ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ବର ଗଡାରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ । କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡି ଗୁଡିକ ଆନନ୍ଦ ଭବନ ପଡିଆରେ ପାର୍କିଂ କରିବେ । ଚଣ୍ଡୀ ଛକ ଓ କଳା ବିକାଶ କେନ୍ଦ୍ର ପଟୁ ଆସୁଥିବା ଗାଡିଗୁଡିକ ଦୟାଶ୍ରମ ସାମ୍ନା ପଡିଆରେ ପାର୍କିଂ କରିବାକୁ ସ୍ଥିର ହୋଇଛି ।

ସେହିଭଳିOCA ପାର୍କିଂ ପାସ୍ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରିସେବା ସଦନ ଛକ ଦେଇ ଗେଟ୍ ନଂ – ୧ରେ ଯାଇ OCA ପଡିଆରେ ପାର୍କିଂ କରିବେ । ଜାଭିୟର ଗ୍ରାଉଣ୍ଡରେ ପାସ୍ ପାଇଥିବା ବ୍ୟକ୍ତି ବାମ୍ବୋ ଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ୍ ନଂ- ୧୪ ରେ ପଡିଆରେ ପାର୍କିଂ କରିବେ ।

ରିଜର୍ଭ ପୋଲିସ ଲାଇନ୍ ଆଡୁ ଆସୁଥିବା ଯାନବାହାନ ଓଡ଼ିଶା ପୋଲିସ ଆସୋସିଏସନ ଛକରୁ ନାରିସେବା ସଦନ ଛକ ଦେଇ ଦୟାଶ୍ରମ ପାଖରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିବେ ।ବକ୍ସି ବଜାର ସମାଜ ଅଫିସ ଛକ ଆଡୁ ଆସୁଥିବା ଯାନବାହାନଗୁଡିକ କଳାବିକାଶ କେନ୍ଦ୍ର ରୋଡରେ ଯାଇ ଦୟାଶ୍ରମ ପାଖରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ । ବିଜୁ ପଟ୍ଟନାୟକ ଛକ ଆଡୁ ଆସୁଥିବା ଯାନବାହାନଗୁଡିକ ପିଏଚ୍ ଡି ଛକ ପାଖରୁ ବାମପଟକୁ ଯାଇ ଦୟାଶ୍ରମ ରୋଡରେ ଥିବା ପାର୍କିଂ ସ୍ଥଳରେ ପାର୍କିଂ କରିବେ ।

ଏହି ଅସ୍ଥାୟୀ ପାର୍କିଂ ଯାନବାହନ କଟକଣା ରବିବାର ସକାଳ ୮ଟାରୁ ଖେଳ ସରିବା ପର୍ଯ୍ୟନ୍ତ ବା ଭିଡ ଭାଙ୍ଗିବା ଯାଏ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।