Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶାରେ ଟ୍ରକ୍ ଡ୍ରାଇଭର ଦେଲେ ସବୁଠୁ ବଡ ଜରିମନା : ୮୬ହଜାର ୫ଶହ ଟଙ୍କାର ଚାଲାଣ, ଦେଲେ ୭୦ହଜାର

8/09/2019 at 3:58 PM

ସମ୍ବଲପୁର ୮।୯: ସାରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁହେବା ପରେ ଗାଡିଚାଳକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି। ରାଜ୍ୟରେ ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ୪୭ହଜାର ଟଙ୍କା ଜୋରିମାନା ଆଦାୟ କରାଯିବାର ଘଟଣା ଚର୍ଚ୍ଚାରେ ଥିବା ବେଳେ, ସମ୍ବଲପୁରରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ଠାରୁ ୮୬ହଜାର ୫ଶହ ଟଙ୍କା ଜରିମନା ଚାଲାଣ କଟାଯାଇଛି। ଯାହାକି ବର୍ତ୍ତମାନ ସୁଦ୍ଧା ରାଜ୍ୟର ସବୁଠାରୁ ଅଧିକ ଜରିମନା ବୋଲି କୁହାଯାଉଛି।

ଯାଞ୍ଚ ଅଧିକାରୀ ଟ୍ରକ୍‌ ମାଲିକଙ୍କ ସହ କଥାବାର୍ତ୍ତା ହେବାପରେ, ଏହା ୭୦ହଜାର ଟଙ୍କାରେ ଛିଣ୍ଡିଥିଲା । ଏ ସଂପର୍କରେ ସମ୍ବଲପୁର ଜିଲ୍ଲା ପରିବହନ ଅଧିକାରୀ ଲଳିତ ମୋହନ ବେହେରାଙ୍କ କହିବା ହେଲା, ଯେ ହେତୁ ଟ୍ରାଫିକ୍‌ ନିୟମ ଉଲ୍ଲଘଂନର ଜରିମନା ପରିମାଣ ବଢିଛି ତେଣୁ ଏତେ ଅଧିକା ଟଙ୍କା ଜଣାପଡୁଛି। ହେଲେ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଥିବାରୁ ଏହି ଜରିମନା କରାଯାଇଥିବା ସେ ସ୍ପଷ୍ଟ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ରାତି ୨ଟାରେ ନାଗାଲାଣ୍ଡରୁ ଛତିଶଗଡ ଯାଉଥିବା ଏନ୍‌ଏଲ୍‌୦୧ଜି ୧୪୭୦ ନମ୍ବର ବିଶିଷ୍ଟ ଟ୍ରକ୍‌କୁ ସମ୍ବଲପୁର-ଦେବଗଡ ଜାତୀୟ ରାଜପଥରେ ଅଟକା ଯାଇଥିଲା। ଡ୍ରାଇଭର ଅଶୋକ ଯାଦବଙ୍କୁ ଗାଡିର ଡକ୍ୟୁମେଣ୍ଟ ମଗାଯିବା ପରେ, ତାର  ଯାଞ୍ଚ କରାଯାଇଥିଲା। ହେଲେ ସେ ଆବଶ୍ୟକୀୟ କାଗଜପତ୍ର ଦେଖାଇପାରିନଥିଲେ। ଏହାପରେ ତାଙ୍କୁ ଜରିମନା କରାଯାଇଥିଲା। ଅନଧିକୃତ ବ୍ୟକ୍ତିଙ୍କ ଦ୍ବାରା ଗାଡି ଚାଳନା ପାଇଁ ୫୦୦୦, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ଓଭର ଲୋଡିଂ ଯୋଗୁଁ ୫୬ହଜାର, ଗାଡିର ଆକାରରୁ ଅଧିକ ସ୍ଥାନରେ ମାଲ୍‌ ବୋଝେଇ ଯୋଗୁଁ ୨୦ହଜାର ଓ  ସାଧାରଣ ଅପରାଧ କାରଣରୁ ୫ଶହ ଟଙ୍କା ଏପରି ମୋଟ୍ ୮୬ହଜାର ୫ଶହ ଟଙ୍କା ଜରିମନା ଦେବାକୁ କୁହାଯାଇଥିଲା। ପରେ ଟ୍ରକ୍‌ର ମାଲିକଙ୍କ ସହ ମୂଲଚାଲ ପରେ ଜରିମନା ଅର୍ଥ ୭୦ହଜାର ଟଙ୍କାରେ ପହଞ୍ଚିଥିଲା। ଜୋରିମାନା ଆଦାୟ ପରେ, ଟ୍ରକ୍‌କୁ ତାର ଗନ୍ତବ୍ୟ ସ୍ଥଳକୁ ଛଡାଯାଇଥିଲା ବୋଲି ଆର୍‌ଟିଓ କହିଛନ୍ତି ।

   Related Posts