ଗାଡି ଚେକିଂ ବେଳେ ଭିଡିଓ ରେକର୍ଡିଂ କରୁଥିଲେ ଆପଣଙ୍କ ମୋବାଇଲରେ ହାତ ଜମା ଲଗାଇପାରିବେନି ପୁଲିସ୍, ଜାଣନ୍ତୁ ସମ୍ପୂ୍ର୍ଣ୍ଣ ନିୟମ

Published By : Prameya-News7 Bureau | September 09, 2019 IST

ଚଳିତ ମାସ ପହିଲାରୁ ହିଁ ସାରା ଦେଶରେ ଲାଗୁ ହୋଇସାରିଛି ନୂଆ ମୋଟର ଯାନ ଆକ୍ଟ  । ଯାହା ଦ୍ବାରା ଏବେ ନୂଆ ଟ୍ରାଫିକ୍ ନିୟମକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି । କାହିଁକି ନା ପୂର୍ବରୁ ଯେଉଁଠି ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ଲୋକଙ୍କୁ ୧୦୦ କି  ୫୦୦ ଟଙ୍କା ଭରିବାକୁ ପଡୁଥିଲା ଏବେ ସେଠି ୧୦୦୦ରୁ ୫୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡୁଛି । ଏଭଳି ପରିସ୍ଥିତିରେ ଗାଡି ଘରୁ ଗାଢିବାକୁ ଲୋକଙ୍କୁ ହଜାର ଥର ଚିନ୍ତା କରିବାକୁ ପଡୁଛି । ସବୁଠୁ ବଡ କଥା ହେଲା  ପୁଲିସ ବି ଏହି ନୂଆ ନିୟମକୁ କଡାକଡି କରିବାରେ ଫୁଲ୍ ଦମ୍ ଲଗାଇଦେଇଛି ।  

ରାଜ୍ୟର ପ୍ରତିଟି ସହର ଆଉ ଛକରେ  ପୁଲିସ୍ ଏବେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ଜଗିବସିଛି । ଏହି କ୍ରମରେ ଏଭଳି ଅନେକ ଅଭିଯୋଗ ଆସୁଛି ଯେ, ଚେକିଂ ଆଳରେ ସାଧାରଣ ଜନତାଙ୍କୁ ପୁଲିସ୍ ହଇରାଣ କରୁଛି । ଏଭଳି ଖବରର ଭିଡିଓ ବି ସାମ୍ନାକୁ ଆସୁଛି ।  ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ପାଇଁ ଜରୁରୀ  ହେଉଛି- ଆପଣ ଆପଣଙ୍କ  ଅଧିକାର ବିଷୟରେ ଜାଣି ରଖିବା ଉଚିତ ।  ଆଉ ନିୟମ କହୁଛି କି କୌଣସି ବି ଗାଡି ଚାଳକ ପୁଲିସକର୍ମୀଙ୍କ ସହ କଥାବାର୍ତ୍ତା  କରିବା ସମୟରେ କ୍ୟାମେରା ବ୍ୟବହାର କରିପାରିବେ ।  ଏଭଳି କରିବାରେ କୌଣସି ପ୍ରକାରର ପ୍ରତିବନ୍ଧକ ତଥା ରୋକ୍ ଲଗାଯାଇ ନାହିଁ । ପୁଲିସକର୍ମୀଙ୍କ ନିକଟରେ କୌଣସି ବି ବ୍ୟକ୍ତିଙ୍କ ଫୋନ କିମ୍ବା କ୍ୟାମେରା ଆଦି ଛଡାଇ ରଖିବା କିମ୍ବା ଭାଙ୍ଗିବାର ଅଧିକାର ମଧ୍ୟ ନାହିଁ ।

ସେହିଭଳି  ଗାଡି ଚଲାଇବା ସମୟରେ  ଯଦି କୌଣସି ଚାଳକଙ୍କ ନିକଟରେ ଡିଏ-ଆରସି ଆଦି ନାହିଁ ତେବେ  ସେ ମୋବାଇଲରେ ପୁଲିସକୁ ଡିଜିଟାଲ କାଗଜପତ୍ର ଦେଖାଇପାରିବେ । ଯଦି କୌଣସି ପୁଲିସ୍ ଅଧିକାରୀ  ଚାଳକଙ୍କୁ  ଅଟକାନ୍ତି ଆଉ ସେ ନ ରୁହନ୍ତି  ତେବେ ପୁଲିସ୍ ନିକଟରେ ଉକ୍ତ ଗାଡି ଚାଳକଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାର ପୂରା ଅଧିକାର ରହିଛି । ସେହିଭଳି ଚେକିଂ ସମୟରେ କୌଣସି ବି ପୁଲିସ୍ କାହାକୁ ଗାଳି ଗୁଲଜ କରିପାରିବେ ନାହିଁ  କିମ୍ବା କାହା ଉପରେ ହାତ ଉଠାଇପାରିବେ ନାହିଁ । ନୂଆ ନିୟମ ଅନୁସାରେ  ଗାଡି ଚଲାଇବା ବେଳେ  ଉଭୟ ଚାଳକ ଏବଂ ଚାଳକଙ୍କ ପାଖ ସିଟରେ ବସିଥିବା ବ୍ୟକ୍ତିଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ଅଟେ କିନ୍ତୁ ଯଦି କୌଣସି  ଗର୍ଭବତୀ ମହିଳା ବସିଥିବେ ତେବେ ସେ ସିଟ୍ ବେଲ୍ଟ ନପିନ୍ଧିଲେ ଚଳିବ ।

ଅନ୍ୟ ଅଧିକାର

୧. ଚାଲାଣ ବହି କିମ୍ବା ଇ-ଚାଲାଣ ମେସିନ ବିନା ଟ୍ରାଫିକ ଅଧିକାରୀ କୌଣସି ଚାଲାଣ କାଟି ପାରିବେ ନାହିଁ ।

୨. ଯଦି ବିନା ଚାଲାଣ ବହିରେ କେହି ଜୋରିମାନା ଆଦାୟ କରୁଥାନ୍ତି ତେବେ ଆଦୌ ଜୋରିମାନା ଦିଅନ୍ତୁ ନାହିଁ ।

୩. ରାସ୍ତାରେ ଗଲାବେଳେ ଯଦି ଟ୍ରାଫିକ ପୋଲିସ ଗାଡି ଅଟକାନ୍ତି ତେବେ ପ୍ରଥମେ ଗାଡି ଅଟକାଇ କାଗଜ ପତ୍ର ଦେଖାନ୍ତୁ । ମନେ ରଖନ୍ତୁ ଗାଡି ଚେକିଙ୍ଗ ବେଳେ ପୋଲିସକୁ କେବଳ ଡ୍ରାଇଭିଂ ଲାଇସେନ୍ସ ହିଁ ଦେଖାନ୍ତୁ ।

୪. ଏହା ଛଡା ବିନା ରସିଦରେ ଟ୍ରାଫିକ ପୋଲିସ ଡ୍ରାଇଭିଂ ଲାଇସେନ୍ସ ଜବତ କରି ପାରିବେନି ।

୫. ଲାଲ ବତୀ ଜଳିବା ପରେ ରାସ୍ତା ପାର କରିବା, ମଦ୍ୟପାନ କରି ଗାଡି ଚଳାଇବା, ଟ୍ରିପଲ ଡ୍ରାଇଭ କରିବା କିମ୍ବା ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ଵାରା ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ପାରିବେ ।

୬. କିନ୍ତୁ ବିନା ବର୍ଦ୍ଦିରେ ଗାଡି ଚାଳକଙ୍କ ଠାରୁ ଫାଇନ ଆଦାୟ କରି ପାରିବେନି ଟ୍ରାଫିକ ଅଧିକାରୀ ।

୭. ଏହା ଛଡା କୌଣସି ଟ୍ରାଫିକ ଅଧିକାରୀ ଗାଡି ଚାଳକଙ୍କ ଗାଡିରୁ ଚାବି କାଢି ନେଇ ପାରିବେ ନାହିଁ । ଏପରି ସ୍ଥିତିରେ ଆପଣ ବିରୋଧ ମଧ୍ୟ କରି ପାରିବେ ।

୮. ମୋଟର ଯାନ ଅଧିନିୟମ ଅନୁଯାୟୀ ଲାଲବତୀ ଜଳିବା ପରେ ରୋଡ ପାର କରିବା, ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରିବା, ହେଲମେଟ ଲାଇସେନ୍ସ ବିନା ଯାତ୍ରା କରିବା, ଅତ୍ୟଧିକ ବେଗରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ଧୂମପାନ କରିବା, ବିନା ନମ୍ବରରେ ଗାଡି ଚଳାଇବା, ପଞ୍ଜୀକରଣ ହୋଇନଥିବା ଗାଡି ଚଳାଇବା, ବୀମା ଓ ବାୟୁ ପ୍ରଦୂଷଣର ଡକୁମେଣ୍ଟ ନଥିଲେ ଏହା ଟ୍ରାଫିକ ନିୟମର ଉଲଂଘନ କରିଥାଏ । କେବଳ ଏଥିପାଇଁ ଚାଲାଣ କଟାଯାଇଥାଏ ।

୯. ପୋଲିସ ଯଦି ବିନା ଚାଲାଣରେ ଟଙ୍କା ମାଗୁଥାନ୍ତି ତେବେ ଆଦୌ ଦିଅନ୍ତୁ ନାହିଁ । ଏପରିକି ପୋଲିସକୁ କିଛି ଲାଞ୍ଚ ଦେଇ ଖସି ଯିବାକୁ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ ।

୧୦. ସର୍ବଦା ଚାଲାଣ କାଟୁଥିବା ଅଧିକାରୀଙ୍କ ବକଲ ନମ୍ବର ଓ ନାଁ ପଚାରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏପରିକି ତାଙ୍କ ଆଇଡ଼ି କାର୍ଡ ଦେଖାଇବାକୁ ମଧ୍ୟ ଆପଣ କହି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.