ଦେବଗଡ଼ର ନିଆରା ପରମ୍ପରା, ଘୋଡ଼ାଗାଡ଼ିରେ ବାହୁଡ଼ିଲେ ମହାପ୍ରଭୁ, ଦୁଇ ଦିନ ଧରି ହେଲା ରଥ ଟଣା

Published By : Prameya-News7 Bureau | July 24, 2021 IST

ଦେବଗଡ, ୨୪.୭: କୋଭିଡ କଟକଣା କାରଣରୁ ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବାତିଲ ହୋଇଥିବା ବେଳେ ଦେବଗଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦେବଗଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଘୋଡାଗାଡିରେ ମାଉସୀ ମାଆ ମନ୍ଦିରକୁ ନିଆଯାଇଥିଲା । ସେହିଭଳି ଶନିବାର ଘୋଡାଗାଡିରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି।

ଶନିବାର ପୂର୍ବାହ୍ନରେ ପ୍ରଥମେ ସୁଦର୍ଶନ ଓ ବଳଭଦ୍ରଙ୍କୁ ଘୋଡାଗାଡିରେ ମାଉସୀ ମାଆ ମନ୍ଦିରରୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । ପରେ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଘୋଡାଗାଡିରେ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । କୋଭିଡ କଟକଣା ମଧ୍ୟରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥାରେ ସମସ୍ତ ଠାକୁରଙ୍କୁ ଘୋଡାଗାଡିରେ ମନ୍ଦିରକୁ ନିଆଯାଇଥିଲା । ଜଗନ୍ନାଥଙ୍କୁ ମନ୍ଦିରକୁ ଆଣିବା ସମୟରେ ଓଲଟ ବଟବୃକ୍ଷ ଛକରେ ମାଆ ଲକ୍ଷ୍ମୀ ମନ୍ଦିର ବାହାରକୁ ଆସି ଜଗନ୍ନାଥଙ୍କୁ ସ୍ବାଗତ କରିବା ସହ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥିଲା ।

ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ଦିନ ଦେବଗଡରେ ଠାକୁର ମାନଙ୍କୁ କେବଳ ପହଣ୍ଡି କରି ରଥାଋଢ କରାଯାଇଥାଏ। ପରବର୍ତ୍ତୀ ଦୁଇଦିନ ରଥ ଟଣା ଅନୁଷ୍ଠିତ ହେଉଥିବା ବେଳେ ତା ପରଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମାଉସୀ ଘରକୁ ପହଣ୍ଡି କରି ବିଜେ କରାଯାଏ । ସେହିଭଳି ବାହୁଡା ଯାତ୍ରା ବେଳେ ଦୁଇ ଦିନ ରଥ ଟଣା ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ତିଥିରେ ଠାକୁରଙ୍କୁ ମନ୍ଦିର ମଧ୍ୟକୁ ପହଣ୍ଡି କରି ନିଆଯାଇଥାଏ । ପରମ୍ପରା ଅନୁଯାୟୀ ଆଜି ଠାକୁରଙ୍କୁ ରତ୍ନବେଦୀ ମଧ୍ୟକୁ ପହଣ୍ଡି କରି ନିଆଯାଇଛି । ପୂର୍ବରୁ  ବାହୁଡାଯାତ୍ରା ପାଇଁ ଦେବଗଡ ମାଉସୀମାଆ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.