୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବାମପନ୍ଥୀ ଓ ଟ୍ରେଡ ୟୁନିୟନ… ସକାଳ ୬ଟାରୁ….
7/01/2020 at 10:13 PM

ନୂଆଦିଲ୍ଲୀ୭/୧: କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ବାମପନ୍ଥୀ ଓ ଟ୍ରେଡ ୟୁନିୟନ । ସକାଳ ସାଢ଼େ୬ଟାରୁ ପିକେଟିଂ କରି ବନ୍ଦକୁ ସଫଳ କରିବା ଲାଗି ରାସ୍ତାକୁ ଓହ୍ଲାଇବେ ବାମଦଳ କର୍ମୀ। ଆତ୍ୟାବଶ୍ୟକୀୟ ସେବା ଏବଂ ଜେଇଇ ମେନ ପରୀକ୍ଷାର୍ଥଙ୍କୁ କିନ୍ତୁ ଏଥିରୁ ବାଦ ଦେଇଛନ୍ତି । ତଥାପି ବସ ଅଟୋ ବନ୍ଦ ରହୁଥିବାରୁ ଆଶଙ୍କାରେ ପଡିଛନ୍ତି ଜେଇଇ ପରୀକ୍ଷାର୍ଥୀ। କଂଗ୍ରେସ ବନ୍ଦକୁ ପୂର୍ଣ୍ଣ ସମର୍ଥନ କରୁଥିବା ବେଳେ ବିଜେଡି ଝୁଲେଇକି ରଖିଥିଲେ ବି ଆଜି ସ୍ପଷ୍ଟ କରିଦେଇଛି ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ। ବନ୍ଦ ଡାକରା ଥିଲେ ବି ମୟୁରଭଞ୍ଜରେ କର୍ମୀ ସମାବେଶ ଆୟୋଜନ କରିଛି।
କାଲି ଭାରତ ବନ୍ଦ । ଆଶଙ୍କାରେ ଜେଇଇ ମେନ୍ ପରୀକ୍ଷାର୍ଥୀ । ୧୨ ଦଫା ଦାବି ୨୪ ଘଣ୍ଟିଆ ଧର୍ମଘଟର ଡାକରା ଦେଇଛି ବାମଦଳ ସମର୍ଥିତ ଟ୍ରେଡ ୟୁନିୟନର ମିଳିତ ମଞ୍ଚ । କେନ୍ଦ୍ର ସରକାରଙ୍କ କୃଷି ନୀତି, ସିଏଏ ଲାଗୁ, ଜେଏନୟୁ ଛାତ୍ରଙ୍କ ଉପରକୁ ଆକ୍ରମଣକୁ ପ୍ରସଙ୍ଗକରି ଏହି ଆନ୍ଦୋଳନର ଡାକରା ଦେଇଛି ମିଳିତ ମଞ୍ଚ । ଆସନ୍ତାକାଲି ସକାଳ ୬ଟାରୁ ରେଳ ରୋକ କରିବ ସିପିଆଇ । ସମସ୍ତ ଶ୍ରମିକ ସଙ୍ଗଠନ ଏହି ଧର୍ମଘଟକୁ ସମର୍ଥନ କରିଥିବାରୁ ବସ, ଟ୍ରକ ଓ ଅଟୋ ଚଳାଚଳା ସମ୍ପୂର୍ଣ୍ଣ ବନ୍ଦ ରହିବ । ପିକେଟିଂ ମଧ୍ୟ କରିବ ଦଳ । କେବଳ ଫାୟାର ଗାଡି, କ୍ଷୀର ଗାଡି, ଆମ୍ବୁଲାନ୍ସ ଏବଂ ପରୀକ୍ଷାର୍ଥଙ୍କୁ ଏଥିରୁ ବାଦ ଦେବାକୁ ଘୋଷଣା କରିଛି ସିପିଆଇ। ଏପଟେ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ବାମଦଳ। କଂଗ୍ରସ ଏହି ଭାରତ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିବା ସହିତ ଆନ୍ଦୋଳନ ମଧ୍ୟ ସାମିଲ ହେବ।
ବାମଦଳଙ୍କ ଭାରତ ବନ୍ଦ ଡାକରାକୁ ବିଜେଡି ଝୁଲେଇ ରଖି ଆଜି ସ୍ପଷ୍ଟ କରିଦେଲା ଯେ ବନ୍ଦକୁ ସମର୍ଥନ ଦେବନି। ବରଂ ଭାରତ ବନ୍ଦ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ ମୟୁରଭଞ୍ଜରେ ସମ୍ବୋଧନ ଦେବେ। ଏହି ଆନ୍ଦୋଳନକୁ ବିଜେଡି ସମର୍ଥନ କରିବା ପାଇଁ ବାମଦଳ ପ୍ରତିନିଧି ମାନେ ବିଜେଡିକୁ ନିବେଦନ କରିଥିଲେ । ହେଲେ ବିଜେଡି ସମର୍ଥନ ଦେବ ନାହିଁ କହି ଅଭିମୁଖ୍ୟ ସ୍ପଷ୍ଟ କରିଛି।
ବାମ ଦଳ ସମର୍ଥିତ ଭାରତ ବନ୍ଦ ଡାକରାକୁ ବିଜେପି ସମାଲୋଚନା କରିଛି । ବାମ ଦଳ ମାନବିକ ଅଧିକାର ସମ୍ମାନ ଦେବାକୁ ଚାହୁଁନାହାନ୍ତି । ସିଏଏ ଲାଗୁ ହେଲେ ଦୀର୍ଘ ଦିନ ଧରି ରହିଥିବା ଶରଣାର୍ଥୀ ମାନଙ୍କୁ ନାଗରିକତାର ସମ୍ମାନ ମିଳିବ। ବାମ ଦଳ ମାନେ ରାଷ୍ଟ୍ରର ସୁରକ୍ଷା ଚାହୁନାହାନ୍ତି। ସେଥିପାଇଁ କଂଗ୍ରେସ ଏବଂ ବାମ ଦଳକୁ ଧିରେ ଧିରେ ଲୋକେ ଦୂରେଇ ଦେଇଛନ୍ତି ବୋଲି ବିଜେପି କହିଛି। ଜେଇଇ ମେନ୍ ପରୀକ୍ଷା ଚାଲୁଥିବାରୁ ଏବେ ଛାତ୍ର ଓ ଅଭିଭାବକମାନେ ଆଶଙ୍କା ଭିତରେ ରହିଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ତାର ସମସ୍ତ ପରୀକ୍ଷାକୁ ବାତିଲ କରିଛି।