ଆପଣଙ୍କ ଗାଡ଼ିରେ ଲଗାନ୍ତୁ ଏହି ଖାସ୍ ଯନ୍ତ୍ର : ସରକାର ଆପଣଙ୍କୁ ଦେବ ଦେଢ଼ ଲକ୍ଷ ଟଙ୍କା
14/03/2019 at 4:39 PM

ନୂଆଦିଲ୍ଲୀ ୧୪/୩: କେନ୍ଦ୍ର ସରକାର ଭାରତରେ ଇଲେକ୍ଟ୍ରିକ୍ ଗାଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ‘ଫେମ୍’ (FAME) ସ୍କିମ୍ ଆରମ୍ଭ କରିଛନ୍ତି। ଏହାର ଦ୍ବିତୀୟ ପର୍ଯ୍ୟାୟକୁ ମଧ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଫେମର ଦ୍ବିତୀୟ ପର୍ଯ୍ୟାୟ ଅପ୍ରେଲ୍ ୧ତାରିଖରୁ ଆରମ୍ଭ ହେବ। ଯାହା ଫଳରେ ପ୍ରତ୍ୟେକ ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ସବସିଡି ଦିଆଯିବ। କିନ୍ତୁ ଏହି ସବସିଡିର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ନିଜ କାରରେ ଏକ ଖାସ୍ ଯନ୍ତ୍ର ଲଗାଇବାକୁ ପଡ଼ିବ।

ଏକ ଇଂରାଜୀ ଓ୍ବେବସାଇଟ୍ ଅନୁସାରେ ଫେମ୍-୨ ସ୍କିମ୍ ଜରିଆରେ ସବସିଡି ପାଇବା ପାଇଁ ଗାଡ଼ିରେ ଟ୍ରାକିଙ୍ଗ୍ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ । ଯାହା ଦ୍ବାରା ସରକାର ଏବଂ ଗାଡିମାଲିକ ଉଭୟଙ୍କୁ କାରର ସୂଚନା ମିଳିବ। ଏହି ଯନ୍ତ୍ର ଗାଡ଼ିର ପରଫରମାନ୍ସ ବିଷୟରେ ମଧ୍ୟ ସୂଚନା ଦେବ।

ଏହି ଟ୍ରାକିଙ୍ଗ୍ ଯନ୍ତ୍ରକୁ ଏକ ଆପ୍ ଜରିଆରେ ଇଲେକ୍ଟ୍ରିକ୍ କାରରେ ଯୋଡ଼ାଯିବ। ସବସିଡି କାର୍ଯ୍ୟକ୍ରମରେ ୧୦ଲକ୍ଷ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ,୫ଲକ୍ଷ ତିନିଚକିଆ ଯାନ,୩୫ହଜାର କାର୍ ଏବଂ ୭୦୯୦ଟି ବସ୍ ସାମିଲ ହେବ। ଏହା ବ୍ୟତୀତ ଏଥିରେ ୨୦,୦୦୦ ପୂର୍ଣ୍ଣ ହାଇବ୍ରିଡ ବାହନ ନିମନ୍ତେ ଏକ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି।

ଦେଢ଼ ଲକ୍ଷ ଟଙ୍କାରୁ କମ୍ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ନିମନ୍ତେ ପ୍ରତି ବାହନକୁ ସବସିଡି ୨୦,୦୦୦ଟଙ୍କା ମିଳିବ। ୫ଲକ୍ଷ ଟଙ୍କାରେ ମିଳୁଥିବା ତିନି ଚକିଆ ଯାନ ପାଇଁ ସବସିଡି ରାଶି ୫୦,୦୦୦ଟଙ୍କା ମିଳିବ। ଏବଂ ୧୫ଲକ୍ଷ ଟଙ୍କା ମୂଲ୍ୟର ବାହନରେ ଦେଢ଼ ଲକ୍ଷ ଟଙ୍କାର ସବସିଡି ମିଳିବ। ଏହି ଯୋଜନା ପାଇଁ ଗତ ସପ୍ତାହରେ କ୍ୟାବିନେଟ୍ ୧୦ହଜାର କୋଟି ଟଙ୍କା ମଞ୍ଜୁର କରିଥିଲା।
