ଶାନ୍ତିସ୍ତୁପର ପରିବେଶରେ ଏବେ ନାହିଁ କୋଳାହଳ : ୩.୦ ଲକ୍ ଡାଉନ୍‌ରେ କୋହଳ ପରେ ଆସୁନାହାନ୍ତି ପର୍ଯ୍ୟଟକ, ବ୍ୟବସାୟୀଙ୍କ ଜୀବନ ଜୀବିକା ପ୍ରଭାବିତ

Published By : Prameya-News7 Bureau | May 13, 2020 IST

ବାଲିପାଟଣା ୧୩।୫: କରୋନା ମହାମାରୀ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍ ଡାଉନ୍ ବଳବତ୍ତର ରହିଛି । ରାଜ୍ୟରେ ମଧ୍ୟ ଲକ୍ ଡାଉନ୍ ଜାରି ରହିଛି । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ବନ୍ଦ ରଖିଛନ୍ତି । ରାଜଧାନୀ ଉପକଣ୍ଠ ଧଉଳି ଶାନ୍ତିସ୍ତୁପ ମଧ୍ୟ ଦୀର୍ଘଦିନ ହେବ ବନ୍ଦ ରହିଛି ।

{"id":269345,"sizeSlug":"large"}

ଯେଉଁଠି ପ୍ରତିଦିନ ହଜାର ହାଜର ପର୍ଯ୍ୟଟକଙ୍କ ଗହଳି ଲାଗି ରହୁଥିଲା ସେଠାରେ ଆଜି କୋଳାହଳ ଶୁଭୁନାହିଁ । ସତେ ଯେପରି ଶାନ୍ତିସ୍ତୁପ ନୀରବି ଯାଇଛି, ଶାନ୍ତିରେ ସେପରି ଠିଆ ହୋଇଛି ।

{"id":269340,"sizeSlug":"large"}

ଶାନ୍ତିସ୍ତୁପରୁ ସାରା ରାଜଧାନୀକୁ ଦେଖିହୁଏ । ଶାନ୍ତିସ୍ତୁପରୁ ରାଜଧାନୀ ଭୁବନେଶ୍ବରର ଦୃଶ୍ୟ ଅତି ମନୋରମ । ରାଜଧାନୀ ମଧ୍ୟ ଲକ୍ ଡାଉନ୍ ରେ ଶାନ୍ତ ପଡିଥିବା ମନେହୁଏ । ଯେଉଁ ରାଜପଥରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଗାଡି ମଟର ଚାଲେ ସେଠି ହାତ ଗଣତି କେତୋଟି ଗାଡି ଚାଲୁଛି । ଫଳରେ ପରିବେଶ ଏକ ପ୍ରକାର ପରିଷ୍କାର ହେଉଛି ।

{"id":269341,"sizeSlug":"large"}

ଶାନ୍ତି ସ୍ତୁପ ଧଉଳିର ମନୋରମ ପରିବେଶ ପାଇଁ ପର୍ଯ୍ୟଟକମାନଙ୍କର ବେଶ ପସନ୍ଦ । ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରୁ ଛୁଟିଆସନ୍ତି ଲୋକେ ଧଉଳିରେ ବୁଲି ମନକୁ ଟିକେ ହାଲକା କରିବା ପାଇଁ । ମାତ୍ର ଲକ୍ ଡାଉନ୍ ରେ ସବୁ କିଛି ବନ୍ଦ ରହିଛି । ନା ଅଛନ୍ତି ପର୍ଯ୍ୟଟକ, ନା ହେଉଛି ଭୋଜିଭାତର ଆସର ।

{"id":269342,"sizeSlug":"large"}

ଧଉଳି ଶାନ୍ତିସ୍ତୁପରେ ପର୍ଯ୍ୟଟକଙ୍କ ଭିଡକୁ ଦେଖି ଏଠାରେ ଦୋକାନ ବଜାର ଗଢିଉଠିଛି । ଧଉଳି ବନ୍ଦ ହେବା ଦ୍ବାରା ଏଠାର ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ରେ କିଛିଟା କୋହଳ କରାଯାଇ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

{"id":269343,"sizeSlug":"large"}

ମାତ୍ର ପର୍ଯ୍ୟଟକ ନ ଆସିବାରୁ ଏଠାରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ୬୦ ରୁ ଅଧିକ ଦୋକାନୀ ସେମାନଙ୍କର ରୋଜଗାର ହରାଇଲେଣି । ଚୋରି ହେବାର ଭୟ ଯୋଗୁଁ ଦୋକାନରେ ଥିବା ଜିନିଷପତ୍ର ମଧ୍ୟ ଘରକୁ ନେଉଯାଉଛନ୍ତି ବ୍ୟବସାୟୀ । ଅନେକ ଜିନିଷ ମଧ୍ୟ ନଷ୍ଟ ହୋଇଗଲାଣି । ଧଉଳିରେ  ୨୫ରୁ ଅଧିକ ଫଟୋଗ୍ରାଫର ଫଟୋଗ୍ରାଫି କରି କିଛି ଉପାର୍ଜନ କରୁଥିବା ବେଳେ ସେମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।

{"id":269344,"sizeSlug":"large"}

ସମସ୍ତେ ଅପେକ୍ଷା କରିଛନ୍ତି ଶେଷ କେବେ । କେବେ ଯିବ କରୋନା । ପୁଣି ହସିଉଠିବ ଧଉଳି । ପୁଣି ଲାଗିବ ପର୍ଯ୍ୟଟକଙ୍କ ଗହଳି ଆଉ ଶୁଭିବ ଫଟୋଗ୍ରାଫରଙ୍କର ସ୍ମାଇଲ୍ ପ୍ଲିଜ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.