Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂସ୍ଖଳନ ପରେ ଫସିଛନ୍ତି ଶତାଧିକ ପର୍ଯ୍ୟଟକ, ୩ଟି ପଞ୍ଚାୟତରେ ନାହିଁ ବିଜୁଳି ; ଚାଲିଛି ଉଦ୍ଧାର କାର୍ଯ୍ୟ

27/07/2021 at 10:51 AM

ସିମ୍‌ଲା ୨୭।୦୭ : ଭୂସ୍ଖଳନ ପରେ ଫସି ରହିଛନ୍ତି ଶତାଧିକ ପର୍ଯ୍ୟଟକ । ହିମାଚଳ ପ୍ରଦେଶର କିନୌରରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିଲା ଭୂସ୍ଖଳନ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫୦ ଲୋକ ଫସିରହିଛନ୍ତି । ଏମାନଙ୍କ ମଧ୍ୟରେ ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ରହିଥିବାର ସୂଚନା ରହିଛି । ଏବେବି ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ।

ଖବର ଅନୁଯାୟୀ,  କିନୌର ଜିଲ୍ଲାର ଛିତକୁଲ ଏବଂ ରକଛମ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେବା କାରଣରୁ ଭୂସ୍ଖଳନ ହୋଇ ରାସ୍ତାଘାଟ ବନ୍ଦ ହୋଇଛି। ଯାହାଫଳରେ ୧୦୦ ଅଧିକ ଲୋକ ଫସିରହିଛନ୍ତି। ଏପିରିକି ଭୂସ୍ଖଳନ ଘଟି ପ୍ରାୟ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଘାଟିରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ଏକ ଉଦ୍ଧାରକାରୀ ଟିମ୍ ନିୟୋଜିତ କରାଯାଇଛି । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏପରିକି ନିକଟବର୍ତ୍ତୀ ୩ଟି ପଞ୍ଚାୟତରେ ବିଜୁଳି ସେବା ବ୍ୟାହତ ରହିଛି।  ରାଜ୍ୟର ଛିତକୁଲ, ରକଛମ ଏବଂ ବଟସେରି ପଞ୍ଚାୟତରେ ବିଜୁଳି ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ସେପଟେ କିନୌର ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କିନୌର ଜିଲ୍ଲାରେ ସାଙ୍ଗଲା-ଛିତକୁଲ ରାସ୍ତାରେ ବଟସେରି ପାହାଡ଼ରୁ ମାଟି ଅତଡ଼ା ଖସି ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଏପରିକି ବହୁ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣାରେ ରାଜସ୍ଥାନ, ଛତିଶଗଡ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

   Related Posts