ନୂଆବର୍ଷରେ ଭ୍ରମଣ ପାଇଁ ବଢ଼ୁଛି ପର୍ଯ୍ୟଟକଙ୍କ ଆଗ୍ରହ, ଦୂର ନୁହେଁ ପାଖ ସହରକୁ ବୁଲିଯିବାକୁ ଚାହୁଁଛନ୍ତି- ରିପୋର୍ଟ

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଳୀ ୨୭/୧୦: ବିଶ୍ବରେ ଧିରେଧିରେ କରୋନା କୋପ କମିବା ଆରମ୍ଭ କରିଛି। ବର୍ଷ ୨୦୨୦ ଶେଷ ହେବାକୁ ବସିଥିବା ବେଳେ ନୂଆବର୍ଷରେ ନୂଆ ସ୍ଥାନ ବୁଲିବା ପାଇଁ ପର୍ଯଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କିନ୍ତୁ ଛୁଟି ସମୟରେ ଦର୍ଶନୀୟ ସ୍ଥାନଗୁଡ଼ିକରେ ରହିବାର ସୁବିଧା ଉପଲବ୍ଧ କରାଉଥିବା କମ୍ପାନୀ ‘ଏୟାରବିଏନବି’ ପର୍ଯ୍ୟଟକଙ୍କ ମୁଡ୍‌କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି।

ନୂଆବର୍ଷରେ ବୁଲିବାକୁ ଯୋଜନା କରୁଛନ୍ତି ଲୋକେ। ଏଥର କିନ୍ତୁ ଦୂରସ୍ଥାନକୁ ଯିବାକୁ ଇଚ୍ଛା କରୁନାହାନ୍ତି ପର୍ଯ୍ୟଟକ। ଅନ୍ୟ ଦେଶକୁ ଯିବା ପରିବର୍ତେ ପାଖ ସହରରେ ବୁଲିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଥିବା ରିପୋର୍ଟରୁ ଜଣାପଡ଼ିଛି। କରୋନା କାଳରେ ପର୍ଯ୍ୟଟକମାନେ ବିଶ୍ବାସ, ପାରଦର୍ଶିତା ଓ ସୁରକ୍ଷା ଉପରେ ବେଶୀ ଧ୍ୟାନ ଦେଉଛନ୍ତି। ଯାହାକି ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଓ୍ବାର୍କ ଫର୍ମ ହୋମ୍‌ ସୁବିଧାକୁ ନଜରରେ ରଖି ପର୍ଯ୍ୟଟକ ପାଖ ସହରକୁ ବୁଲିଯିବାକୁ ଚାହୁଁଛନ୍ତି। ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳକୁ ଯିବା ପରିବର୍ତେ ସ୍ଥାନୀୟ ଅଞ୍ଚଳରେ ଭ୍ରମଣ କରିବାକୁ ପର୍ଯ୍ୟଟକମାନେ ଇଚ୍ଛାପ୍ରକାଶ କରୁଥିବା ଏୟାରବିଏନବି’ ମହାପ୍ରବନ୍ଧକ ଅମନପ୍ରୀତ ବଜାଜ କହିଛନ୍ତି। ସ୍ଥାନୀୟ ପର୍ଯ୍ୟଟଡ଼ ସ୍ଥଳ ବୁଲିବାକୁ ପର୍ଯ୍ୟଟକ ଆଗ୍ରହ ପ୍ରକାଶ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ଦିଗରେ ବେଶ ସହାୟକ ହେବ । ଭବିଷ୍ୟତରେ ଘରୋଇ ପର୍ଯ୍ୟଟନ ସ୍ଥଳରେ ଲୋକ ସମାବେଶ ବୃଦ୍ଧି ନିଶ୍ଚିତ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ୨୦୨୧ରେ ଅଧିକ ସର୍ଚ୍ଚ କରାଯାଇଥିବା ପର୍ଯ୍ୟଟନ ସ୍ଥଳଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କରଜତ ଓ ପଞ୍ଚଗାନୀ, ହିମାଚଳପ୍ରଦେଶର ମନାଲି, କର୍ଣ୍ଣାଟକର ବେଙ୍ଗାଲୁରୁ ଓ ଉତ୍ତାରାଖଣ୍ଡର ମୁକ୍ତେଶ୍ବର ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.