ରାସ୍ତାକଡକୁ ଓଲଟିଲା ‘ଚନ୍ଦନ’; ଛତିଶଗଡରୁ ଟୁରିଷ୍ଟ ନେଇ ଯାତ୍ରା କରୁଥିଲା ବସ୍
11/03/2020 at 7:11 AM

ନୟାଗଡ ୧୦।୦୩ : ରାସ୍ତା କଡକୁ ଓଲଟିଲା ଟୁରିଷ୍ଟ ବସ୍ ।ଦୁର୍ଘଟଣାରେ ୫ ଗୁରତର ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୂବନେଶ୍ବର ପଠାଯାଇଥିବାବଳେ ଆହତଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ନୂଆଗାଁ ଥାନା ଡିମିରିଝରୀ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଛତିଶଗଡରୁ ଚନ୍ଦନ ନାମକ ଏକ ବସ୍ ଯୋଗେ ପ୍ରାୟ ୪୫ ଜଣ ଯାତ୍ରୀ ଗତ ଗୁରବାର ଦିନ ସମ୍ବଲପୁର ହୋଇ ପୁରୀ ଯାଇଥିଲେ । ମଙ୍ଗଳବାର ଦିନ ଜଗନ୍ନାଥ ଦର୍ଶନ ସାରି ସନ୍ଧ୍ୟାରେ ନୃସିଂହନାଥ ବାହାରିଥିଲେ । ବାଟରେ ଏକ ଢାବାରେ ଖାଇବା ପରେ ଡ୍ରାଇଭର ଗାଡି ଜୋରରେ ଚଳାଇଥିଲା ବୋଲି ଯାତ୍ରୀମାନେ କହିଛନ୍ତି ।

ଧୀରେ ଚଳାଇବାପାଇଁ କହିଥିଲେ ମଧ୍ୟ ଡ୍ରାଇଭର ଶୁଣି ନଥିଲା ।ତେବେ ରାତି ପ୍ରାୟ ୧୧.୩୦ ସମୟରେ ଡିମିରିଝରୀ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଥିଲା । ସ୍ଥାନୀୟ ଲୋକ ଏବଂ ନୟାଗଡ ଓ ନୂଆଗାଁ ଦମକଳ ବାହିନୀ ଲୋକମାନଙ୍କୁ ଉଦ୍ଧାର କରି ନୟାଗଡ ଡାକ୍ତରଖାନାକୁ ଆଣିଥିଲେ ।

ଗାଡି ତଳେ ୫ଜଣ ଚାପି ହୋଇଯାଇଥିବାରୁ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଏସ୍ପି ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।