ଟୁର୍‌ ପ୍ୟାକେଜ ଅଫର ଦେଇ ଲୁଟିନେଲେ ୯କୋଟି ଟଙ୍କା , ୮୫ବର୍ଷୀୟ ବୃଦ୍ଧ ଏବେ ହତାସ

Published By : Prameya-News7 Bureau | February 19, 2020 IST

ଅହମ୍ମଦାବାଦ ୧୯।୦୨: ଟୁର୍‌ ପ୍ୟାକେଜ ଦେବା ବାହାନାରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ । ଆକର୍ଷଣୀୟ ଟୁର୍‌ ପ୍ୟାକେଜ ଦେବା କହି ୮୫ବର୍ଷ ବୟସର ବୃଦ୍ଧଙ୍କ ଠାରୁ ଠକେଇ । ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ପଞ୍ଚବଟି ଅଞ୍ଚଳରେ ଘଟିଛି ଏହି ଠକେଇ ଘଟଣା । ସାଇବର ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ପଞ୍ଚବଟି ସ୍ଥିତ ପଟେଲ ସୋସାଇଟିରେ ୮୫ବର୍ଷ ବୟସର ବୃଦ୍ଧ ଦିନେଶ୍ ପଟେଲ୍ ବାସ କରନ୍ତି । ଟୁର୍ ପ୍ୟାକେଜ ଦେବା ବାହାନା କରି ଅନ୍‌ଲାଇନ ଜରିଆରେ ୯କୋଟି ଟଙ୍କାର ଠକେଇ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପଟେଲ । ତେବେ ଠକେଇ ୧୮ଅକ୍ଟୋବର ୨୦୧୭  ଓ ୨୭ ନଭେମ୍ବର ୨୦୧୯ ମଧ୍ୟରେ ହୋଇଛି । ପ୍ରାୟ ଦୁଇ ବର୍ଷ ମଧ୍ୟରେ ୩୩ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ସମୟରେ ଟଙ୍କା ଠକି ନେଇଛନ୍ତି ।

ତେବେ ପଟେଲଙ୍କୁ ଗତ ୨୦୧୭ ମସିହା ୧୮ଅକ୍ଟୋବରରେ ଏକ ନାମୀ ଟ୍ରାଭେଲ କମ୍ପାନୀ ନାମରେ ଇମେଲ୍‌ ଆସିଥିଲା । ନାମୀ କମ୍ପାନୀ ନାମରେ ମେଲ୍‌ ଆସିଥିବାରୁ ପଟେଲ୍‌ ଏହାକୁ ସତ ମାନିନେଇଥିଲେ । ମେଲ୍‌ରେ ଟୁର୍‌ ପ୍ୟାକେଜ୍‌ର ଲାଭ ଉଠାଇବା ପାଇଁ ୧୦ହଜାର ଟଙ୍କା ଅନ୍‌ଲାଇନ୍‌ ଜରିଆରେ ପଠାଇବାକୁ ପଡିବ ବୋଲି ଲେଖାଥିଲା । ଏବଂ ଟଙ୍କା ପଠାଇବା ପରେ ଆକର୍ଷଣୀୟ ପୁରସ୍କାର ଜିତିବା ନେଇ ମଧ୍ୟ ଲେଖାରହିଥିଲା । ଏହିପରି ଭାବେ ଲଗାତର ୨ବର୍ଷ ଚାଲିଲା ଏହି ଠକେଇ ।

ଭିନ୍ନ ଭିନ୍ନ ସମୟରେ ଅଲଗା ଅଲଗା ଲୋକ ଅନ୍ୟ ମେଲ୍‌ ଜରିଆରେ ଦିନେଶ ପଟେଲଙ୍କ ସହିତ ଯୋଗଯୋଗ କରିଥିଲେ । ଏବଂ ୧୦ହଜାରରୁ ଆରମ୍ଭ କରି ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେଣନେଣ ହୋଇଥିଲା । ତେବେ ସମୁଦାୟ ୨ବର୍ଷ ମଧ୍ୟରେ ୯କୋଟି ଟଙ୍କା ଠକେଇ ଶୀକାର ହୋଇଗଲେ ଦିନେଶ । ଶେଷରେ ଇମେଲ୍‌ ପଠାଇଥିବା ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟ କରିଥିଲେ ଦିନେଶ । କିନ୍ତୁ କୌଣସି ଯୋଗାଯୋଗ ହୋଇପାରିନଥିଲା । ଦିନେଶ ବାଧ୍ୟ ହୋଇ ପୋଲିସ ସହିତ ଯୋଗାଯୋଗ କରିଥିଲେ । ଏବଂ ସାଇବର ଥାନାରେ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ସହ ଏକ ଅଭିଯୋଗ ମଧ୍ୟ କରିଛନ୍ତି । ସାଇବର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.