ଏସପିଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ

Published By : Prameya-News7 Bureau | August 19, 2018 IST

ନବରଙ୍ଗପୁର ୧୯/୮ : ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦବଙ୍ଗଗିରି । ଏସପି ତାଙ୍କ ବାସଗୃହରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆଣିଛନ୍ତି ଦୁଇଜଣ କର୍ମଚାରୀ । ନିର୍ଯ୍ୟାତନାରେ ଜଣେ କର୍ମଚାରୀ ଗୁରୁତର ହେବାପରେ ତାଙ୍କୁ ପ୍ରଥମେ ନବରଙ୍ଗପୁର ମେଡିକାଲ ଆଇ ସି ୟୁ ରେ ଭର୍ତ୍ତି କରିବା ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସପିଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅନ୍ୟ ଜଣେ ଫଲୋ କର୍ମଚାରୀଙ୍କ କହିବାନୁସାରେ ପ୍ରତ୍ୟେକ ଦିନ ଏସପି କୌଣସି କାରଣ ନଥାଇ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି । କାମ ସାରିବା ପରେ ଖାଇବାକୁ ଛୁଟି ଦେଉନାହାନ୍ତି ,ସେଭଳି କୌଣସି କାମରେ ବିଳମ୍ବ ହେଲେ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ଜଣକ । ଗତକାଲି ଜଣେ ଏଫଓ କର୍ମଚାରୀ ଙ୍କ କୌଣସି ଭୁଲ ନଥିଲେ ମଧ୍ୟ ତାଙ୍କୁ ୫୦ ଥର ଉଠ ବସ କରାଇବା ସହିତ ୨୦ ରାଉଣ୍ଡ ନିଜ କମ୍ପାଉଣ୍ଡରେ ଧାଇଁବାକୁ କହିଥିଲେ । ଏସପିଙ୍କ ଆଦେଶ ମାନି ନିଜ ଚାକିରୀ ବଞ୍ଚାଇବାକୁ ଯାଇ ତାହାକୁ ମାନିବାକୁ ବାଧ୍ୟ ହୋଇଥିଲେ ଏବଂ ତାପରେ ତାଙ୍କ ଦେହ ଖରାପ ହୋଇଥିଲା । ସହଯୋଗୀ ଏଫଓଙ୍କ କହିବାନୁସାରେ ଏସପି ପୂର୍ବରୁ ମଧ୍ୟ ଏଭଳି ଦଣ୍ଡ ଦେଉଛନ୍ତି । ଦଣ୍ଡ ସ୍ୱରୂପ କେତେବେଳେ ପେଟରେ ଲାତ ଗୋଇଠା ମାରିବାସହ ବେକ ଚିପି ଧରନ୍ତି ଏବଂ ଧକିଆ ମାରନ୍ତି ତା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । କର୍ମଚାରୀ ମାନେ ଚାକିରୀ ଚାଲିଯିବା ଭୟରେ ମୁହଁ ନ ଖୋଲି ଉପରିସ୍ଥ ଅଧିକାରୀଙ୍କ ଦଣ୍ଡକୁ ମୁଣ୍ଡ ପାତି ସହି ନେବାକୁ ଉଚିତ ମନେକରନ୍ତି । ବର୍ତ୍ତମାନ ଦୁଇଜଣ କର୍ମଚାରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏସପିଙ୍କ ଏଭଳି ନିର୍ଯ୍ୟାତନା କୁ ସେମାନେ ନିନ୍ଦା କରିବା ସହ ଚାକିରୀ ଜୀବନ ସରିବାକୁ ଥିବାବେଳେ ଏଭଳି ନିର୍ଯ୍ୟାତନା ଦେବା କେତୁଦୁର ଯଥାର୍ଥ ବୋଲି ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ କର୍ମଚାରୀମାନେ ଗଣମାଧ୍ୟମ ଆଗରେ ଏସବୁ କହିବା ପରେ ଖବର ପାଇ ଏସପି ନିଜେ ତାଙ୍କ ଘରକୁ ଆସି ସମସ୍ତ ଚିକିସ୍ଛା ଖର୍ଚ ବହନ କରିବେ ବୋଲି ପରିବାର ଲୋକଙ୍କୁ କହିଛନ୍ତି । ତେବେ ଏ ସମ୍ପର୍କରେ ଏସପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.