ଟପ୍ ମାଓ କମାଣ୍ଡର ସଞ୍ଜୟ ଏବେ ପୋଲିସ ଇନ୍ସପେକ୍ଟର, ୫ ବର୍ଷରେ କରିଛନ୍ତି ୫୦ ନକ୍ସଲ ବିରୋଧୀ ଅପରେସନ

Published By : Prameya-News7 Bureau | September 23, 2021 IST

ମାଲକାନଗିରି, ୨୩|୦୯:   ପୁର୍ବରୁ ଯିଏ ମାଓ ନେତା ଥିଲେ , ସେ ଏବେ ଜଣେ ପୋଲିସ ଅଧିକାରୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାର ପୋଲିସ ଇନସ୍ପେକ୍ଟର ସଞ୍ଜୟ ପୋଟାମଙ୍କ କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୦ ବର୍ଷ ଧରି ମାଲକାନଗିରି ସୁକୁମା ସୀମାନ୍ତ ଦରଭା ନକ୍ସଲ ଡିଭିଜନର କମାଣ୍ଡର ଭାବେ କାମ କରୁଥିଲେ। ଏବେ ସେ ଆତ୍ମସମର୍ପଣ କରି ପୋଲିସ ବାହିନୀରେ ଯୋଗ ଦେବା ପରେ, ପୋଲିସ ବାହିନୀର ନେତୃତ୍ବ ନେଉଛନ୍ତି ।

କାନ୍ଧରେ ଟ୍ରିପିଲ ଷ୍ଟାର, ହାତରେ AK 47 ବନ୍ଧୁକ।  ଛତିଶଗଡ଼ ପୋଲିସର ଇନସ୍ପେକ୍ଟର ସଞ୍ଜୟ ପୋଟାମ ଦିନେ ମାଓ ସଂଗଠନର ନେତୃତ୍ବ ନେଉଥିଲେ । ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପୁଷନାଡ ଗାଁ ନିବାସି ସଞ୍ଜୟ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ନକ୍ସଲପନ୍ଥିଙ୍କ ପ୍ରଭାବରେ ଦିନେ ସେ ମାଓ ସଂଗଠନରେ ସାମିଲ ହୋଇଥିଲେ। ବନିଥିଲେ ଲାଲ୍ ବାହିନୀର ଅନ୍ୟତମ କମାଣ୍ଡର ବଦରୁ । ମାଲକାନଗିରି ସୁକମା ସୀମାନ୍ତ ଦରଭା ନକ୍ସଲ ଡିଭିଜନର ବଦ୍ରୁ କମାଣ୍ଡର ଥିଲେ । ପୋଲିସର ମୋଷ୍ଟ ୱାଣ୍ଟେଡ ଭାବେ ମୁଣ୍ଡ ଉପରେ ଥିଲା ଆଠ ଲକ୍ଷ ଟଙ୍କାର ପୁରସ୍କାର । ୧୦ ବର୍ଷ ଧରି ଦରଭା ନକ୍ସଲ ସଂଗଠନ ଦାୟିତ୍ବ ନେବା ସହ ଅନେକ ହିଂସା କାଣ୍ଡ ବି ଘଟାଇଥିଲେ। ହେଲେ ମାଓବାଦୀଙ୍କ କାର୍ଯ୍ୟକଳାପ ତାଙ୍କୁ ବିତସ୍ପୃହ କଲା। ୨୦୧୩ ମସିହାରେ ମାଓ ସଂଗଠନରେ ବିବାଦ ପରେ ଲାଲ୍ ସଂଗଠନ ଛାଡି ଦନ୍ତେୱାଡା ପୋଲିସ ପାଖରେ ଆତ୍ମ ସମର୍ପଣ କଲେ ବଦ୍ରୁ। ଏହା ପରେ ତାଙ୍କୁ ମିଳିଥିଲା କନଷ୍ଟେବଳ ଚାକିରୀ। କିନ୍ତୁ ତାଙ୍କର ନିଷ୍ଠା ଯୋଗୁଁ ତାଙ୍କୁ ଇନସ୍ପେକ୍ଟର ପଦବୀକୁ ପଦୋନ୍ନତି କରାଯାଇଛି।

ପୋଲିସରେ ଯୋଗଦେବା ପରେ ବଦ୍ରୁ ମାଓ ବିରୋଧୀ ଅପରେସନରେ ସାମିଲ ହେଲେ। ବସ୍ତର ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ନକ୍ସଲମାନେ ମୁଣ୍ଡ ପରେ ମୁଣ୍ଡ ଗଡ଼ାଉଥିଲେ। ସେମାନଙ୍କୁ ଦମନ ପାଇଁ ଗଠନ କରାଯାଇଥିଲା ସ୍ବତନ୍ତ୍ର ବାହିନୀ। ଏଥିରେ ସାମିଲ ହୋଇଥିଲେ ସଞ୍ଜୟ ପୋଟାମ। ଡି.ଆର.ଜି ଜବାନଙ୍କୁ ଗରିଲା ଟ୍ରେନିଙ୍ଗ ଦେବା ସହ ଓ ନୁତନ ରଣ କୌଶଳ ମଧ୍ୟ ଶିଖାଇଥିଲେ। ଅନ୍ୟ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରିବାର ଯୋଗାଯୋଗ ସ୍ଥାପନ କଲେ। ବଦ୍ରୁଙ୍କ ପ୍ରଭାବରେ ଶହେଶହ ମାଓବାଦୀ ମୁଖ୍ୟସ୍ରୋତକୁ ଫେରି ଆସିଲେ। ଯେଉଁମାନେ ରକ୍ତପାତକୁ ରାସ୍ତା ଭାବେ ବାଛିଲେ ସେମାନଙ୍କ ରାସ୍ତାସଫା କରିବାରୁ ଫର୍ମୁଲା ବି ପ୍ରସ୍ତୁତ କଲେ। ପାଞ୍ଚ ବର୍ଷ ଭିତରେ ୫୦ରୁ ଅଧିକ ଅପରେସନରେ ସେ ସାମିଲ ହୋଇଛନ୍ତି ଯେଉଁଥିରେ ୧୦୦ ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ୫ କୋଟିର ଟଙ୍କାରୁ ଉର୍ଦ୍ଧ ଇନାମି ଥିବା ନକ୍ସଲ କମାଣ୍ଡର ବି ଥିଲେ। ସଞ୍ଜୟଙ୍କ ସାହସିକତା ଯୋଗୁଁ ଏବେ ରାଷ୍ଟ୍ରପତି ମେଡାଲ ପାଇଁ ତାଙ୍କର ନାମ ଘୋଷଣା ହୋଇଛି ।

ବଦଳିବାରେ ଲାଗିଛି ଲାଲ୍ ଗଡର ଚିତ୍ର । ବସ୍ତର ଦନ୍ତେୱାଡ଼ାରେ ମାଓ ସଂଗଠନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ବହୁ ସଂଖ୍ୟାରେ ମାୱାଦୀ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.