ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ବହୁ ରଥୀ- ମହାରଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ, ଓଡିଶାର ୬ ସମେତ ୧୩ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୧୧୭ଟି ଆସନ ପାଇଁ ହେବ ମତଦାନ

Published By : Prameya-News7 Bureau | April 22, 2019 IST

ଭୁବନେଶ୍ବର୨୨|୪: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୩ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୧୧୭ଟି ଆସନ ପାଇଁ ହେବ ମତଦାନ । ଯେଉଁଥିରେ ଓଡ଼ିଶାର ରହିଛି ୬ଟି ଆସନ । ଏଥିପାଇଁ ସମସ୍ତ ଅଞ୍ଚଳରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଫ୍ଲାଗ୍‌ ମାର୍ଚ୍ଚ ହୋଇଛି । ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅପେକ୍ଷା ଆସନ୍ତାକାଲି ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ରାହୁଲ ଗାନ୍ଧୀ, ଅମିତ୍ ଶାହା, ମୁଲାୟମ, ଶରଦ  ଯାଦବ, ମେହବୁବା ମୁଫତି ଓ ବରୁଣ ଗାନ୍ଧୀଙ୍କ ଭଳି ବଡବଡ  ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

{"id":106150,"width":595,"height":337}

ନିର୍ବାଚନ ପାଇଁ ପୋଲିଂ ପାର୍ଟି  ଭୋଟିଂ ମେସିନ୍‌, ଭିଭିପାଟ୍ ଓ ସୁରକ୍ଷା ବ୍ୟବସ୍ଥା ସହ ପହଞ୍ଚି ସାରିଲେଣି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସହ ଫ୍ଲାଗ ମାର୍ଚ୍ଚ କରିଛନ୍ତି ସୁରକ୍ଷା କର୍ମୀ । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ହେବ । ଏଥିସହ ୪୨ ବିଧାନସଭା ଆସରେ ବି ହେବ ଭୋଟ ଗ୍ରହଣ । ରାଜ୍ୟର ୧୦ ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୬ ଟି ଲୋକସଭା ଆସନ ପାଇଁ ୬୧ ପ୍ରାର୍ଥୀ ଓ ୪୨ ବିଧାନସଭା ଆସନ ପାଇଁ ୩୫୬ ପ୍ରାର୍ଥୀ ମୈଦାନରେ ଅଛନ୍ତି ।  ୪୨ ଟିରୁ ୩୫ ବିଧାନସଭା ଆସନରେ ସକାଳ ୭ ଟାରୁ ସଂଧ୍ୟା ୬ ଟା ଯାଏ ମତଦାନ ଚାଲିବ ।  ସୁରକ୍ଷା ଦୃଷ୍ଟିରୁ ମାଓ ଅଧ୍ୟୁଷିତ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନଳର ୭ ଟି ବିଧାନସଭା ଆସନରେ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ । ୨୯୯ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

{"id":106151,"width":595,"height":337}

ଏହି ପର୍ଯ୍ୟାୟର ନିର୍ବାଚନ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ବୋଲି କୁହାଯାଉଛି । କାରଣ ଏହି ପର୍ଯ୍ୟାୟରେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳକଂଗ୍ରେସ ଓ ବିଜେପି ସଭାପତିଙ୍କ ଭାଗ୍ୟ ପରୀକ୍ଷା ହେବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କେରଳର ୱାଏନାଡ୍‌ଭୋଟର ଏବଂ ବିଜେପି ସଭାପତି ଅମିତ ଶାହାଙ୍କୁ ଗୁଜରାଟର ଗାନ୍ଧିନଗର ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେହିଭଳି ଉତ୍ତରପ୍ରଦେଶ ରାମପୁର ଅସନରୁ ବିଜେପି ପ୍ରାର୍ଥୀ ଜୟାପ୍ରଦା, ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୁଲାୟମ ସିଂ ଯାଦବ, ବରୁଣ ଗାନ୍ଧୀ, ଶରଦ ଯାଦବ, ତାରିକ ଅନୱର, ମେହବୁବା ମୁଫତିଙ୍କ ଭଳି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେହିଭଳି ରାଜ୍ୟର ସମ୍ବିତ ପାତ୍ର, ପିନାକୀ ମିଶ୍ର, ଅପରାଜିତା ଷଡଙ୍ଗୀ, ନିରଞ୍ଜନ ପଟ୍ଟନାୟକ, ମହେଶ୍ବର ମହାନ୍ତି, ପ୍ରଦୀପ ମହାରଥୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ବଦ୍ରି ନାରାୟଣ ପାତ୍ର, ଅନନ୍ତ ନାରାୟଣ ଜେନାଙ୍କ ଭଳି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.