ଆସନ୍ତା କାଲି ସଂଧ୍ୟା ଦର୍ଶନ: ଦକ୍ଷିଣ ମୋଡ ହୋଇ ସବୁରଥ ଲାଗିଲା ନାକଚଣା ଦ୍ବାରରେ, ବର୍ଷାରେ ଛିଡିଯାଇ ରଥର କନା

Published By : Prameya-News7 Bureau | July 10, 2019 IST

ପୁରୀ୧୦|୮: ଗତକାଲି ଶରଧାବାଲିରେ  ଦର୍ପଦଳନ ଓ  ତାଳଧ୍ବଜ ରଥଙ୍କ ଦକ୍ଷିଣମୋଡ଼ ହୋଇଥିବା ବେଳେ ଆଜି ସକାଳୁ ନନ୍ଦିଘୋଷ ରଥଙ୍କ ଦକ୍ଷିଣମୋଡ଼ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନା ନାକଚଣା ଦ୍ବାରକୁ ନିଆଯାଇଛି । ଆସନ୍ତାକାଲି ଜନ୍ମବେଦୀରେ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ । ତେବେ ସଂଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ସେପଟେ ତିନି ରଥରେ ଲାଗିଥିବା କପଡ଼ା ପବନ ଯୋଗୁଁ ଚିରି ଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭକ୍ତ । ହେଲେ ବାହୁଡ଼ା ଯାତ୍ରା ପୂର୍ବରୁ ସବୁ କିଛି ସଜାଡ଼ିବାକୁ ଚାଲିଛି ଯୋଜନା । …..

{"id":132422}

ବିଶ୍ବ ନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । କଳା ଶ୍ରୀମୁଖକୁ ଟିକେ ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ । ଶ୍ରୀମନ୍ଦିର ଯିବାକୁ ସୁଯୋଗ ପାଉନଥିବା ଶ୍ରଦ୍ଧାଳୁମାନେ ମଧ୍ୟ ବଡ଼ ଦାଣ୍ଡରେ ବ୍ରହ୍ମାଣ୍ଡଠାକୁରଙ୍କୁ ଦର୍ଶନ କରିବାକୁ କେତେ ଶ୍ରଦ୍ଧାରେ ଧାଇଁଛନ୍ତି । ବହୁ ସଂଖ୍ୟାରେ ଦେଶ ବିଦେଶରୁ ଭକ୍ତମାନେ ପୁରୀକୁ ଆସୁଛନ୍ତି । ହେଲେ ଏ କ’ଣ ଦେଖାଯାଉଛି ? କେଡ଼େ ସୁନ୍ଦର ଦେଖାଯାଉଥିବା ତିନି ରଥର କପଡ଼ା ପବନରେ ଚିରି ଫାଟି ଫର୍‌ଫର୍‌ଉଡ଼ୁଛି । ଚିରି ଯାଇଛି ତିନି ରଥର ଶୋଭାବର୍ଦ୍ଧନ କରୁଥିବା କନାଛାଉଣୀ । ସମସ୍ତଙ୍କୁ ଜଳ ଜଳ ଦିଶୁଛି । ହେଲେ ମନ୍ଦିର ପ୍ରଶାସନ କାହିଁକି ଏ ବାବଦରେ କୌଣସି ପଦକ୍ଷେପ ନେଇନି ତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ଭକ୍ତ । ଆଉ ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ପୁଣି ରଥକୁ ଆସିବେ ଚତୁର୍ଦ୍ଧାମୁରତି । ହେଲେ ରଥର ଏଭଳି ଅବସ୍ଥାକୁ ଦେଖି ଭକ୍ତ ମନ ସମ୍ଭାଳୁନି ।

{"id":132423}

ସେପଟେ ଭକ୍ତଙ୍କ ଅସନ୍ତୋଷକୁ ଦେଖି ବାହୁଡ଼ା ଯାତ୍ରା ପୂର୍ବରୁ ରଥ ମରାମତି କାମ କରାଯିବ ବୋଲି ଭରସା ଭରିଛନ୍ତି ପ୍ରଶାସନ ଆଉ ସେବାୟତ । ତେବେ ଗତକାଲି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ ହେବାକୁ ଥିବା ବେଳେ ନୀତି ବିଳମ୍ବ ଯୋଗୁଁ କେବଳ ଦର୍ପଦଳନ ଓ ତାଳଧ୍ବଜ ରଥଙ୍କ ଦକ୍ଷିଣମୋଡ଼ ହୋଇପାରିଥିଲା । ଆଉ ଆଜି ସକାଳୁ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନା ନାକଚଣା ଦ୍ବାରକୁ ନିଆଯାଇଛି ।  ଏବେ ତିନି ରଥ ଶ୍ରୀମନ୍ଦିର ମୁହାଁ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ଅପେକ୍ଷା କରିଛନ୍ତି ।

{"id":132425}

ଆସନ୍ତା କାଲି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ । ତେବେ ସଂଧ୍ୟା ୭ଟା ପୂର୍ବରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । କାରଣ ସଂଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ସେପଟେ ସଂଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

{"id":132426}

ଆଡ଼ପ ମଣ୍ଡପରେ  ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ପରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ପୁଣି ରଥରେ ବସି ଶ୍ରୀମନ୍ଦିରକୁ ଫେରିଯିବେ ଚତୁର୍ଦ୍ଧାମୁରତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.